ଧର୍ମଶାଳାରେ ପାଳି ବିଜୟ, ଭାରତ ୪-୧ରେ ଜିତିଲା

ଶତକୀୟ ଟେଷ୍ଟରେ ଅଶ୍ବିନଙ୍କୁ ୯ ୱିକେଟ୍‌

ଧର୍ମଶାଳା: ନିଜ ୧୦୦ତମ ଟେଷ୍ଟ୍‌ରେ ଅଭିଜ୍ଞ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ଆଉ ଏକ ୫ ୱିକେଟ୍ ସଫଳତା ସହିତ ଭାରତ ଧର୍ମଶାଳା ଟେଷ୍ଟ୍‌କୁ ଏକ ପାଳି ଓ ୬୪ ରନ୍‌ରେ ଜିତି ନେଇଛି। ଏଥି ସହିତ ଇଂଲଣ୍ଡ ବିପକ୍ଷ ଭାରତ ୫ ମ୍ୟାଚ୍‌ ଶୃଙ୍ଖଳାକୁ ୪-୧ରେ ଜିତି ଘରୋଇ ସଫଳତା ଧାରାକୁ ଜାରି ରଖିଛି। ଇଂଲଣ୍ଡର ବାଜବଲ୍‌ ବିଜୟ ଧାରା ଭାରତ ମାଟିରେ ଧ୍ବଂସସ୍ତୁପରେ ପରିଣତ ହୋଇଛି। କୁଲଦୀପଙ୍କ ୫ ୱିକେଟ୍ ଦଖଲ କାରଣରୁ ପ୍ରଥମ ପାଳିରେ ଇଂଲଣ୍ଡ ମାତ୍ର ୨୧୮ ରନ୍ କରିଥିଲା। ଜବାବରେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଶତକ ବଳରେ ଭାରତ ୪୭୭ ରନ୍ କରି ୨୫୯ ରନ୍‌ର ବୃହତ ଅଗ୍ରଣୀ ନେଇଥିଲା। ଶନିବାର ସକାଳେ ଭାରତ ଏହାର ଅନ୍ତିମ ଦୁଇ ୱିକେଟ୍ ହରାଇବା ପରେ ଇଂଲଣ୍ଡର ଦ୍ବିତୀୟ ପାଳିକୁ ଶେଷ କରିବାରେ‌ ଘରୋଇ ବୋଲର କୌଣସି ଅସୁବିଧାରେ ପଡ଼ିନଥିଲେ। ଇଂଲଣ୍ଡ ଦ୍ବିତୀୟ ପାଳିରେ ମାତ୍ର ୧୯୫ ରନ୍ କରିଥିଲା।

ଶତକୀୟ ଟେଷ୍ଟରେ ଅଶ୍ବିନଙ୍କୁ ୯ ୱିକେଟ୍‌
୭୦୦ ‌‌ଟେଷ୍ଟ୍‌ ୱିକେଟ୍ କ୍ଲବ୍‌ରେ ଆଣ୍ଡରସନ୍‌ ପ୍ରଥମ ପେସର

ନୂଆ ବଲ୍‌ରେ ସ୍ପିନ୍ ଆକ୍ରମଣ ଆରମ୍ଭ କରିଥିବା ଅଶ୍ବିନ୍ ନିଜ ପ୍ରଥମ ଓଭରରୁ ହିଁ ୱିକେଟ୍ ଦଖଲ ଧାରା ଆରମ୍ଭ କରି ୧୪-୦-୭୭-୫ ବୋଲିଂ ଚିତ୍ର ପାଇଥିଲେ। ଦୁଇ ସାଥି ସ୍ପିନର୍‌ କୁଲଦୀପ ଯାଦବ (୨/୪୦) ଓ ରବୀନ୍ଦ୍ର ଜାଡ଼େଜା (୧/୨୫) ମିଳିତ ଭାବେ ୩ ୱିକେଟ୍‌ ଦଖଲ କରିଥିଲେ। ଏହ‌ି ଟେଷ୍ଟ୍‌କୁ ଫେରିଥିବା ଷ୍ଟ୍ରାଇକ୍ ବୋଲର୍ ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ୨ ୱିକେଟ୍ ବାହାର କରି ଭାରତ ବିଜୟରେ ନିଜ ଅବଦାନ ରଖିଥିଲେ। ଇଂଲଣ୍ଡ ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। କେବଳ ‌ଜୋ ରୁଟ୍‌ (୧୨୮ ବଲ୍‌ରୁ ୮୪ ରନ୍) ଲଢ଼ିଥିଲେ। ଶତକୀୟ ଟେଷ୍ଟ୍ ଖେଳିଥିବା ଇଂଲଣ୍ଡ ବ୍ୟାଟର୍ ‌ଜନି ବେୟାରଷ୍ଟୋ ଭାରତ ଶତକୀୟ ଟେଷ୍ଟ୍ ଖେଳାଳି ଅଶ୍ବିନଙ୍କୁ ୩ ଛକା ମାରିବା ଏହି ଟେଷ୍ଟର ଅନ୍ୟତମ ଉଲ୍ଲେଖନୀୟ କଥା ଥିଲା। ଶତକୀୟ ଟେଷ୍ଟ୍ ଖେଳିବା ବେଳେ ଅଶ୍ବିନ ମୋଟ ୯ ୱିକେଟ୍ (୪/୫୧ ଓ ୫/୭୭) ଦଖଲ କରି ମ୍ୟାଚ୍‌କୁ ସ୍ମରଣୀୟ କରିପାରିଛନ୍ତି। କୁଲଦୀପ ଯାଦବ ((୫/୭୨, ୩୦ ରନ୍, ୨/୨୦) ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଥିବାବେଳେ ଯୁବ ବାମହାତୀ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ (୭୧୨ ରନ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଶନିବାର ସକାଳେ କୁଲଦୀପ ଯାଦବଙ୍କୁ ଅଫଷ୍ଟମ୍ପ୍ ଉଡ଼ାଇ ଜେମ୍ସ ଆଣ୍ଡରସନ୍ ତାଙ୍କ ୭୦୦ ଟେଷ୍ଟ୍ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ଏହି କ୍ଲବ୍‌ରେ ସାମିଲ ହେବାରେ ସେ ବିଶ୍ବର ତୃତୀୟ ତଥା ପ୍ରଥମ ପେସର୍‌ ହୋଇଥିଲେ। ପୂର୍ବରୁ ଏହି କ୍ଲବ୍‌ରେ କେବଳ ଦୁଇ ସ୍ପିନର୍‌ ମୁଥୟା ମୁରଲୀଧରନ (୮୦୦) ଓ ସେନ୍ ୱର୍ଣ୍ଣ (୭୦୮) ସାମିଲ ଥିଲେ।

ସମ୍ବନ୍ଧିତ ଖବର