ରୂଷିଯୁଗୀୟ ମୂଲ୍ୟବୋଧର ପୁନଃରୁଦ୍ଧାର କରି ଆମେମାନେ ଭାରତୀୟ ଭାବେ ଚାଲିବା : ସମର୍ପଣାନନ୍ଦ

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ଐତିହ ଉପରେ ତିନି ରକମର ତଥା କଳାପାହାଡ଼, ଧଳାପାହାଡ଼, ନାଲି ପାହାଡ଼ ପଟୁ ସଂଘାତ ଓ ଆଘାତ ଲାଗି ମୌଳିକ ଭାରତୀୟ ସାଂସ୍କୃତିକ ଐତିହ୍ୟ ବିଲୁପ୍ତି ପଥରେ ଗତି କରୁଛି। କଳାପାହାଡ଼ ହିନ୍ଦୁ ଦେବାଦେବୀଙ୍କର ମୂର୍ତ୍ତୀ ଓ ମନ୍ଦିର ଧ୍ୱଂସ କରିଥିଲେ। ଧଳାପାହାଡ଼ ଇଂରେଜ ଶାସକମାନେ ଭୋଗ ସର୍ବସ୍ୱ ମୂଲ୍ୟବୋଧ ରହିତ ଶିକ୍ଷାନୀତି ପ୍ରବର୍ତ୍ତନ କରି ଭାରତୀୟ ମୂଲ୍ୟବୋଧର ବିନାଶ ଘଟାଇଥିଲେ। ନାଲି ପାହାଡ଼ ବା ତଥା କଥିତ ପ୍ରଗତିପନ୍ଥୀମାନେ ମହାଭାରତୀୟ ମହାଭାବକୁ ସମୁଳ ଧ୍ୱଂସ ସାଧନ ଦିଗରେ ତତ୍ପର ହୋଇ ଉଠିଥିଲେ। ଏବେ ବେଳ ଆସିଛି ଆମକୁ ରୂଷିଯୁଗୀୟ ମୂଲ୍ୟବୋଧକୁ ଫେରାଇବାକୁ ହେବ ଏବଂ ଖାଣ୍ଟି ଭାରତୀୟ ହେବାକୁ ହେବ । ଏହି ସତ ଉଦ୍ୟମ ଅବ୍ୟାହତ ରଖିବାରେ ସନ୍ତୋଷ କୁମାର ମହାନ୍ତିଙ୍କ “ହେରିଟେଜ୍‍ ଅଫ୍‍ ଇଣ୍ଡିଆ ଆଣ୍ଡ ସ୍ୱାମୀ ନିଗମାନନ୍ଦ’ପୁସ୍ତକଟି ଭବିଷ୍ୟତ ପିଢିଙ୍କୁ ମାର୍ଗ ଦର୍ଶନ କରିବ ବୋଲି ମତ ରଖିଛନ୍ତି ଅଂତଃର୍ଜାତିୟ ଖ୍ୟାତି ସମ୍ପନ୍ନ କ୍ରିୟାଯୋଗୀ ସ୍ୱାମୀ ସମର୍ପଣାନନ୍ଦ ଗିରି।

