ପୁରୁଷ ଗରିଲାର ସନ୍ତାନ ପ୍ରସବ!

ଗର୍ଭଧାରଣ ଓ ପ୍ରଜନନ କରାଇବା କଥା ଉଠିଲେ ଜନନୀ ରୂପୀ ମହିଳା ହିଁ ଚିର ବନ୍ଦନୀୟା। ଇତର ପ୍ରାଣୀଠାରୁ ଆରମ୍ଭ କରି ମନୁଷ୍ୟ ପରି ସବୁଠୁ ବିକଶିତ ପ୍ରାଣୀଙ୍କ କ୍ଷେତ୍ରରେ ମହିଳାମାନେ ହିଁ ଏହି ସ୍ବତନ୍ତ୍ର ଗୁଣର ଅଧିକାରିଣୀ। ତେବେ ଆମେରିକାର ଓହିଓ ସ୍ଥିତ କଲମ୍ବସ ଚିଡ଼ିଆଖାନାରେ ଗୋଟିଏ ଅଣ୍ଡିରା ଗରିଲା ସନ୍ତାନ ପ୍ରସବ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଚିଡ଼ିଆଖାନା ପକ୍ଷରୁ ତାହାର ଆନୁଷ୍ଠାନିକ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ଛଡ଼ାଯାଇଛି। ସମ୍ପ୍ରତି ଜଙ୍ଗଲହ୍ରାସ ଓ ବାସସ୍ଥଳୀର ଅଭାବ ଯୋଗୁଁ ବିପନ୍ମୁଖୀ ହୋଇପଡ଼ିଥିବା ଏହି ଗରିଲା ପ୍ରଜାତିର ସଂରକ୍ଷଣ ତଥା ସଂଖ୍ୟାବୃଦ୍ଧି ପାଇଁ ବିଶ୍ବସ୍ତରୀୟ ଉଦ୍ୟମ ଜାରି ରହିଛି। ଏହି କ୍ରମରେ କଲମ୍ବସ ଚିଡ଼ିଆଖାନାରେ ପାଳିତ ଗରିଲାମାନଙ୍କୁ ଯଥାସମ୍ଭବ ଯତ୍ନ ତଥା ନିରୀକ୍ଷଣରେ ରଖାଯାଇଛି।

ନିକଟରେ ସେଠାରେ ଏକ ଅଣ୍ଡିରା ଗରିଲା ଖୁଆଡ଼ ଭିତରେ ହଠାତ୍‌ ଏକ ଗରିଲା ମାଈ ନବଜାତ ଶାବକଟିଏ କୋଳରେ ଜାବୁଡ଼ି ଧରି ଖେଳାଉଥିବା ଦେଖାଯାଇଥିଲା। କଥା ଜଣାପଡ଼ିଲା ପରେ ପ୍ରଥମ ଭାବନାରେ ଗରିଲାଙ୍କ ସଂଖ୍ୟାବୃଦ୍ଧି ହିଁ ଚିଡ଼ିଆଖାନାର କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲା। ତେବେ ଅଣ୍ଡିରା ଗରିଲାଠାରୁ ଏପରି ଏକ ସନ୍ତାନ ଜନ୍ମ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ତେବେ ନାନା ପରୀକ୍ଷା ନିରୀକ୍ଷା ପରେ ପ୍ରଥମରୁ ଅଣ୍ଡିରା ବୋଲି ଧରିନିଆଯାଇଥିବା ଗରିଲାଟି ପ୍ରକୃତରେ ଏକ ମାଈ ଗରିଲା ବୋଲି ଜଣାପଡ଼ିଥିଲା। ପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯୁବ ଗରିଲାମାନଙ୍କ ଲିଙ୍ଗ ନିରୂପଣ କରିବା ଅସମ୍ଭବ ମନେହୁଏ। କାରଣ ସେମାନେ ଆଠ ବର୍ଷ ବୟସର ହେଲା ଯାଏ ଉଭୟ ପୁରୁଷ ଓ ଅଣ୍ଡିରା ଗରିଲା ଶାରୀରିକ ସ୍ତରରେ ଦେଖିବାକୁ ଠିକ୍‌ ଏକାଭଳି ଏବଂ ସେମାନଙ୍କର ଲିଙ୍ଗଗତ ଅଙ୍ଗଗୁଡ଼ିକ ଉଲ୍ଲେଖନୀୟ ଭାବେ ବିକଶିତ ହୋଇନଥା’ନ୍ତି। ତେବେ ତାହା ପରେ ମାଈ ଗରିଲାମାନଙ୍କର ଶରୀରରେ ଧୀରେ ଧୀରେ ଶାରୀରିକ ପରିବର୍ତ୍ତନ ଜଣାପଡ଼ିଥାଏ। ମାତ୍ର ୧୨ ବର୍ଷ ଯାଏ ଅଣ୍ଡିରା ଗରିଲାଙ୍କର ତଥାକଥିତ ବିଶାଳକାୟ ଶରୀର, ପିଠିପଟେ ରୁପେଲି ରଙ୍ଗ ଓ ମୁଣ୍ଡରେ କୁଜ ପରି ବିଶେଷ ପରିବର୍ତ୍ତନଗୁଡ଼ିକ ଜଣାପଡ଼ିନଥାଏ। ତେଣୁ ସଂପୃକ୍ତ ଗରିଲାଟିକୁ ପ୍ରଥମରୁ ସେ ପର୍ଯ୍ୟନ୍ତ ଅଣ୍ଡିରା ବୋଲି ଚିଡ଼ିଆଖାନା କର୍ମଚାରୀମାନେ ଧରିନେଇଥିଲେ।

ସମ୍ବନ୍ଧିତ ଖବର