ମୋ ବସ୍‌ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଦ୍ଵାରା ପରିଚାଳିତ ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ ଚଳନ୍ତା ବସ୍‌ଗୁଡ଼ିକର ଟ୍ରାକିଂ ଏବଂ ବସ୍ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପ୍‌କୁ ବ୍ୟବହାର କରି ଯାତ୍ରୀମାନେ ଅନ୍‌ଲାଇନ୍ ଟିକେଟ୍ ଏବଂ ପାସ୍ କରିବା ସହିତ ଏହାର ନବୀକରଣ କରିପାରିବେ । ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍‌ର ଉଭୟ ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ୍ ଭର୍ସନ ଉନ୍ମୋଚନ ହୋଇଛି । ଯେଉଁଥିରେ ଯାତ୍ରୀମାନେ ମୋ ବସ୍ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍ ବିଷୟରେ ସେଥିରୁ ଜାଣିପାରିବେ । ଏହି ନୂତନ ଆପ୍ ମାଧ୍ୟମରେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍ ବୁକ୍ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ । ବସ୍ ପହଞ୍ଚିବା ପୁର୍ବରୁ ମୋ ବସ୍ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌ରେ ବସ୍ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ । ତା ସହିତ ଆପଣ ଆପଣଙ୍କ ଚର୍ତୁପାଶ୍ୱର୍ରେ ଉପସ୍ଥିତ ବସ୍ ମାନଙ୍କୁ ଦେଖିପାରିବେ ।

ଆପଣଙ୍କ ସହର ଓ ନିଜ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ । ଏହି ଅବସରରେ ଭୁବନେଶ୍ୱର ଉନ୍ନୟନ କମିଶନର୍‌, ଅତିରିକ୍ତ ଶାସନ ସଚିବ ଏବଂ କ୍ରୁଟ୍ ଅଧ୍ୟକ୍ଷା ଦାୟିତ୍ୱରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତି ଅନୁ ଗର୍ଗ କହିଛନ୍ତି ଯେ, “ବର୍ତ୍ତମାନ ଯାତ୍ରୀମାନେ ଏହି ନୂତନ ଆପ୍ ବ୍ୟବହାର କରି ସେମାନଙ୍କ ବସ୍ ଆଗମନର ଲାଇଭ୍ ଟ୍ରାକିଂ ତଥା ମୋ ବସ୍ ସେମାନଙ୍କ ଷ୍ଟପେଜ୍‌ରେ ପହଞ୍ଚିବାର ବାସ୍ତବିକ ସମୟ ଜାଣିବା ସହିତ ଆଗାମୀ ଯାତ୍ରାର ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ।” ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଶ୍ରୀ ଜି.ମାଥୀ ଭାଥନନ୍ କହିଛନ୍ତି ଯେ “ନୂତନ ମୋବାଇଲ୍ ଆପ୍ ଏବଂ ମୋ ବସ୍ କାର୍ଡ ପ୍ରମୋସନାଲ ଅଫର ଡିଜିଟାଲ୍ ପେମେଣ୍ଟକୁ ଆହୁରି ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ନିରନ୍ତର ଯାତ୍ରା ସୁନିଶ୍ଚିତ କରିବ ।”

ଶ୍ରୀମତି ଗର୍ଗ ମୋବାଇଲ୍ ଆପ୍ ଉନ୍ମୋଚନ ସହିତ ପୂର୍ବରୁ ଆରମ୍ଭ ହୋଇଥିବା ମୋ ବସ୍ କାର୍ଡ଼ର ଏକ ନୂଆ କାର୍ଡ଼ ସହିତ ସ୍ୱତନ୍ତ୍ର ଅଫର୍ ମଧ୍ୟ ଘୋଷଣା କରିଛନ୍ତି । ୫୦ ଟଙ୍କା ଦେଇ କାର୍ଡ଼ କ୍ରୟ କରିବା ପରେ, ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଏବଂ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୫୦ ପ୍ରତିଶତ ଲାଭାଂଶ ମୂୂଲ୍ୟ ସହିତ କାର୍ଡ଼ ପାଇପାରିବେ । ଉଦାହରଣ ୫୦୦ ଟଙ୍କାରେ ଯାତ୍ରୀଙ୍କୁ ୭୦୦ ଟଙ୍କା ମୂଲ୍ୟର କାର୍ଡ଼ ମିଳିବା ସମୟରେ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୧୫୦୦ ଟଙ୍କା ମୁଲ୍ୟର କାର୍ଡ଼ ପାଇପାରିବେ । ଏହି ସ୍ୱତନ୍ତ୍ର ଅଫର୍ ମାର୍ଚ୍ଚ ୧ ତାରିଖରୁ ସୀମିତ ସମୟ ପାଇଁ ବିକ୍ରୟ ହେବ । ମୋ ବସ୍‌ର ପ୍ରତିଟି ରୁଟ୍‌ରେ ଗାଇଡ଼୍‌ମାନଙ୍କଠୁ କିମ୍ବା ମାଷ୍ଟର୍‌କାଣ୍ଟିନ୍ ବସ୍ ଟର୍ମିନାଲ୍ ଏବଂ ପଟିଆ ମୋ ବସ୍ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏହି ନୂତନ ମୋ ବସ୍ କାର୍ଡ଼ କ୍ରୟ କରିପାରିବେ । କଟକ ନେତାଜୀ ବସ୍ ଟର୍ମିନାଲ୍ ଏବଂ ରାଉର୍‌କେଲା ବସ୍ ଷ୍ଟାଣ୍ଡ୍‌ରେ ମଧ୍ୟ ଏହା ବିକ୍ରୟ ହେବ ।

ସମ୍ବନ୍ଧିତ ଖବର