ଭୁବନେଶ୍ୱର: ରାଜଧାନୀରେ ରାସ୍ତାଘାଟ ଖୋଳାଖୋଳି କରିବା ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି। କେଉଁଠି କେବୁଲ ବିଛାଇବା ପାଇଁ ତ କେଉଁଠି ବର୍ଷା ଜଳ ନିଷ୍କାସନ ହେବ ବୋଲି ମନଇଚ୍ଛା ରାସ୍ତା ଖୋଳାଯାଉଛି। ହେଲେ ବର୍ଜ୍ୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବଦଳରେ ରାସ୍ତାରେ ଗଦା କରି ଦିଆଯାଉଛି। ସେଥିରେ ପୁଣି କାମ ସାରିବା ପାଇଁ ମାସ ମାସ ଲାଗିଯାଉଛି। ଗୋଟିଏ ପଟେ ରାଜଧାନୀରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣା କରୁଥିବା ବେଳେ ସଙ୍କୁଚିତ ରାସ୍ତା, ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ଠିକା ସଂସ୍ଥାର ମନମାନୀ ଯୋଗୁଁ ସାଧାରଣ ଲୋକମାନେ ହଇରାଣରେ ପଡ଼ୁଛନ୍ତି। ବିଶେଷ କରି ସାଲିଆସାହିର ପେଟ୍ରୋଲପମ୍ପ ଛକରୁ ଏକାମ୍ର ପାର୍କ ସାଇ ବାବା ମନ୍ଦିର, ନତାଲା, ପାଵାର ହାଉସ ଛକରୁ କଲ୍ୟାଣି ମାର୍କେଟ, ନୂଆପଲ୍ଲୀ ରିଲାଏନ୍ସ ଫ୍ରେସ୍‌ ସାମ୍ନା ପରି ମୁଖ୍ୟ ରାସ୍ତାରେ ଠିକା ସଂସ୍ଥାର ଖାମଖିଆଲି ଯୋଗୁଁ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। 

Advertisment

ନୂଆପଲ୍ଲୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ପାଇଁ ବିଏମ୍‌ସି ପକ୍ଷରୁ ଚଳିତ ବର୍ଷ ନୂଆପଲ୍ଲୀ ରିଲାଏନ୍ସ ଫ୍ରେସ୍‌ ସାମ୍ନାରେ ପାଖାପାଖି ମାସେ ହେଲାଣି ଖୋଳା ହୋଇଛି। ରାସ୍ତା କାମ ପାଇଁ ଯେତିକି ଅଞ୍ଚଳ ଖୋଳା ହୋଇଛି, ତା’ଠାରୁ ଅଧିକ ନିର୍ମାଣ ବର୍ଜ୍ୟବସ୍ତୁ ରାସ୍ତାରେ ଗଦା ହୋଇରହିଛି। ମାସ ମାସ ଧରି ବର୍ଜ୍ୟବସ୍ତୁ ଗଦା ହୋଇ ରହିଥିଲେ ସୁଦ୍ଧା ଏହାକୁ ହଟା ଯାଉନାହିଁ। ତେବେ ଏନେଇ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ କହିଛନ୍ତି, ଖୁବ୍‌ ଶୀଘ୍ର କାମ ସରିଯିବ। ବର୍ଜ୍ୟବସ୍ତୁ ମଧ୍ୟ ହଟାଯିବ। ସେହିପରି ସାଲିଆସାହି ଛକରୁ ଏକାମ୍ର ପାର୍କ ସାଇବାବା ମନ୍ଦିର ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଓପିଟିସିଏଲ୍‌ ପକ୍ଷରୁ କେବୁଲ ବିଛାଇବା ପାଇଁ ଖୋଳା ହୋଇଛି। ହେଲେ ଏଠାରେ ମଧ୍ୟ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଫଳରେ ରାସ୍ତା ସଙ୍କୁଚିତ ହୋଇ ଯାଇଥିବାରୁ ଟ୍ରାଫିକ ସମସ୍ୟା ହେଉଛି। ତେବେ ଏନେଇ କର୍ପୋରେଟର ମାନସୀରାଣୀ ସୁନ୍ଦରାୟଙ୍କ କହିବା ଅନୁଯାୟୀ ଶୀଘ୍ର କାମ ସାରିବା ପାଇଁ ସେ ଠିକାଦାରଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ନତାଲା ଓ ପାଵାର ହାଉସ ଛକରୁ କଲ୍ୟାଣି ମାର୍କେଟ ଯାଏଁ ମଧ୍ୟ ସଂସ୍ଥାଗୁଡ଼ିକର ମନ୍ଥର କାମ ଯୋଗୁଁ ଲୋକେ ହଇରାଣ ହେଉଛନ୍ତି।