ମୋ’ ପୁଅକୁ ପୋଡ଼ନି, ତା’କୁ କଷ୍ଟ ହେବ…

ଗାର୍ଡ ଅଫ୍ ଅନର୍‌ ସହିତ ଶୁଭୋଜିତଙ୍କ ଶେଷକୃତ୍ୟ

ଭୁବନେଶ୍ବର: ‘‘ମୋ’ ପୁଅକୁ ପୋଡ଼ନି, ତା’କୁ କଷ୍ଟ ହେବ। ମୋ’ ଧନ, ତୁ ମୋ’କୋଳକୁ ପୁଣି ଫେରି ଆସେରେ …!’’ ଗେଲବସରରେ ବଢ଼ିଥିବା ପୁଅର ଶବକୁ ଧରି ଏମିତି ବାହୁନି ବାହୁନି କାନ୍ଦୁଥିଲେ ମାଆ। କେବଳ ମାଆ ନୁହନ୍ତି, ସତ୍ୟନଗର ଶ୍ମଶାନ‌ରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଶ୍ମଶାନ। ପରିବାର ଲୋକ ‌ଯେତେ ଟାଣୁଥିଲେ ମାଆ କିନ୍ତୁ ପୁଅକୁ ଛାଡ଼ିବାକୁ ଥିଲେ ନାରାଜ। ପୁଅ ଯେ ଆଉ ନାହିଁ, ଏ କଥାକୁ ସହଜରେ ଗ୍ରହଣ କରିପାରୁ ନଥିଲା ମା’ମନ। ପୁଅର ମହତ ଦାନ ଆଜି ‌ଶୁଭୋଜିତକୁ ଅମର କରିଛି କହି ଶୁଭୋଜିତଙ୍କ ବାପା ବିଶ୍ବଜିତ ସାହୁ ବୁଝା‌ଉଥିଲେ। କିନ୍ତୁ ମା’ଙ୍କ କାନ୍ଦ ବନ୍ଦ ହେଉନଥିଲା। ପରେ ଓଡ଼ିଶା ପୁଲିସ ପକ୍ଷରୁ ଶୁଭୋଜିତଙ୍କୁ ଗାର୍ଡ଼ ଅଫ୍ ଅନର୍‌ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଶୋକାକୁଳ ପରିବେଶରେ ଅନ୍ୟ ଅନେକଙ୍କ ସହିତ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ୮ ବର୍ଷୀୟ ପୁଅ ଶୁଭୋଜିତ ବିଜେଇଏମ୍ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ବୁଧବାର ଦିନ ପରୀକ୍ଷା ଦେବାକୁ ଯାଇଥିବା ହଠାତ୍‌ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗତ ଗୁରୁବାର ଦିନ ଡାକ୍ତର ତାଙ୍କୁ ‘ବ୍ରେନ ଡେଡ୍‌’ ଘୋଷଣା କରିଥିଲେ। ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ଅନ୍ୟ କାହାର ଶରୀରରେ ପୁଅ ବଞ୍ଚିରହୁ ବୋଲି ଭାବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଗତକାଲି ଏକ ଘରୋଇ ହସ୍ପିଟାଲରେ ଶୁଭୋଜିତଙ୍କର ଦୁଇଟିଯାକ କିଡ୍‌ନୀ କଢ଼ାଯାଇ ଦୁଇଜଣ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା।

