ଜୀବନ୍ୟାସ ପାଉଛନ୍ତି ଉତ୍ତର ପ୍ରଦେଶର ଯେତେ ସବୁ ‘ଭୂତ ଗାଁ’
ନୈନିତାଲ/ଡେରାଡୁନ୍: କର୍ମ ଅନ୍ବେଷଣରେ ଅର୍ଦ୍ଧାଧିକ ଲୋକ ରାଜ୍ୟ ବାହାରକୁ ପ୍ରବାସୀ ଶ୍ରମିକ ହୋଇ ଚାଲିଯାଇଥିବା ହେତୁ ଉତ୍ତରାଖଣ୍ଡର ପ୍ରାୟ ୫୫୦ଟି ଜନଶୂନ୍ୟ ଗାଁ’କୁ ସରାକାରୀ ଭାବେ ‘ଭୂତ ଗାଁ’ ଆଖ୍ୟା ଦିଆଯାଇଥିଲା। ସମ୍ପ୍ରତି ଦେଶରେ କରୋନାଭାଇରସ୍ ସଂକ୍ରମଣ ପରିସ୍ଥିତି ଯୋଗୁଁ ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା କାରଣରୁ ସେହି ‘ଭୂତ ଗାଁ’ମାନଙ୍କୁ ପୁଣି ଲୋକେ ଫେରିଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ମଧ୍ୟରୁ ପୌରି ଗର୍ୱାଲ୍ ଅନ୍ତର୍ଗତ ଗୋଟିଏ ଗାଁ ହେଉଛି ‘ଚିଫ୍ ଡିଫେନ୍ସ୍ ଷ୍ଟାଫ୍’ ବିପିନ ରାୱତ୍ଙ୍କ ଜନ୍ମଭୂମି ସାଇନା। ସେ ର୍ଗାରେ ଥିଲେ ମାତ୍ର ଦୁଇଟି ପରିବାର। ଗତ ମାସରେ ସେ ଗାଁର ଆଉ ଗୋଟିଏ ଘରେ ଆଲୋକ ଜଳିଛି। ସେ ଘର ହେଉଛି ପ୍ରବାସ ଫେରନ୍ତା ହରି ନନ୍ଦନ ସିଂହଙ୍କର। ତାଙ୍କ ପରି ଆହୁରି ଅନେକ ପ୍ରବାସବାସୀ ମଧ୍ୟ ଆସୁଛନ୍ତି।
ସେହିପରି ବାଲୁନି ଗାଁକୁ ମଧ୍ୟ ଉତ୍ତରାଖଣ୍ଡ ମାଇଗ୍ରେସନ୍ କମିସନ୍ ‘ଭୂତ ଗାଁ’ ବୋଲି ଘୋଷଣା କରିଥିଲେ। ସେଠାକୁ ଅନ୍ୟୂନ ଆଠଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଉତ୍ତରାଖଣ୍ଡରେ ପ୍ରାୟ ୧୭୦୦ ‘ଭୂତ ଗାଁ’ ରହିଛି। ସେଥିରୁ ୧୦୦୦ ପଡ଼ାରେ ୧୦୦ରୁ କମ୍ ଲୋକ ବାସ କରୁଛନ୍ତି।
ପୌରି ଅନ୍ତର୍ଗତ ଡୁଗ୍ଗଡ୍ଡା ବ୍ଲକ୍ ଅଞ୍ଚଳର ‘ଭୂତ ଗାଁ’ ଭାବେ ଘୋଷିତ ବୋରଗାଓଁକୁ ମଧ୍ୟ ଲୋକେ ଫେରିଲେଣି। ଲକ୍ଡାଉନ୍ ସମୟରୁ ସେଠାକାର ବନ୍ଧୁନ୍ ପଡ଼ାକୁ ୧୭୦ଜଣ ବାସିନ୍ଦା ଫେରିଆସିଛନ୍ତି। ସେମାନଙ୍କର ପିଲାମାନେ ପୁଣି ଥରେ ବିଲବାଡ଼ିରେ ଦୌଡ଼କୁଦ କରୁଥିବାର ଦେଖାଯାଉଛି। ସନ୍ଧ୍ୟାବେଳେ ସ୍ତ୍ରୀପୁରୁଷମାନେ ଗଛମୂଳେ ଏକତ୍ର ବସି ଚା ଓ ହୁକା ପାନ କରୁଛନ୍ତି।
ଅଲ୍ମୋରା ଜିଲ୍ଲାରୁ ଚାଲି ଯାଇଥିବା ୮୦% ଲୋକ ବି ଘରକୁ ଫେରି ଆସିଲେଣି। ବାହୁଡ଼ି ଆସୁଥିବା ଶ୍ରମଜୀବୀମାନେ କହନ୍ତି ଯେ, କେବଳ ରୋଜଗାର ହରାଇବା କାରଣରୁ ନୁହେଁ ବାସସ୍ଥାନ ଅଭାବରୁ ମଧ୍ୟ ଅନେକ ପ୍ରବାସରୁ ଫେରି ଆସୁଛନ୍ତି। ଏବେ ଅଧିକାଂଶଙ୍କର ଲକ୍ଷ୍ୟ ଦୀର୍ଘ ଦିନ ହେବ ପଡ଼ିଆ ପଡ଼ିଥିବା ଚାଷଜମିରେ ହଳ କରି ପୁନର୍ବାର ଫସଲ ଉପୁଜାଇ ଚଳିବେ।
ଏହି ୫୫୦ଟି ଗାଁର ଲୋକଙ୍କୁ କିଭଳି କର୍ମସଂସ୍ଥାନ ଯୋଗାଇଲେ ସେମାନେ ପୁଣି ସହରକୁ ଫେରିଯିବେ ନାହିଁ, ତାହା ଏବେ ମାଇଗ୍ରେସନ୍ କମିସନ୍ଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।