ପାଞ୍ଚ ଦିନିଆ କାର୍ଯ୍ୟଦିବସ ପ୍ରସ୍ତାବ ଖାରଜ, ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୨% ବଢ଼ିପାରେ

ନୂଆଦିଲ୍ଲୀ: ସପ୍ତାହରେ ପାଞ୍ଚ ଦିନିଆ କାର୍ଯ୍ୟଦିବସ ଲାଗି ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ବ୍ୟାଙ୍କ କର୍ତ୍ତୃପକ୍ଷମାନଙ୍କ ସଂଘ ‘ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)’ ଖାରଜ କରିଦେଇଛି। ସମସ୍ତଙ୍କ ପାଖରେ ଆର୍ଥିକ ‌ସେବା ପହଞ୍ଚାଇବା ଲାଗି ସମସ୍ତେ ମିଳିମିଶି କାର୍ଯ୍ୟ କରୁଥିବାରୁ ଏହି ପ୍ରସ୍ତାବ ଲାଗୁ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ ବୋଲି ଆଇବିଏ ତରଫରୁ କୁହାଯାଇଛି। ବେତନରେ ୧୨%ରୁ ଅଧିକ ବୃଦ୍ଧି ନେଇ ଆଇବିଏ ଅକ୍ଷମତା ପ୍ରକାଶ କରିଛି। ବେତନ ୧୨% ବଢ଼ିଲେ ସରକାରୀ ବ୍ୟାଙ୍କଗୁଡ଼ିକ ବାର୍ଷିକ ବ୍ୟୟଭାର ୬୩୦୦ କୋଟି ଟଙ୍କା ବଢ଼ିଯିବ ବୋଲି ଆଇବିଏ କହିଛି।

ସପ୍ତାହରେ ପାଞ୍ଚ ଦିନିଆ କାର୍ଯ୍ୟଦିବସ ଲାଗୁ କରିବାକୁ ଦୀର୍ଘ ଦିନରୁ ବ୍ୟାଙ୍କ କର୍ମଚାରୀ ସଂଘ ଦାବି କରୁଛି। ୨୦୧୫ ସେପ୍ଟେମ୍ବର ପରଠାରୁ ବ୍ୟାଙ୍କ ଶାଖାଗୁଡ଼ିକୁ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରଖିବାକୁ ଆଇବିଏ ନିଷ୍ପତ୍ତି ନେଇଥିଲା। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର ସଂଘର ସାଧାରଣ ସମ୍ପାଦକ ଏସ୍‌ ନାଗରାଜ କହିଛନ୍ତି ଯେ, ଦୁଇଟି ଦୃଷ୍ଟିରୁ ପାଞ୍ଚଦିନିଆ କାର୍ଯ୍ୟଦିବସ ଲାଗୁ କରିବାକୁ ଆମେ ଦାବି କରୁଛୁ। ପ୍ରଥମଟି ହେଉଛି ଡିଜିଟାଲ୍ ସେବା ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛି ଏବଂ ଦ୍ବିତୀୟଟି ହେଉଛି ଗ୍ରାହକମାନେ ବିକଳ୍ପ ମାଧ୍ୟମକୁ ବ୍ୟବହାର କରୁଛନ୍ତି। ବେତନ ବୃଦ୍ଧି ପ୍ରସଙ୍ଗ ଦୀର୍ଘ ଦିନରୁ ରହିଛି। ନିୟମ ଅନୁସାରେ ବେତନ ସଂଶୋଧନ ୨୦୧୭ ନଭେମ୍ବରରେ ହେବା କଥା। ୨୦୧୨ରେ ହୋଇଥିବା ବେତନ ସଂଶୋଧନ ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଦରମା ୧୫% ବଢ଼ିଥିଲା। ଏହାର ପରବର୍ତ୍ତି ପର୍ଯ୍ୟାୟ ବେତନ ସଂଶୋଧନ ଲାଗି ଅନେକ ପର୍ଯ୍ୟାୟ ‌ବୈଠକ ହୋଇସାରିଥିଲା। ଆଇବିଏ ପ୍ରଥମେ ୨% ବେତନ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲା। ଏହା ପରେ ତାହାକୁ ୬%, ୧୦% ଏବଂ ଏବେ ୧୨%କୁ ବୃଦ୍ଧି କରାଯାଇଛି। ‌

ସମ୍ବନ୍ଧିତ ଖବର