ନୂଆଦିଲ୍ଲୀ: ଅଗଷ୍ଟ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍)ର ନିର୍ବାଚନକୁ ସପ୍ତାହେ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ସମ୍ଭାବନାକୁ କାଏମ ରଖିବା ଲାଗି ସୁପ୍ରିମକୋର୍ଟ ଏହାର ପୂର୍ବ ଆଦେଶରେ ସଂଶୋଧନ କରିଛନ୍ତି। ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)କୁ ହଟାଇ ଦେଇଛି। ଏଆଇଏଫ୍‌ଏଫ୍‌କୁ ନିଲମ୍ବିତ କରିଥିବା ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଫା ସହ ଆଲୋଚନା କରିବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ସୁପାରିସ୍‌ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଆଇଏଫଏଫ୍‌ ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ପ୍ରଶାସନିକ ସମିତି (ସିଓଏ)କୁ ମଧ୍ୟ ବନ୍ଦ କରି ଦେବାକୁ ଅଦାଲତ କହିଛନ୍ତି। ଏବେ ଏଆଇଏଫଏଫ୍‌ର ଦୈନଦିନ କାର୍ଯ୍ୟକଳାପ କାମଚଳା ସାଧାରଣ ସମ୍ପାଦକ ତୁଲାଇବାକୁ ମଧ୍ୟ ଆଦେଶରେ ଉଲ୍ଲେଖ କରାଯାଇଛି।

Advertisment

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଆର୍‌ ଡାଭଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଡିୱାଇ ଚନ୍ଦ୍ରଚୂଡ଼ ଓ ଏଏସ୍ ବୋପାନ୍ନା ସଦସ୍ୟ ରହିଥିଲେ। ଫିଫା ଦାବି ଅନୁସାରେ ଏଆଇଏଫ୍‌ଏଫ୍‌ ଭୋଟର ତାଲିକାରେ ୩୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିଙ୍କୁ ରଖିବାକୁ ଏହି ଖଣ୍ଡପୀଠ ମଧ୍ୟ ଆଦେଶ ଦେଇଛନ୍ତି। କାର୍ଯ୍ୟନିର୍ବାହୀ ସମିତିରେ ୨୩ ଜଣ ରହିବେ ଏବଂ ସେମାନଙ୍କ ମଧ୍ୟରୁ ୨ ମହିଳାଙ୍କ ସହ ୬ ଜଣ ପ୍ରମୁଖ ଖେଳ‌ାଳି ହୋଇଥିବା ଆବଶ୍ୟକ। ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ ମଧ୍ୟ ଫିଫା ନିଲମ୍ବନକୁ ଗୁରୁତ୍ତର ଭାବେ ନେବାକୁ‌ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍‌କୁ କିଭଳି କରାଯିବ ସେ ନେଇ ସକ୍ରିୟ ଭୂମିକା ତୁଲାଇବାକୁ କହିଥିଲେ। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ କାରଣ ଦର୍ଶାଇ ଫିଫା ଗତ ଅଗଷ୍ଟ ୧୬ ତାରିଖରେ ଏଆଇଏଫ୍‌ଏଫ୍‌କୁ ନିଲମ୍ବିତ କରିବା ସହ ୧୭ ବର୍ଷରୁ କମ୍‌ ବିଶ୍ବକପ୍‌ ଆୟୋଜନ ଅଧିକାରକୁ ପ୍ରତ୍ୟାହାର କରି ନେଇଥିଲା। ଭାରତୀୟ ଫୁଟ୍‌ବଲ୍‌ର ସ୍ବାର୍ଥକୁ ନଜରରେ ରଖି ଏବେ ସୁପ୍ରିମକୋର୍ଟ, ସରକାର ଏକାଠି କାର୍ଯ୍ୟ କରିଥିବାରୁ ସାଧାରଣରେ ଆଶା ସଞ୍ଚାର ହୋଇଛି।