ମଙ୍ଗଳବାର ଏହି ଅନବଦ୍ୟ ଧର୍ମ ପୁସ୍ତକର ଲୋକାର୍ପଣ ଉତ୍ସବରେ ସଭାପତିତ୍ୱ କରିଥିଲେ ରାଜ୍ୟ ଖାଦ୍ୟ, ସମବାୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସଭା ପ୍ରାରମ୍ଭରେ ବୈଦିକ ମନ୍ତ୍ର ଗାନ ଆବୃତି କରିଥିଲେ ଆସାମ ବଙ୍ଗୀୟ ସାରସ୍ୱତ ମଠର ପ୍ରାକ୍ତନ ଟ୍ରଷ୍ଟି ୯୧ ବର୍ଷୀୟ ଗୋପାଳ ଚନ୍ଦ୍ର ମିଶ୍ର ଶର୍ମା। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଥିଲେ ନୀଳାଚଳ ସାରସ୍ୱତ ସଂଘର ପରିଚାଳକ ଶରତ ଚନ୍ଦ୍ର ସିଂହଦେଓ, ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ଦୁଇ ଜଣ ପ୍ରାକ୍ତନ ପ୍ରଫେସର ଡକ୍ଟର ବିଜୟାନନ୍ଦ କର ଓ ଗଣେଶ ପ୍ରସାଦ ଦାସ। ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ପୁସ୍ତକର ଲେଖକ ସନ୍ତୋଷ କୁମାର ମହାନ୍ତି । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ସୁଧାଂଶୁ ଶେଖର ଭୂୟାଁ ଲେଖକ ସନ୍ତୋଷ ମହାନ୍ତି ଏହି ୧୨୦୦ ପୃଷ୍ଠା ସମ୍ଭଳିତ ପୁସ୍ତକରେ ବିଶ୍ୱର ବିଭିନ୍ନ ଧର୍ମୀୟ ମତବାଦର ତୁଳନାତ୍ମକ ବିଶ୍ଲେଷଣ ଭିତ୍ତିକ ଆଲୋଚନା ସମ୍ଭଳିତ\”ହେରିଟେଜ୍‍ ଅଫ୍‍ ଇଣ୍ଡିଆ ଆଣ୍ଡ ସ୍ୱାମୀ ନିଗମାନନ୍ଦ’ ପୁସ୍ତକର ରଚନା ପାଇଁ ଦୀର୍ଘ ଦୁଇ ଦଶନ୍ଧି ଧରି ଅକ୍ଲାନ୍ତ ପରିଶ୍ରମ କରିଥିବା କଥା ଏବଂ ତାଙ୍କ ପରମାରାଧ୍ୟ ଗୁରୁଦେବ ପରମହଂସ ଠାକୁର ନିଗମାନନ୍ଦଙ୍କର ଆଶୀର୍ବାଦରୁ ସମ୍ଭବ ହୋଇପାରିଛି ବୋଲି ଉପସ୍ଥିତ ସୁଧୀ ଜନଙ୍କୁ ଅବଗତ କରାଇଥିଲେ।

ଦର୍ଶନ ବିଭାଗର ପ୍ରଫେସର ଦୁଇ ଜଣ ଏତେବଡ ପୁସ୍ତକ ଲେଖିବା ଏକ ବିସ୍ମୟକର ବ୍ୟାପାର ବୋଲି କହିଥିଲେ। ମନ୍ତ୍ରୀ ଅତନୁ ସବ୍ୟସାଚୀ ମଧ୍ୟ ଏହି ପୁସ୍ତକର ଭୁୟସୀ ପ୍ରଶଂସା କରିଥିଲେ ଏବଂ ଏହା ତୁଳନାତ୍ମକ ଧର୍ମ ତତ୍ତ୍ୱ ଗବେଷଣା କ୍ଷେତ୍ରରେ ଏକ ମାଇଲ୍‍ଖୁଣ୍ଟ ହେବ ବୋଲି ମତ ରଖିଥିଲେ । ନୀଳାଚଳ ସାରସ୍ୱତ ସଂଘର ପରିଚାଳକ ଶରତଚନ୍ଦ୍ର ସିଂଦେଓ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଉପରେ ଏଭଳି ଏକ ଗବେଷଣା ଗ୍ରନ୍ଥ ଭବିଷ୍ୟତ ପିଢ଼ି ତଥା ନିଗମ ବଂଶଧରମାନଙ୍କ ପାଇଁ ତତ୍ତ୍ୱାଲୋଚନା ଦିଗରେ ନୂତନ ଦିଗ ଓ ଦିଗନ୍ତ ଉନ୍ମୋଚନ କରିବ ବୋଲି କହିଥିଲେ । ସମ୍ବିତ ମହାପାତ୍ର ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦ ଓ ଶତାଧିକ ଶ୍ରୋତା ଓ ଧର୍ମ ପିପାସୁ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର