‌ଫୋନ ଇନ ପ୍ଲିଜ: ମଣିପୁର ହିଂସାରେ ବହୁ ଧନ ଜୀବନ କ୍ଷତି

ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରୁନାହାନ୍ତି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ଏଥିରେ ଜାଣିଶୁଣି ହସ୍ତକ୍ଷେପ କରିବାକୁ ଚାହୁନାହିଁ। ଫଳରେ ହିଂସା ବଢ଼ୁଛି। ଅକାରଣରେ ଗୁଡ଼ାଏ ଧନଜୀବନ ନଷ୍ଟ ହେଉଛି। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ’‌ରେ ଭାଗ ନେଇଥିବା ବ୍ରହ୍ମପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

ମଣିପୁର ହିଂସା ରୋକିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ତେବେ ସ୍ଥାନୀୟ ଜନସାଧାରଣ ଏଥିରେ ସହଯୋଗ କଲେ ସେନା ହିଂସା ରୋକିବାରେ ସହାୟକ ହୋଇପାରିବ।
-ପ୍ରଫୁଲ୍ଲ ପାଣିଗ୍ରାହୀ, ପାରଳାଖେମୁଣ୍ଡି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସଫଳ ହୋଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ତ୍ବରିତ ପଦକ୍ଷେପ ମଧ୍ୟ ନେଉଛି। କିନ୍ତୁ କିଛି ରାଜନୈତିକ ଦଳର ନେତା ପୀଡ଼ିତଙ୍କୁ ଭେଟିବା ନାଁରେ ସେଠାକୁ ଗସ୍ତ କରି ହିଂସାକୁ ଉସୁକାଇବା ସ୍ଥିତି ସୃଷ୍ଟି କରୁଛନ୍ତି।
-ବି.ପ୍ରକାଶ ରାଓ, ଚିକଲଖଣ୍ଡି

ଦୁଇମାସ ହେଲା ମଣିପୁରରେ ହିଂସା ଥମିବାର ନାଁ ନେଉନି। ଉଭୟ ମଣିପୁର ସରକାର ଓ କେନ୍ଦ୍ର ସରକାର ଏନେଇ ନିରବ ହୋଇ ବସିଛନ୍ତି କହିଲେ ଚଳେ। ‌ତେଣୁ ସର୍ବଦଳୀୟ କମିଟି ପଠାଇ ମଣିପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଜରୁରି।
-କାମରାଜୁ ଗୌଡ଼, ଦେଉଳପଲ୍ଲୀ

ଦୁଇମାସ ହେଲା ମଣିପୁର ଜଳୁଛି। ହେଲେ କେନ୍ଦ୍ର ସରକାରଙ୍କ ଏଥିପ୍ରତି ସାମାନ୍ୟତମ ତତ୍ପରତା ଥିବା ପରି ମନେହେଉନି। ଖୋଦ ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟଦେଶରେ ଚାଲିଥିବା ହିଂସାକୁ ରୋକିବାର ଅସ୍ତ୍ର ଭାବେ ଚିତ୍ରଣ କରାଯାଉଛି। ଅଥଚ ସେ ନିଜ ଦେଶ ଭିତରେ ଏକ ରାଜ୍ୟରେ ଚାଲିଥିବା ହିଂସା ଉପରେ ରୋକ୍ ଲଗାଇବାରେ ବିଫଳ। ତେଣୁ ଏଥିପ୍ରାଇଁ କେନ୍ଦ୍ର ସରକାର ଦାୟୀ।
-ଏନ୍. ନୀଳମାଧବ ପାତ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର