ନୀଳାଦ୍ରି ବିଜେରେ ଏକାଠି ହେଲେ ବୁଦ୍ଧିଜୀବୀ ଓ ରାଜନେତା: ବେଦାନ୍ତ ଅଧିଗୃହୀତ ଜମି ସହ ସ୍ବତ୍ବ ଫେରାଅ

ଏକର ପିଛା ୧୦ ଲକ୍ଷ କ୍ଷତିପୂରଣ ଦିଅ

ଭୁବନେଶ୍ବର: ପୁରୀ-କୋଣାର୍କ ବେଳାମାର୍ଗରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ୮ ହଜାର ଏକର ଜମି ଅଧିଗ୍ରହଣ ହୋଇଥିବା ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିବା ସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନାଦେଶ ମଧ୍ୟ କରିଛନ୍ତି। ଏ ଦୃଷ୍ଟିରୁ ସମସ୍ତ ଜମି ଏହାର ପ୍ରକୃତ ମାଲିକ ଯଥା ଚାଷୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ରାଜ୍ୟ ସରକାରଙ୍କୁ ଏକର ପ୍ରତି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ହିସାବରେ ପ୍ରଦାନ କରି ମାଲିକାନା ସ୍ବତ୍ବ ଫେରାଇବାକୁ ଦାବି ହୋଇଛି।

ଆଜି ପୂର୍ବାହ୍ନରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧ ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୁଦ୍ଧିଜୀବୀ ଓ ରାଜନେତା ସମ୍ମିଳନୀରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜୟ ମହାପାତ୍ର, ଭଜମନ ବେହେରା, ପଞ୍ଚାନନ କାନୁନ୍‌ଗୋ, ବିଧାୟକ ମହମ୍ମଦ ମୁକିମ୍, ଦେବୀପ୍ରସାଦ ପୃଷ୍ଟି, ରାମକୃଷ୍ଣ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାୟକ, ପ୍ରତାପ ଶତପଥୀ, ନରେନ୍ଦ୍ର ମିଶ୍ର, ଶିବାନନ୍ଦ ରାୟ, ଦାମୋଦର ପ୍ରଧାନ, ବିଷ୍ଣୁପ୍ରସାଦ ମିଶ୍ର ପ୍ରମୁଖ ଏହି ଦାବି କରିଛନ୍ତି। ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ରବି ଦାସ, କୃଷ୍ଣା ମହାନ୍ତିଙ୍କର ମିଳିତ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ଆଗାମୀ ଦିନରେ ପୁରୀ ବେଲଦଳଠାରେ ଏକ ବିରାଟ ଜନସମ୍ମିଳନୀ କରାଯାଇ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଜନନେତ୍ରୀ ମେଧା ପାଟକରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ସଭାପତି ଶ୍ରୀ ରଥ ଘୋଷଣା କରିଥିଲେ।
ନିରଞ୍ଜନ ପଟ୍ଟନାୟକ ବେଦାନ୍ତ ଜମି ଲୁଟ୍ ମହାକେଳଙ୍କାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ଦେ ପ୍ରମୁଖ ସମପରିମାଣରେ ଦୋଷୀ ବୋଲି ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଥିବା କହିଥିଲେ। ସାଧାରଣ ଲୋକଙ୍କର ଜମି ଧ୍ୱଂସ କରିବା ପରେ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅମୃତମଣୋହି ଜମି ହଡ଼ପ କରିବା କେଳେଙ୍କାରୀରେ ସାମିଲ ହେବା ସମସ୍ତ ଓଡ଼ିଶାବାସୀ ଓ ବିଶ୍ବର ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଲଜ୍ଜା ଓ ଏକ ଆହ୍ବାନ ବୋଲି ସେ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି ବର୍ଣ୍ଣନା କରି ବିଜୟ ମହାପାତ୍ର କହିଥିଲେ, ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧ ସଂଘର୍ଷ ସମିତିର ୧୭ ବର୍ଷର ନିରବଚ୍ଛିନ୍ନ ଗଣ ଆନ୍ଦୋଳନର ସଫଳତା ଓ ବିଜୟ ଭବିଷ୍ୟତ ପିଢ଼ି ପାଇଁ ଏକ ଐତିହାସିକ ଦସ୍ତାବିଜ୍ ହୋଇ ରହିବ।

