ପ୍ରଥମଥର ପାଇଁ ରାଜ୍ୟରେ ଦୃଷ୍ଟିବାଧିତଙ୍କ ଲାଗି ଯୁକ୍ତ ଦୁଇ କଲେଜ ଖୋଲାଯିବ

ଦୃଷ୍ଟିବାଧିତ କୃତୀ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ଦୃଷ୍ଟିବାଧିତଙ୍କ ଲାଗି ଯୁକ୍ତ ଦୁଇ କଲେଜ ଜୁଲାଇ ୩ ତାରିଖରେ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରିଛନ୍ତି। ରବିବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଲୁଇସ୍‌ ବ୍ରେଲି ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଏହା କହିଛନ୍ତି। ସେ କହିଥିଲେ ଯେ ଦୃଷ୍ଟିବାଧିତମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି ଏବଂ ତାହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି। ଦୃଷ୍ଟିବାଧିତଙ୍କ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସକୁ ବୃଦ୍ଧି କରାଗଲେ ସେମାନେ ମଧ୍ୟ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ। ଏହି ଅବସରରେ ବିଧାୟକ ଶ୍ରୀ ଜେନା ୧୦ମ ଶ୍ରେଣୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶାର ପ୍ରତ୍ୟେକ ଦୃଷ୍ଟିବାଧିତ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସଭାରେ ଅଧ୍ୟକ୍ଷତା କରି ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିରୀଶ ଚନ୍ଦ୍ର ଦାସ ଦୃଷ୍ଟିବାଧିତମାନଙ୍କର ମନୋଭାବ ଅତ୍ୟନ୍ତ ଦୃଢ଼ ବୋଲି କହିଥିଲେ। ସମ୍ମାନିତ ଅତିଥି ଜୟଦେବବିହାର ବିକାଶ ପରିଷଦର ସଭାପତି ମିହିର ରଂଜନ ରଥ କହିଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରି ସେମାନଙ୍କୁ ସମାଜସେବା କ୍ଷେତ୍ରକୁ ପ୍ରବେଶ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବା ଉଚିତ। ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି କହିଲେ, ଦୃଷ୍ଟିବାଧିତମାନଙ୍କୁ ଦୟା ନ ଦେଖାଇ ସେମାନଙ୍କର ପ୍ରାପ୍ୟ ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ସୃଷ୍ଟି କରାଗଲେ, ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିପାରିବେ।

ଏହି ଅବସରରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଆଶାଲତା ମହାପାତ୍ର ଏବଂ ଦୃଷ୍ଟିହୀନ ସମାଜସେବୀ ବିନୋଦ ବିହାରୀ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଦୃଷ୍ଟିବାଧିତ ପ୍ରଫୁଲ୍ଲ ରାଉତ, ସହଦେବ ଦାସ, ସୁଧାଂଶୁ କୁମାର ବଳ ଓ ଶରତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଭୀମଭୋଇ ସ୍କୁଲର ଶିକ୍ଷକ ମୁରଲୀଧର ବେହେରା ଧନ୍ୟବାଦ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଯୁଧିଷ୍ଠିର ସାହୁ ନିଜର ବ୍ୟକ୍ତିଗତ ପେନସନ୍‌ ଅର୍ଥରେ ୭୦ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପକରଣ ଓ ବ୍ରେଲି ସଂରଜାମ ଯୋଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା କରିବା ଏବଂ କରୋନା ସଂକ୍ରମଣ ସମୟରେ ପ୍ରବାସୀ ଫେରନ୍ତାଙ୍କ ଲାଗି ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର