ବିଏମ୍‌ସିର ‘ଡ୍ରାଏ ଡେ’: ୭ଶହ ମଶା ଉତ୍ସ ନଷ୍ଟ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ମଧ୍ୟରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ୫୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୨୮ଟି ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪ଟି ପଜିଟିଭ୍‌ ଆସିଥିଲା‌। ପ୍ରତ୍ୟେକ ଦିନ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସିର ନିଦ ଭାଙ୍ଗିଛି। ଆଜିଠାରୁ ବିଏମ୍‌ସି ‘ଡ୍ରାଏ ଡେ’ ପାଳନ ଆରମ୍ଭ କରିଛି। ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। ଏନେଇ ତିନୋଟି ଜୋନ୍‌ରେ ଥିବା ପ୍ରତ୍ୟେକ ୱାର୍ଡରେ ଏହି ଅଭିଯାନ ଆରମ୍ଭ ହୋଇଛି। ସପ୍ତାହର ପ୍ରତ୍ୟେକ ଶନିବାର ଓ ଗୁରୁବାର ଏହି ଡ୍ରାଏ ଡେ ପାଳନ ହେବ ବୋଲି କୁହାଯାଇଛି।

ଆଜି ପ୍ରତ୍ୟେକ ଜୋନର ଜେଡ୍‌ଡିସିଙ୍କ ସମେତ ସହକାରୀ କମିସନର, ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର, ସ୍ବଚ୍ଛସାଥୀ, ସାନିଟେସନ୍ ସୁପରଭାଇଜର ଓ ଆଣ୍ଟି-ଲାର୍ଭା ୱାର୍କର୍ସମାନେ ଘରକୁ ଘର ବୁଲି ସମ୍ଭାବ୍ୟ ମଶା ପ୍ରଜନନ ସ୍ଥାନ ଚିହ୍ନଟ ଓ ନଷ୍ଟ କରିଛନ୍ତି। ବି‌ଶେଷ କରି ଫୁଲକୁଣ୍ଡ, ପାଣିପାତ୍ର, ଟାୟାର ପ୍ରଭୃତି ଯାଞ୍ଚ କରିବା ସହ ମଶା ତେଲ ସ୍ପ୍ରେ କରାଯାଇଛି। ପ୍ରତ୍ୟେକ ଘର ସହ ପାର୍କ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ଯାଞ୍ଚ କରାଯାଇଛି। ଆଜି ୭ଶହରୁ ଅଧିକ ଉତ୍ସ ନଷ୍ଟ କରାଯାଇଥିବା ବିଏମ୍‌ସି କହିଛି। ଡେଙ୍ଗୁ ନିବାରଣ ନେଇ ବିଏମ୍‌ସି ଉଦ୍ୟମ ଜାରି ରଖିଛି। କିନ୍ତୁ ପ୍ରତ୍ୟେକ ଜନସାଧାରଣଙ୍କର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରିବା ସହ ଏ ବାବଦରେ ବିଏମ୍‌ସିକୁ ଖବର ଦେବାକୁ କମିସନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ସଫେଇ ଏଜେନ୍‌ସିମାନଙ୍କୁ ନଳା ସଫା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର