ଜନବସତିରେ ଡମ୍ପିଂୟାର୍ଡ, ଦୁର୍ଗନ୍ଧରେ ଲୋକେ ଅତିଷ୍ଠ

ଭୁବନେଶ୍ବର: ଘର ପାଖରେ ପ୍ରତିଦିନ କୁଢ଼କୁଢ଼ ଅଳିଆ ଗଦା ହେଉଥିବାରୁ ଜୀବନ ଦୁର୍ବିଷହ ହୋଇଗଲାଣି। ଦୁର୍ଗନ୍ଧ ଏପରି ହେଉଛି ଯେ, ଲୋକ କବାଟ, ଝରକା ଖୋଲିପାରୁନାହାନ୍ତି। ରାଜଧାନୀରେ ଘର କରିଛନ୍ତି କିନ୍ତୁ ରାଜଧାନୀର ପବନ ତାଙ୍କ ପାଇଁ ରୋଗ ଭେଟି ଦେଉଛି। ଏହିଭଳି ଅଭିଯୋଗ କରିଛନ୍ତି ବିଏମ୍‌ସିର ୱାର୍ଡ-୫୮ର କେଦାର ଗୌରୀ ବିହାର ବାସିନ୍ଦା। କେଦାର ଗୌରୀ ବିହାରରେ ପ୍ରାୟ ୨୫୦ ପରିବାର ରହୁଥିବା ବେଳେ ଏହି ଆବାସିକ ଅଞ୍ଚଳକୁ ଲାଗି ରହିଥିବା ସରକାରୀ ଜାଗାରେ ଏବେ ସଫେଇ ସଂସ୍ଥା ପିଏମ୍‌ଆର୍‌ ଟ୍ରାନଜିଟ୍‌ ପଏଣ୍ଟ କରିଛି। ଯେଉଁଠି ପ୍ରାୟ ୧୦ଟି ୱାର୍ଡର ଅଳିଆ ପୂର୍ବାହ୍ନରେ ଗଦାଉଛି ଓ ଅପରାହ୍ନରେ ସେଠାରୁ ଅଳିଆ ନେଇ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡରେ ଗଦାଉଛି। ପ୍ରତିଦିନ ଟ୍ରକ୍‌ ଟ୍ରକ୍‌ ଆବର୍ଜନା ଗଦା ହେଉଥିବାରୁ ଦୁର୍ଗନ୍ଧ ପବନ ଲୋକଙ୍କ ଜୀବନ ଦୁର୍ବିଷହ କରିଦେଲାଣି। ଏପରିକି ଦୁର୍ଗନ୍ଧ ଯୋଗୁଁ ଲୋକ କବାଟ ଝରକା ଖୋଲିବାକୁ ଡରୁଛନ୍ତି।

ଏନେଇ ସ୍ଥାନୀୟ ବାସିନ୍ଦା ବିଏମ୍‌ସି ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନି। ଏପରିକି ସ୍ଥାନୀୟ ଲୋକ ବିଏମ୍‌ସି କମିସନରଙ୍କୁ ଲିଖିତ ଭାବେ ଜଣାଇବା ସହ ଯଥା ଶୀଘ୍ର ଏହି ଅସ୍ଥାୟୀ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦା ତିନି ମାସ ହେଲା କମିସନରଙ୍କୁ ଲେଖିକି ଦେଇଥିଲେ ହେଁ କିଛି ସୁଫଳ ମିଳି ନାହିଁ।

ସମ୍ବନ୍ଧିତ ଖବର