ମହାଦେବଙ୍କ ନାମରେ ରହିଛି ଏହି ସହର
ଦେବଦେବ ମହାଦେବଙ୍କ ଅନ୍ୟତମ ନାମ ହେଲା ମହେଶ୍ୱର । ହେଲେ ଆପଣ କ’ଣ ଜାଣନ୍ତି ଯେ ମଧ୍ୟପ୍ରଦେଶରେ ଏହି ନାମରେ ଏକ ସହର ଅଛି । ଏହା ସେହି ରାଜ୍ୟର ଏକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳ । ଆସନ୍ତୁ ଅଧିକ ଜାଣିବା ଏହି ପର୍ଯ୍ୟଟନ ସ୍ଥଳ ସଂପର୍କରେ…
Sambad is now on WhatsApp
Join and get latest news updates delivered to you via WhatsApp
ନର୍ମଦା ନଦୀର ପାଦ ଦେଶରେ ଏକ ଛୋଟ ସହର, ନାଆଁ ଯାହାର ମହେଶ୍ୱର । ଏହି ସହରଟି ମଧ୍ୟପ୍ରଦେଶରେ ଅବସ୍ଥିତ । ଏହା ଇନ୍ଦୋର ଠାରୁ ମାତ୍ର ଶହେ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ପହଞ୍ଚିବାକୁ ହେଲେ ଇନ୍ଦୋରରୁ ହିଁ ଟ୍ୟାକ୍ସି କିମ୍ବା ବସ୍ ଯୋଗେ ଯିବାକୁ ହେବ । ତା’ବ୍ୟତୀତ ଏଠାକୁ ଟ୍ରେନ୍ରେ ମଧ୍ୟ ପହଞ୍ଚି ହେବ । ନଭେମ୍ବରରୁ ଫେବୃଆରୀ ମାସ ହେଉଛି ଏଠାକୁ ପର୍ଯ୍ୟଟନରେ ଆସିବା ପାଇଁ ଉତ୍କଷ୍ଟ ସମୟ । ଏହି ସମୟରେ ମହେଶ୍ୱରରେ ଥଣ୍ଡା ଅନୁଭୂତ ହେଉଥିବା ଯୋଗୁଁ ଏଠାକୁ ଆସିବା ଭଲ ।
‘ମହେଶ୍ୱର’ର ନାମକରଣ ଭଗବାନ ଶିବଙ୍କ ନାମ ଅନୁଯାୟୀ ହୋଇଛି । ଏଠାରେ ଥିବା ଶିବ ମନ୍ଦିର ବେଶ୍ ବିଖ୍ୟାତ ଏବଂ ଏଠାକାର ମହେଶ୍ୱର ଶାଢି ମଧ୍ୟ ଖୁବ୍ ପ୍ରସିଦ୍ଧ । ଲୋକକଥା ଅନୁଯାୟୀ ନର୍ମଦା ନଦୀ ଖୁବ୍ ଅଶାନ୍ତ ରହୁଥିବା ଯୋଗୁଁ ଏହାର ନିକଟବର୍ତ୍ତୀ ଏହି ଅଞ୍ଚଳର ଲୋକେ ଶାନ୍ତ କରିବା ପାଇଁ ଭଗବାନ ଶିବଙ୍କର ଉପାସନା କରନ୍ତି । ଅବଶେଷରେ ଏହି ସ୍ଥାନର ନାମକରଣ ମଧ୍ୟ ଶିବଙ୍କ ନାମରେ ‘ମହେଶ୍ୱର’ ରଖାଗଲା । ହୋଇକଲ ରାଜବଂଶର ରାଣୀ ଅହଲ୍ୟା ବାଈ ଏହି ସହରର ପୁନରୁଦ୍ଧାର କରିଥିଲେ । ୧୭୬୭ ରୁ ୧୭୯୫ ମଧ୍ୟରେ ମହେଶ୍ୱରର ରୂପରେଖ ବଦଳିଯାଇଥିଲା ।
‘ ମହେଶ୍ୱର’ର ଦୁର୍ଗ ଦେଖିବା ଭଳି । ଏହି ଦୁର୍ଗଟି ମୋଗଲ ସମ୍ରାଟ୍ ଆକବରଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ଅହଲ୍ୟାବାଇ ଏହି ଦୁର୍ଗର ସୌନ୍ଦର୍ଯ୍ୟକରଣ କରାଇଥିଲେ । ଏହି ଦୁର୍ଗ ନିକଟରେ ବେଶ୍ କେତୋଟି ଦର୍ଶନୀୟ ଶିବ ମନ୍ଦିର ରହିଛି । ଯଦି ଆପଣ ଶାଢିର ସଉକିନ୍, ତେବେ ସେଠାକାର ଶାଢି କିଣିପାରନ୍ତି । କାରଣ ଏଠାକାର ଶାଢି ଖୁବ୍ ପ୍ରସିଦ୍ଧ । ସନ୍ଧ୍ୟା ସମୟରେ ନର୍ମଦା ନଦୀ ଘାଟରେ ଆରତୀର ଦୃଶ୍ୟ ଅତ୍ୟନ୍ତ ମନଲୋଭା ।
ରାଣୀ ଅହଲ୍ୟାବାଈଙ୍କ ଜନ୍ମଦିନରେ ଏଠାରେ ମହେଶ୍ୱର ଉତ୍ସବର ଆୟୋଜିତ ହୋଇଥାଏ । ଏତଦ୍ବ୍ୟତୀତ ମହାଶିବରାତ୍ରିରେ ଏଠାକୁ ଦେଶରୁ ବହୁ ଶିବ ଭକ୍ତଙ୍କର ଆଗମନ ହୋଇଥାଏ ।