ପୁରୀ ଆସିବେ ପ୍ରଶାନ୍ତ ଭୂଷଣ, ମେଧା ପାଟକର
ଆଗାମୀ କାର୍ଯ୍ୟପନ୍ଥା ପାଇଁ କମିଟି ଗଠିତ

ସଭାପତି ଶ୍ରୀ ରଥ ୨୦୦୬ରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲଢ଼େଇର ଅବତାରଣା କରିଥିଲେ। ପ୍ରଫୁଲ୍ଲ ସାମନ୍ତରା ସୁପ୍ରିମକୋର୍ଟଙ୍କର ଏହି ରାୟ କମ୍ପାନି ପ୍ରେମରେ ଉବୁଟୁବୁ ବିଭିନ୍ନ ସରକାରଙ୍କ ପ୍ରତି ଏକ ଚେତାବନୀ ବୋଲି ପ୍ରକାଶ କରିଥିଲେ। ପଞ୍ଚାନନ କାନୁନ୍‌ଗୋ ବିଜେଡି ବିଜେପି ସରକାର ପ୍ରାୟୋଜିତ ବେଦାନ୍ତ ଜମି କେଳେଙ୍କାରୀ ବିଶ୍ୱର ସର୍ବବୃହତ୍ ଜମି ଦୁର୍ନୀତି ବୋଲି କହିଥିଲେ। ବିଧାୟକ ମୁକିମ୍ ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିବା ଲଢ଼େଇ ସାରା ରାଜ୍ୟକୁ ବ୍ୟାପିବ ଓ ଏଥ‌ିପାଇଁ ବୁଦ୍ଧିଜୀବୀ ସମ୍ମିଳନୀରେ ପ୍ରତ୍ୟେକ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଦେବୀପ୍ରସାଦ ପୃଷ୍ଟି ସ୍ୱାଗତ ଭାଷଣ ଓ ବିଷ୍ଣୁପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରଦୀପ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ବେହେରା, ବିଜେପି ନେତ୍ରୀ ସୀମନ୍ତିନୀ ଜେନା, କୃଷକ ନେତା ଦିଲ୍ଲୀପ ସାହୁ, ଅଶୋକ ପ୍ରଧାନ, ନଳିନୀ ପତି, ଦେବରାୟ ମହାପାତ୍ର, ଚିତ୍ତରଂଜନ ମହାନ୍ତି, ସୁଧୀର ମହାନ୍ତି, ସୁଧୀର ପଟ୍ଟନାୟକ, ଜ୍ୟୋତି ମହାପାତ୍ର, ଅରୁଣ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ହଂସଦା, ନରେନ୍ଦ୍ର ମହାନ୍ତି, ରଙ୍ଗା ଚରଣ ପ୍ରଧାନ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି, ଅନୀଲ ଧୀର, ବିଜୟ ପରିଡ଼ା ପ୍ରମୁଖ ଭାଗ ନେଇଥିଲେ। ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଓ ବିଶିଷ୍ଟ ଜନନେତ୍ରୀ ମେଧାପାଟକରଙ୍କର ବାର୍ତ୍ତା ଓ ସମର୍ଥନ ସନ୍ଦେଶ ପାଠ କରାଯାଇଥିଲା। ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସ୍ୱର୍ଗତ ଜୟନ୍ତ ଦାସ, ସଂଜୟ ପାରିକ, ଚିନ୍ମୟ ମିଶ୍ର ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଆନ୍ଦୋଳନର ପ୍ରଚ୍ଛଦପଟ୍ଟରେ ଥ‌ିବା ଦିବଂଗତ ଦ୍ବାରିକା ମୋହନ ମିଶ୍ର, ବରେନ୍ଦ୍ରକୃଷ୍ଣ ଧଳ ଓ ବେଣୁଧର ପ୍ରଧାନ, ଭବାନୀ ଚରଣ ପଟ୍ଟନାୟକ ପ୍ରମୁଖଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧିତ ଖବର