ଅଙ୍ଗଦାନ ପ୍ରତି ବଢ଼ୁଛି ଆଗ୍ରହ

ଅଙ୍ଗଦାନ କରି ଅନ୍ୟକୁ ଜୀବନଦାନ କରି କୁନି କୁନି ପିଲାମାନେ ସମାଜ ଆଗରେ ଉଦାହରଣ ସୃଷ୍ଟି କରୁଛନ୍ତି। ପରିବାରବର୍ଗ ମଧ୍ୟ ନିଜ ପିଲାଙ୍କ ଅଙ୍ଗଦାନ ପାଇ ଅନୁମତି ଦେଇ ପ୍ରେରଣା ଯୋଗାଉଛନ୍ତି। ଏ ଦାନ ‌ଯେ ଏକ ମହତତମ ଦାନ ଏବଂ ଏହାଦ୍ବାରା ମୃତ୍ୟୁକୁ ଅପେକ୍ଷା କରି ପ୍ରତିଦିନ ମରୁଥିବା ଅନ୍ୟ ଜଣେ ଲୋକ ପାଇଁ ଜୀବନଦାନ ବୋଲି ଆଜି ସମସ୍ତେ ବୁଝିଲେଣି। ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ୪ଜଣ ଶିଶୁ ଅଙ୍ଗଦାନ କରିଛନ୍ତି। ଗତକାଲି ୮ବର୍ଷରୁ ଶିଶୁ ଶୁଭୋଜିତ ଅଙ୍ଗଦାନ କରିଥିବା ବେଳେ ପୂର୍ବରୁ କେନ୍ଦ୍ରାପଡ଼ାର ଓମ୍ ଶିବୁ, ମୟୁରଭଞ୍ଜର ରାଜେନ୍ଦ୍ର ଓ ଭୁବନେଶ୍ବର ଦମୟନ୍ତୀ ନିଜ ଅଙ୍ଗଦାନ କରି ଅନ୍ୟକୁ ବଞ୍ଚାଇଛନ୍ତି। ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଓମ୍ ଶିବୁ। ଗତ ଜାନୁଆରି ୧୭ରେ ମସ୍ତିଷ୍କରେ ଯନ୍ତ୍ରଣା ହେବାରୁ କଟକ ଏସ୍‌ସିବି ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରିଥିଲେ ପରିବାର। ଜଣାପଡିଲା ଶିବୁଙ୍କର ବ୍ରେନ ଟ୍ୟୁମର୍‌ ହୋଇଛି। ଗୁରୁବାର ସନ୍ଧ୍ୟାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶିବୁର ବ୍ରେନ୍‌ ଡେଡ୍ ହୋଇ ଯାଇଥିଲା। ଏକମ‌ାତ୍ର ପୁଅକୁ ହରାଇବାର ଦୁଃଖ ଭିତରେ ବାପା ମାଆ କିନ୍ତୁ ନେଇଥିଲେ ଅଙ୍ଗଦାନ ଭଳି ମହତ୍‌ ନିଷ୍ପତ୍ତି। ସେମାନେ ପୁଅର ଦୁଇଟି ବୃକ୍‌କ ନେବାଲାଗି ଅନୁମତି ଦେଇଥିଲେ। ସେହି ବାଟରେ ଏ ଦୁନିଆରୁ ଯିବାବେଳକୁ ଅନ୍ୟ ୨ଜଣଙ୍କୁ ନୂଆ ଜୀବନ ଦେଇଯାଇଛନ୍ତି ଓମ୍ ଶିବୁ।

