ମାରୁତି ଇଷ୍ଟେଟ୍‌ ବିଲ୍‌ଡିଂରେ ଅଗ୍ନିକାଣ୍ଡ: ରେସ୍ତୋରାଁ ସମେତ ୭ ଗୋଦାମ ଭସ୍ମ

୫ କୋଟିରୁ ଅଧିକ ସମ୍ପତ୍ତି ପାଉଁଶ, ୩ କର୍ମଚାରୀ ଉଦ୍ଧାର, ୭ ଦମକଳକୁ ୫ ଘଣ୍ଟା

ଚନ୍ଦ୍ରଶେଖରପୁର: ଆଜି ଅପରାହ୍ଣରେ କିଟ୍ ଛକସ୍ଥିତ ମାରୁତି ଇଷ୍ଟେଟ୍‌ କର୍ପୋରେଟ୍ ବିଲ୍‌ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଚତୁର୍ଥ ମହଲାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଗୋଟିଏ ରେସ୍ତୋରାଁ ସମେତ ୭ ଗୋଦାମ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଥିବା ଆକଳନ କରାଯାଇଛି। ୭ଟି ଦମକଳ ପ୍ରାୟ ୫ ଘଣ୍ଟା କାଳ ନିଆଁ ଲିଭା ଫୋମ୍‌ ଓ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟକୁ ଏକ ଗୋଦାମର ୩ କର୍ମଚାରୀ ନିଆଁ ଘେରରେ ଫସିଯାଇଥିଲେ ହେଁ କୌଣସି ଅଘଟଣ ଘଟିବା ପୂର୍ବରୁ ଅଗ୍ନିଶମବାହିନୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଏହି ବିଲ୍‌ଡିଂର ଚତୁର୍ଥ ମହଲାରେ ଗୋଟିଏ ରେସ୍ତୋରାଁ, ୨ଟି ଜୋତା ଗୋଦାମ, ଗୋଟିଏ ତେଜରାତି ଗୋଦାମ, ଗୋଟିଏ ଘଣ୍ଟା ଗୋଦାମ ଓ ଗୋଟିଏ ବିଭିନ୍ନ ଉତ୍ପାଦ ଗୋଦାମ ରହିଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ପ୍ରଥମେ ଉତ୍ପାଦ ଗୋଦାମରୁ ଧୀରେଧୀରେ ଧୂଆଁ ବାହାରିଥିଲା। ଚାହୁଁଚାହୁଁ ପ୍ରବଳ ଧୂଆଁ ବାହାରିଲା ଏବଂ ପାଖ ଗୋଦାମ ଭିତରୁ ବି ଧୂଆଁ ବାହାରିଲା। ଏହାପରେ ନିଆଁର ଶିଖା ବାହାରକୁ ଦେଖାଗଲା। କର୍ମଚାରୀମାନେ ତଳମହଲା ସବୁକୁ ଏହି ଅଗ୍ନିକାଣ୍ଡ ବାବଦରେ ଜଣାଇବା ସହ ଦମକଳ କାର୍ଯ୍ୟାଳୟକୁ ଫୋନ୍‌ କରିଥିଲେ। ଏହା ଭିତରେ ନିଆଁ ଗୋଟିକ ପରେ ଗୋଟିଏ କରି ୭ ଗୋଦାମକୁ ବ୍ୟାପି ଯାଇଥିଲା। ଅବଶ୍ୟ ସେତେବେଳକୁ ରୋସ୍ତୋରାଁ ଓ ଅନ୍ୟାନ୍ୟ ଗୋଦାମ ଛାଡ଼ି ସମସ୍ତେ ତଳକୁ ପଳାଇଥିଲେ। ସମଗ୍ର ଚତୁର୍ଥ ମହଲା ଜଳୁଥିବା ବେଳେ ଭୁବନେଶ୍ବର ଓ କଟକରୁ ୭ଟି ଦମକଳ ବାହିନୀ ପହଞ୍ଚିଥିଲା। କେହି ନିଆଁରେ ଫସିରହିଥିବା ସନ୍ଦେହ କରି ଲିଫ୍‌ଟ କ୍ରେନ୍‌ ଫାୟାର୍‌ ସେଫ୍‌ଟି ଭ୍ୟାନ୍‌ ପହଞ୍ଚିଥିଲା। ସତକୁ ସତ ଜୋତା ଗୋଦାମ ନିକଟରେ ୩ ଜଣ କର୍ମଚାରୀ ରହିଯାଇଥିଲେ। ସେମାନଙ୍କୁ ଲମ୍ବା ଶିଡ଼ି ଦ୍ବାରା ତଳକୁ ଅଣାଯାଇଥିଲା। କିନ୍ତୁ ନିଆଁ ଲିଭାଇବାକୁ ଅଗ୍ନିଶମବାହିନୀକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ବିଭିନ୍ନ ଗୋଦାମ ଓ ବିଲ୍‌ଡର୍ସ କାର୍ଯ୍ୟାଳୟର ଇଣ୍ଟେରିୟର୍‌ରେ ଲାଗିଥିବା ପ୍ଲାଷ୍ଟିକ୍‌, ରେକ୍‌ସିନ୍‌, ଲେଦର୍‌, ପ୍ଲାଏଉଡ୍‌ ଏବଂ ତେଜରାତି, ଉତ୍ପାଦ ଗୋଦାମରେ ଗଚ୍ଛିତ ତେଲ ଭଳି ସାମଗ୍ରୀରେ ନିଆଁ ଲାଗିବାରୁ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ୭ ଦମକଳର ୨୫ କର୍ମଚାରୀଙ୍କ ପ୍ରାୟ ୫ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଅଗ୍ନିଶମ ବାହିନୀର ଜଣେ ଅଧିକାରୀଙ୍କ ସୂଚନାନୁସାରେ ନିଆଁ ଅଣ୍ଡର ୱେୟାରିଂ ଦେଇ ସବୁ ଗୋଦାମକୁ ବ୍ୟାପି ଯାଇଥିଲା। ତେଣୁ ଏହା ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର