ଆଜି ବି ଆଁ କରିଛି ମୁକୁଳା ଡ୍ରେନ୍‌: ପଥଚାରୀଙ୍କୁ ପାଦେପାଦେ ବିପଦ

ଭୁବନେଶ୍ୱର: ହୋଟେଲ ୱେଲକମ୍‌ ସମ୍ମୁଖ ମୁକୁଳା ଡ୍ରେନ୍‌ରେ ହକି ବିଶ୍ବକପ୍‌ ପାଇଁ ଆସିଥିବା କୋରିଆ ଫଟୋ ସାମ୍ବାଦିକ ଗଳି ପଡ଼ିବା ପରେ ଜୋରସୋର୍‌‌ରେ ତନାଘନା ହେଲା। ରାତି ଅଧିଆ ନାଳ ଆଗରେ ବାଡ଼ ବାନ୍ଧି ଦିଆଗଲା। କିନ୍ତୁ ଏବେ ବି ରାଜଧାନୀରେ ବହୁ ଡ୍ରେନ୍‌ ମୁକୁଳା ପଡ଼ିଛି। କିନ୍ତୁ ଏତେ ପରେ ବି ବିଏମ୍‌ସିର ନିଦ ଭାଙ୍ଗିନି। ଆଜି ବି ବହୁ ଡ୍ରେନ୍‌ ସେମିତି ଆଁ କରି ଚାହିଁଛି। ପଥଚାରୀଙ୍କ ପାଇଁ ପାଦେପାଦେ ବିପଦ ଛକି ରହିଛି।
ଏହି ମୁକୁଳା ଡ୍ରେନ୍‌ ପାଇଁ ଅତୀତରେ ନୂଆପଲ୍ଲୀ ଦେବରାୟ କଲେଜ ନିକଟରେ ଏବଂ ବରମୁଣ୍ଡା ନିକଟ ସୌଭାଗ୍ୟନଗର ଅଞ୍ଚଳରେ ପୃଥକ୍‌ ପୃଥକ୍‌ ଅଘଟଣରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମିତି ପଳାସୁଣୀ ଓ ୟୁନିଟ୍‌-୬ ଅଞ୍ଚଳରେ ମୁକୁଳା ଡ୍ରେନ୍‌ରେ ପଡ଼ି ଦୁଇ ଜଣ ଭାସିଯାଇ ପ୍ରାଣ ହରାଇଛନ୍ତି। ଏସବୁ ଅଘଟଣ ପରେ ବହୁ ତମ୍ବିତୋଫାନ ହୁଏ ଏବଂ ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବାକୁ ବଡ଼ବଡ଼ ପ୍ରତିଶ୍ରୁତି ଦିଆଯାଏ। କିନ୍ତୁ ସେ ସବୁ ସମସ୍ୟାର ସମାଧାନ ହୁଏ ନାହିଁ।

ବିଡ଼ମ୍ବନାର କଥା, ଗତବର୍ଷ ଡ୍ରେନ୍‌ରେ ପଡ଼ି ଯେଉଁ ବରମୁଣ୍ଡା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିଲା, ସେହି ଅଞ୍ଚଳର ଅଧିକାଂଶ ସ୍ଥାନରେ ଡ୍ରେନ୍ ଆଁ କରି ରହିଛି। ସ୍ଲାବ୍‌ ପଡ଼ି ନଥିବାରୁ ମୁକୁଳା ଡ୍ରେନ୍‌ ପଥଚାରୀଙ୍କ ପାଇଁ ବିପଦର କାରଣ ହୋଇ ରହିଛି। ବଡ଼ କଥା ହେଉଛି, ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଡ୍ରେନ୍‌ ମୁକୁଳା ପଡ଼ିଛି। ଓଭର୍‌ବ୍ରିଜ୍‌ର ଉଭୟ ପାର୍ଶ୍ୱଠୁ ଆରମ୍ଭ କରି ମୁଖ୍ୟ ରାସ୍ତାକଡ଼ ଡ୍ରେନ୍‌ ମୁକୁଳା ରହିଛି। ସେଠାରେ ଥିବା ମୋ’ ବସ୍‌ଷ୍ଟପ୍‌ ନିକଟରେ ପ୍ରାୟ ୧୫ମିଟର ଲମ୍ବର ଡ୍ରେନ୍‌ ମୁକୁଳା ଅଛି। ବସ୍‌ ଆସିବା ସମୟରେ ଭିଡ଼ ଯୋଗୁଁ ଡ୍ରେନ୍‌ ଭିତରକୁ ଖସିପଡ଼ିବାର ଆଶଙ୍କା ରହୁଛି। ପୂର୍ବରୁ ଏମିତି ଅଘଟଣ ଘଟିଛି ମଧ୍ୟ।