ଓମ୍‌ଙ୍କ ଭଳି ଯୁକ୍ତଦୁଇ ଛାତ୍ର ଥିଲେ ରାଜେନ୍ଦ୍ର ସିଂ। ମୟୂରଭଞ୍ଜ ବଡ଼ସାହି ବ୍ଲକ ଯଦୁନାଥପୁର ଗାଁର ରାଜେନ୍ଦ୍ର ଗତକାଲି ନୂଆ ପୋଷାକ କିଣିବାକୁ ଦୁଇସାଙ୍ଗଙ୍କ ସହିତ ବାଇକ୍‌ରେ ଯିବାବେଳେ ଦୁର୍ଘଟଣା ଘଟିଥିଲା। ପରେ ହସ୍ପିଟାଲରେ ପ୍ରାଣ ହରାଇଥିଲେ ରାଜେନ୍ଦ୍ର। ହେଲେ ପୁଅର ଚକ୍ଷୁଦାନ ପାଇଁ ତାଙ୍କ ଗରିବ ବାପା ମାଆ ନିଷ୍ପତ୍ତି ନେଇଥିଲେ। ବାରିପଦା ମେଡିକାଲ କଲେଜର ଚକ୍ଷୁ ବିଭାଗରେ ରାଜେନ୍ଦ୍ରଙ୍କ ଚକ୍ଷୁଦାନ ହୋଇଥିଲା। ୨୩ ଫେବ୍ରୁଆରି ୨୦୨୪ରେ ଭୁବନେଶ୍ବରର ୧୪ ବର୍ଷୀୟା ଝିଅ ଦମୟନ୍ତୀର ବ୍ରେନ ଡେଡ୍ ହେବାପରେ ତାଙ୍କର ଯକୃତ ଦାନ କରିଥିଲେ ଅଟୋ ଚାଳକ ବାପା ଦୁଃଖବନ୍ଧୁ ମହାନ୍ତ। ଭୁବନେଶ୍ବର ଏମ୍‌ସରେ ଦମୟନ୍ତୀଙ୍କର ଯକୃତ କଢ଼ାଯାଇ ବିମାନରେ ଦିଲ୍ଲୀକୁ ନିଆଯାଇ ସେଠାରେ ରୋଗୀଙ୍କ ଦେହରେ ପ୍ରତିରୋପଣ କରା ଯାଇଥିଲା। ସେମିତି ଗତବର୍ଷ ନଭେମ୍ବର ୫ ତାରିଖରେ ଏକ ଦୁର୍ଘଟଣାରେ ବ୍ରେନ ଡେଡ୍ ହୋଇଥିବା ବ୍ରହ୍ମପୁରର ଛାତ୍ରୀ କ୍ରିଷ୍ଣା ପଣ୍ଡାଙ୍କ ଫୁସ୍‌ଫୁସ୍‌, ବୃକ୍‌କ ଓ ଯକୃତ ଦାନ କରିଥିଲେ ତାଙ୍କ ପରିବାର। ଏହି ତାଲିକାରେ ନବରଙ୍ଗପୁରର ଉଷାରାଣୀ ଓ ବାଲେଶ୍ବରର ଅଜିତ ଚୌଧୁରୀଙ୍କ ଭଳି ଆହୁରି ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ଅଛନ୍ତି। ସେମାନେ ମରିଯାଇ ସୁଦ୍ଧା ଅନ୍ୟମାନଙ୍କୁ ପ୍ରେରଣା ଦେଇଛନ୍ତି। ଯେଉଁ ପରିସ୍ଥିତିରେ ଥିଲେ ହେଁ ଅନ୍ୟପାଇଁ ଓ ସମାଜ ପାଇଁ କିଛି କରିହେବ, ସେମାନେ ଲୋକଙ୍କୁ ସେହି ଶିକ୍ଷା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୧୫ ତାରିଖରେ ଘୋଷଣା କରିଛନ୍ତି।

ବିଜେଇଏମ୍ ସ୍କୁଲରେ ସ୍ମୃତିସଭା
ଶୁଭୋଜିତଙ୍କ ସ୍କୁଲ, ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଜି ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା, ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପ୍ରଶାସନିକ ପର୍ଯ୍ୟବେକ୍ଷକ ବରଦା ପ୍ରସାଦ ପାଇକରାୟ, ଶିବାନୀ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ସ୍ମିତା ମହାନ୍ତି, ସୁଚରିତା ଦାସ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ତାଙ୍କ ଶ୍ରେଣୀ ସହପାଠୀମାନେ ଉପସ୍ଥିତ ରହି ନିରବ ପ୍ରାର୍ଥନା ସହ ଆତ୍ମାର ସଦ୍‌ଗତି କାମନା କରିଥିଲେ।

ସମ୍ବନ୍ଧିତ ଖବର