ସୀତାରାମ ବସ୍ତିବାସିନ୍ଦାଙ୍କ ଦୁଃଖ : ଉଚ୍ଛେଦ କଣ୍ଟ ସାଙ୍ଗକୁ ଦାଉ ସାଧୁଛି ବର୍ଷା

ଖଣ୍ଡଗିରି : ୨୮ ତାରିଖକୁ ତାଗିଦ୍ କରିଯାଇଛି ଭୁବନେଶ୍ବର ମହାନଗର ନିଗମ। ସେଦିନ ହିଁ ନିଶ୍ଚୟ ବସ୍ତି ହଟିବ। ତେଣୁ ପିଲାଛୁଆ ଧରି କେଉଁଠି ମୁଣ୍ଡ ଗୁଞ୍ଜିବେ, ସେହି ଚିନ୍ତାରେ ପଡ଼ିଛନ୍ତି ୨୬ ପରିବାର। ମୁଣ୍ଡ ଉପରେ ବସ୍ତି ଉଚ୍ଛେଦର କଣ୍ଟକୁ ବଳେଇ ପଡ଼ିଛି ଲଗାଣ ବର୍ଷା। ଉଚ୍ଛେଦ ଡରରେ ମରାମତି କରୁନଥିବା ଚିରା ପଲିଥିନ୍‌ ଛାତରୁ ପାଣି ଗଳୁଛି। ତେଣୁ ଘର ସାରା ପାଣିରେ ଭାସୁଛି। ଆଜି କଷ୍ଟେମଷ୍ଟେ ଦିନ କାଟି ଦେଇଥିବା ଏହି ପରିବାରଗୁଡ଼ିକ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ରାତି କାଟିଛନ୍ତି।। ଏ ହେଉଛି ଖଣ୍ଡଗିରି ପର୍ଯ୍ୟଟନ ବ୍ୟାଖାନ କେନ୍ଦ୍ର ପାଚେରିକୁ ଲାଗି ରହିଥିବା ସୀତାରାମ ବସ୍ତିବ‌ାସିନ୍ଦାଙ୍କ ଦୁଃଖ। ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଖୁବ୍‌ଶୀଘ୍ର ଏହି ପର୍ଯ୍ୟଟନ ବ୍ୟାଖାନ କେନ୍ଦ୍ର ଉଦ୍‌ଘାଟନ ହେବାକୁ ଯାଉଛି। ତେଣୁ ପାଚେରିକୁ ଲାଗି ରହିଥିବା ସୀତାରାମ ବସ୍ତିକୁ ହଟାଇବା ପାଇଁ ବିଡିଏ ଓ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ହୋଇସାରିଛି।

ଚଳିତ ମାସ ୧ ତାରିଖରେ ଏହି ବସ୍ତି ଉଚ୍ଛେଦ ହେବାର ଥିଲା। ମାତ୍ର ଉଚ୍ଛେଦ ପୂର୍ବରୁ ଥଇଥାନ ଦାବିରେ ତୀବ୍ର ବିରୋଧ ହେବାରୁ ଦଶହରା ପରକୁ କଣ୍ଟ ଦେଇ ସ୍କ୍ବାଡ୍‌ ଫେରି ଯାଇଥିଲା। ଦଶହରା ପରେ ଅର୍ଥାତ୍ ୧୦ ତାରିଖରେ ପୁଣି ଜେସିବି ଧରି ବସ୍ତିରେ ପହଞ୍ଚିଥିଲା ଉଚ୍ଛେଦ ଟିମ୍‌। ଅନୁରୂପ ଭାବେ ସେଦିନ ମଧ୍ୟ ବିରୋଧ କରାଯାଇଥିଲା ଓ ବାଧ୍ୟ ହୋଇ ଉକ୍ତ ଟିମ୍‌ ବିନା କଣ୍ଟ ଦେଇ ଫେରି ଯାଇଥିଲା। କିନ୍ତୁ ଗତ ଦୁଇ ଦିନ ହେଲା ପୁଣି ଆସିଛି ନୋଟିସ୍। ୨୮ତାରିଖ ପୂର୍ବରୁ ବସ୍ତି ଛାଡ଼ିବାକୁ ତାଗିଦ୍ କରାଯାଇଛି। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସା‌ରେ, ସେମାନେ ପେଟପାଟଣା ପାଇଁ ମୂଲପାତି ପାଇବା ଆଶାରେ ଏହି ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜିଛନ୍ତି। ପାଣି ଓ ବିଜୁଳି ନଥି‌ଲେ ମଧ୍ୟ ସେମାନେ ଝୁମ୍ପୁଡ଼ିରେ ପଡ଼ି ରହିଛନ୍ତି। ଗରିବ ଲୋକ ବୋଲି କଷ୍ଟ ସହି ସେମାନେ ଏଭଳି ଦୟନୀୟ ଅବସ୍ଥାରେ ପିଲାଛୁଆଙ୍କୁ ଧରି ରାଜରାସ୍ତା ପାର୍ଶ୍ବରେ ବିପଜ୍ଜନକ ଭାବେ ବଞ୍ଚିଛନ୍ତି। ମାତ୍ର ବିଏମ୍‌ସି ସେମାନଙ୍କ ଥଇଥାନ କଥା ବିଚାର ନକରି ଉଚ୍ଛେଦ କରିବାକୁ ବାରମ୍ବାର ଧମକ ଦେଉଛି। ବିନା ଥଇଥାନ‌ରେ ଉଚ୍ଛେଦ କରାଗଲେ ସେମାନେ ବାସହରା ହେବା ତ ନିଶ୍ଚୟ, ତା’ ସହ ରାସନ୍ କାର୍ଡ ଖଣ୍ଡକ ମଧ୍ୟ ଯିବ। ତେଣୁ ସେମାନେ ଏହି ସ୍ଥାନ ଛାଡ଼ି ଯିବେ ନାହିଁ ବୋଲି ମନସ୍ଥ କରିଛନ୍ତି। ଅନ୍ୟପକ୍ଷରେ ଉଚ୍ଛେଦ ଭୟ ଲାଗି ରହିଥିବାରୁ ସେମାନେ ଝୁମ୍ପୁଡ଼ିର ଚିରା ପଲିଥିନ୍ ଛାତକୁ ମରାମତି କରିପାରୁନାହାନ୍ତି। ତେଣୁ ଆଜି ଦିନତମାମ ସେମାନେ ବଡ଼ କଷ୍ଟରେ ସମୟ କାଟିଛନ୍ତି। ଛୋଟ ପିଲାଗୁଡ଼ାକୁ ବର୍ଷାରେ ଭିଜିଛନ୍ତି। ଲୁଗାପଟା ପ୍ରାୟ ସବୁ ଓଦା। ଗ୍ୟାସ୍ ନଥିବା ଲୋକଙ୍କ ଘରେ ଆଜି ଚୁଲୀ ଜଳିନି ବୋଲି ସେମାନେ କହିଛନ୍ତି। ତେଣୁ ଏଭଳି ଅବସ୍ଥାରେ ଯଦି ସତକୁ ସତ ୨୮ତାରିଖରେ ବସ୍ତି ଉଚ୍ଛେଦ କରାଯାଏ, ତେବେ ସେମାନେ ସମୂହ ଆତ୍ମାହୁତି ଦେବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର