ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିନଥିବାରୁ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି। ଆସନ୍ତା ୧୮ ତାରିଖ ସୁଦ୍ଧା ଏହି ମାମଲାରେ ପୁଲିସ କମିସନର ଆୟୋଗଙ୍କ ନିକଟରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ କୁହାଯାଇଛି। ଯଦି ଏହି ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାନଯାଏ ତେବେ ଗୋଟିଏ ସପ୍ତାହ ପରେ ବା ୨୫ ତାରିଖରେ କମିସନର ବ୍ୟକ୍ତିଗତ ଭାବେ ଦିଲ୍ଲୀସ୍ଥିତ ଏନ୍ଏଚ୍ଆରସିରେ ହାଜର ହୋଇ ଉତ୍ତର ରଖିବେ ବୋଲି ଆୟୋଗଙ୍କ ପକ୍ଷରୁ ଜାରି ସମନରେ ଉଲ୍ଲେଖ ରହିଛି।
ଉଲ୍ଲେଖଯୋଗ୍ୟ, ୨୦୨୦ ଅକ୍ଟୋବର ୭ରେ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ସିଏନ୍ଜି ଟାଙ୍କି ମରାମତି ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। କେମିକାଲ୍ ରିଆକ୍ସନ ଯୋଗୁଁ ଏଭଳି ହୋଇଥିବା କୁହାଯାଇଥିଲା। ଏହି ବିସ୍ଫୋରଣରେ ମରାମତି କାମରେ ନିୟୋଜିତ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଘଟଣାସ୍ଥଳରୁ ୫ଶହ ମିଟର ପର୍ଯ୍ୟନ୍ତ ଦୂରରୁ ମିଳିଥିଲା।
ଏ ନେଇ କ୍ୟାପିଟାଲ ଥାନାରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟାଙ୍କିକୁ ସିଲ୍ କରାଯାଇଥିଲେ ମଧ୍ୟ କାହା ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏହାକୁ ନେଇ ମାନବ ଅଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏନ୍ଏଚ୍ଆର୍ସିର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପିଟିସନକୁ ବିଚାରକୁ ନେଇ କମିସନ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ। ଥରେ କିମ୍ବା ଦୁଇଥର ନୁହେଁ ବରଂ ବାରମ୍ବାର ରିପୋର୍ଟ ତଲବ କରିବା ପରେ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ସେଥିରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ, ଆହତଙ୍କୁ ଚିକିତ୍ସା, ଜରୁରିକାଳୀନ ପ୍ରସ୍ତୁତି ଭଳି ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଉଲ୍ଲେଖ ନଥିଲା। ଅନ୍ୟପଟେ ଏଚ୍ଆର୍ପିସି ଏସ୍ପି ରିପୋର୍ଟ ଦାଖଲ କରିଥିବା ବେଳେ ବାରମ୍ବାର ତଲବ ସତ୍ତ୍ବେ ଭୁବନେଶ୍ବର-କଟକ ପୁଲିସ କମିସନର ରିପୋର୍ଟ ଦାଖଲ କରିନଥିଲେ। ଏଣୁ ଆୟୋଗ ଏହି ସର୍ତ୍ତମୂଳକ ସମନ ଜାରି କରିଛନ୍ତି।