ସ୍ଥାନୀୟ ଲୋକଙ୍କ କହିବା କଥା, ଅଭିଯୋଗ ହେବା ପରେ ଅଧିକାରୀମାନେ ଆସି ଫଟୋ ଉଠାଇନେଲେ, କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ସେହିପରି ନୂଆପଲ୍ଲୀ ବେହେରା ସାହିର ଅଧିକାଂଶ ସ୍ଥାନରେ ଡ୍ରେନ୍‌ ଖୋଲା ରହିଛି। କିଛି ସ୍ଥାନରେ ଡ୍ରେନ୍‌ ଉପରେ ଲୋକମାନେ ନିଜ ଖର୍ଚ୍ଚରେ ସ୍ଲାବ୍‌ ପକାଇ ଦୋକାନ କରି ଜବରଦଖଲ କଲେଣି। ସେହିଭଳି କିଛି ସ୍ଥାନରେ ଲୋକମାନେ ନିଜ ଖର୍ଚ୍ଚରେ ଡ୍ରେନ୍‌ ଉପରେ କାଠପଟା ପକାଇ ଯିବା ଆସିବା କରୁଛନ୍ତି। ସେହିଭଳି ୫୦ ନମ୍ୱର ଵାର୍ଡସ୍ଥିତ ପାଇକନଗରରେ ଡ୍ରେନ୍ ଅବସ୍ଥା ବିପଜ୍ଜନକ ସ୍ଥିତିରେ। ବହୁ ସ୍ଥାନରେ ଡ୍ରେନ୍‌ ମୁକୁଳା ପଡ଼ିଛି। ଏହି ଅଞ୍ଚଳ ଦେଇ ସହରର ବଡ଼ ଡ୍ରେନ୍ ୮(ଏ) ଯାଇଛି। ଏହି ଡ୍ରେନ୍‌ରେ ଗାର୍ଡ ୱାଲ୍‌ ନିର୍ମାଣ ହେବା କଥା, ମାତ୍ର ହୋଇପାରିନାହିଁ। ଏଜି କଲୋନି ନିକଟରେ୍ ମଧ୍ୟ ଅଧିକାଂଶ ଡ୍ରେନ୍‌ରେ ସ୍ଲାବ୍‌ ନାହିଁ। ୟୁନିଟ୍‌-୮, ଭିଏସ୍‌ଏସ୍‌ନଗର, ଲକ୍ଷ୍ମୀସାଗର, ତପୋବନ, ଖଣ୍ଡଗିରି ଆଦି ଅଧିକାଂଶ ସ୍ଥାନରେ ମଧ୍ୟ ଡ୍ରେନ୍‌ ମେଲା ପଡ଼ିଛି। ବହୁ ରାଜଧାନୀବାସୀଙ୍କ କ୍ଷୋଭ ଯେ ହକି ବିଶ୍ୱକପ୍‌ ପାଇଁ ରାଜଧାନୀକୁ ଉପରଠାଉରିଆ ଭାବେ ସଜେଇବା କାମ ଚାଲିଥିବା ବେଳେ ମୁକୁଳା ଡ୍ରେନ୍‌ ଲୋକମାନଙ୍କ ପାଇଁ କାଳ ସାଜିଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସବୁ ଡ୍ରେନ୍‌ ଉପରେ ଏବେ ସ୍ଲାବ୍‌ ପକାଇବା କାମ ଚାଲିଛି। ଯେଉଁ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ିପାରିବ ନାହିଁ, ସେଠାରେ ଲୁହା ଜାଲି ବା ଗାର୍ଡ ୱାଲ୍‌ କରାଯିବ। ଖୁବ୍‌ ଶୀଘ୍ର ରାଜଧାନୀର ସବୁ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର