ରିଜର୍ଭ ବ୍ୟାଙ୍କରେ ୨୦୦୦ ଟଙ୍କିଆ ବଦଳାଉଥିବା ଲୋକଙ୍କ ତାଲିକା କଲା ଇଓଡବ୍ଲୁ

୪ ଦିନର ସିସିଟିଭି ଫୁଟେଜ୍‌ ଜବତ, ବାରମ୍ବାର ଆସୁଥିଲେ ହେବେ ଜେରା

ଭୁବନେଶ୍ବର: ଆର୍‌ବିଆଇରେ ଟଙ୍କା ବଦଳ ଘଟଣାକୁ ଇଓଡବ୍ଲୁ ଗୁରୁତର ସହ ନେଇଛି। କଳାଟଙ୍କା ବଦଳ ନେଇ ଚର୍ଚ୍ଚା ପରେ ଉଭୟ ଇଓଡବ୍ଲୁ ଓ ଇଡି ଆର୍‌ବିଆଇକୁ ଯାଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଥିଲେ। ଲମ୍ବା ଲାଇନ୍‌ରେ ଥିବା ଲୋକଙ୍କୁ ମଧ୍ୟ ପଚରା ଉଚରା କରିଥିଲେ। ଟଙ୍କା କାହାର? କିଏ ଟଙ୍କା ଦେଉଛି? ନା ନିଜ ଟଙ୍କା? ପଚରାଉଚରା ବେଳେ ଲାଇନ୍‌ରେ ଥିବା କିଛି ଲୋକଙ୍କ ବୟାନକୁ ନେଇ ଅଧିକାରୀମାନେ ସନ୍ଦେହ କରିଥିଲେ।

୪ଦିନର ସିସିଟିଭି ଫୁଟେଜ୍‌ ଜବତ
ବାରମ୍ବାର ଆସୁଥିଲେ ହେବେ ଜେରା
ବିଭିନ୍ନ ମହଲରେ ଛାନିଆ

ଟଙ୍କା ବଦଳ ପଛରେ ବ୍ୟବସାୟୀ, ରାଜନେତା, ପ୍ରଭାବଶାଳୀଙ୍କ ହାତଥିବା ଜଣାପଡ଼ିଥିଲା। ତେବେ ସେହି ପ୍ରଭାବଶାଳୀ, ବ୍ୟବସାୟୀ ଓ ରାଜନେତାମାନେ କିଏ, କେଉଁଠୁ ଏତେ ଟଙ୍କା ଆଣିଛନ୍ତି- ଏସବୁର ଖୋଳତାଢ଼ ପାଇଁ ଇଓଡବ୍ଲୁ ତଥ୍ୟ ଗୋଟାଇବା ଆରମ୍ଭ କରିଛି। ବୁଧବାର ଦିନ ଇଓଡବ୍ଲୁ ଟିମ୍‌ ଆର୍‌ବିଆଇରେ ତନାଘନା କରିଥିବା ବେଳେ ଆଜି ମଧ୍ୟ ଟିମ୍‌ ସେଠାରେ ପହଞ୍ଚିଥିଲା। ଆଉ ପାଦେ ଆଗକୁ ଯାଇ ଇଓଡବ୍ଲୁ ଟିମ୍‌ ବ୍ୟାଙ୍କର ୪ଦିନର ଦେଣ-ନେଣ ତଥ୍ୟ ହାତେଇଛି। ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ସହ ଆକାଉଣ୍ଟରେ ଜମା ଓ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ମାଗିଛି। ଯେଉଁ ଲୋକମାନେ ବାରମ୍ବାର ଟଙ୍କା ଜମା ବା ବଦଳ କରୁଥିବେ ସେମାନଙ୍କ ତାଲିକା କରାଯିବ। ଯଦି ଜମା ବା ବଦଳ ଅର୍ଥ ସ‌ନ୍ଦେହଜନକ ଥିବ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜେରା କରାଯିବ। ଇଓଡବ୍ଲୁର ଏଭଳି ତନାଘନା ପରେ ଏବେ ବିଭିନ୍ନ ମହଲରେ ଛାନିଆ ପଶିଛି।

ସମ୍ବନ୍ଧିତ ଖବର