ମ୍ୟାକେ (ଅଷ୍ଟ୍ରେଲିଆ): ଭାରତୀୟ ମହିଳା କ୍ରିକେଟ୍ ଦଳ ରବିବାର ନିଜ ଦିନିକିଆ କ୍ରିକେଟ୍ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ମହିଳାଙ୍କ ବିଶ୍ବ କୀର୍ତ୍ତିମାନ ଲଗାତାର ୨୬ ବିଜୟ ଧାରାକୁ ମଧ୍ୟ ରୋକି ଦେଇଛି ମିତାଲି ରାଜଙ୍କ ଦଳ। ରବିବାର ମ୍ୟାକେର ବାରୁକ୍ ପାର୍କରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଭାରତ ୨ ୱିକେଟରେ ରୋମାଞ୍ଚକ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସାନ୍ତ୍ବନାମୂଳକ ବିଜୟ ହାସଲ କରିଥିଲେ ମଧ୍ୟ ସ୍ମରଣୀୟ ସଫଳତା ପାଇଛି। ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ଶୃଙ୍ଖଳାକୁ ଜିତି ନେଇଛି। ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଭେଟେରାନ୍ ଦ୍ରୁତ ବୋଲର ଝୁଲନ ଗୋସ୍ବାମୀ (୧୦-୨-୩୭-୩ ଏବଂ ୭ ବଲ୍ରୁ ୮* ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଦୁଇ ଦିନ ତଳେ ଭାରତ ରୋମାଞ୍ଚକ ଭାବେ ଶେଷ ଓଭରରେ ୧୩ ରନ୍ ଦେଇ ଶୃଙ୍ଖଳା ହାରିଯାଇଥିଲା। ମିତାଲି ରାଜଙ୍କ ଦଳ କିନ୍ତୁ ରବିବାର ଆତ୍ମବିଶ୍ବାସ ହରାଇନଥିଲା। ଝୁଲନ ଗୋସ୍ବାମୀ (୧୦-୨-୩୭-୩) ଏବଂ ପୂଜା ବସ୍ତ୍ରକାର (୯-୧-୪୬-୩) ବଢ଼ିଆ ବୋଲିଂ କରି ଅଷ୍ଟ୍ରେଲିଆକୁ ୨୬୪/୯ରେ ରୋକି ଦେଇଥିଲେ। ସ୍ନେହ ରାଣା ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ଘରୋଇ ଦଳ ଏକଦା ୮୭ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ବେଥ୍ ମୁନି (୫୨, ୬୪ ବଲ୍), ଆସଲେ ଗାର୍ଡନର୍ (୬୭, ୬୨ ବଲ୍) ଏବଂ ତାହିଲା ମ୍ୟାକଗ୍ରା (୪୭, ୩୨ ବଲ୍)ଙ୍କ ଅବଦାନ କାରଣରୁ ଦଳ ୨୬୪ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିପାରିଥିଲା।
ଜବାବରେ ଭାରତ ପାଇଁ ସେଫାଳି ବର୍ମା (୫୬, ୯୧ ବଲ୍, ୭ ଚୌକା) ଏବଂ ସ୍ମୃତି ମନ୍ଧାନା (୨୨, ୨୫ ବଲ୍) ପ୍ରଥମ ୱିକେଟ୍ ପାଇଁ ୫୯ ରନ୍ ଉଠାଇଥିଲେ। ମନ୍ଧାନାଙ୍କ ଆଉଟ୍ ପରେ ଯୁବ ଯୋଡ଼ି ସେଫାଳି ଓ ୟାସ୍ତିକା ଭାଟିଆ ୧୦୧ ରନ୍ ଭାଗୀଦାରି କରିବାରୁ ଭାରତ ଠିକଣା ପଥରେ ରହିଥିଲା। ନିଜର ତୃତୀୟ ଦିନିକିଆ ଖେଳୁଥିବା ୨୧ ବର୍ଷୀୟ ୟାସ୍ତିକା କିନ୍ତୁ ୫୬ ବଲ୍ରୁ ନିଜ ପ୍ରଥମ ଅର୍ଦ୍ଧଶତକ ହାସଲ କରିନେଇଥିଲେ। ଏହା ପରେ ଲଗାତାର ଭାବେ ରିଚା ଘୋଷ (୦), ମିତାଲି ରାଜ (୧୬) ଓ ପୂଜା ବସ୍ତ୍ରକାର (୩)ଙ୍କୁ ପ୍ରତିପକ୍ଷର ସୁଦରଲାଣ୍ଡ୍ ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ନିମ୍ନକ୍ରମରେ କିନ୍ତୁ ଦୀପ୍ତି ଶର୍ମା (୩୧, ୩୦ ବଲ୍) ଏବଂ ସ୍ନେହ ରାଣା (୩୦, ୨୭ ବଲ୍) ଭାରତକୁ ବିଜୟ ଦ୍ବାରରେ ପହଞ୍ଚାଇ ଦେଇଥିଲେ। ଝୁଲନ ଗୋସ୍ବାମୀ (୮*, ୭ ବଲ୍, ୧ ଚୌକା) ଏବଂ ମେଘନା ସିଂହ (୨*, ୩ ବଲ୍) ଭାରତକୁ ୩ ବଲ୍ ପୂର୍ବରୁ ୨ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଦେଇଥିଲେ।
ଅଷ୍ଟ୍ରେଲିଆ ବାଟରେ ଭାରତ କଣ୍ଟା
ପ୍ରତି ଥର ଅଷ୍ଟ୍ରେଲିଆର ଦୀର୍ଘତମ ବିଜୟ ଧାରାକୁ ଭାରତ ହିଁ ଭାଙ୍ଗିଛି। ୨୦୦୧ରେ ଅଷ୍ଟ୍ରେଲିଆ ପୁରୁଷ ଦଳର ୧୬ ଟେଷ୍ଟ୍ ବିଜୟକୁ ଏବଂ ୨୦୦୮ରେ ୧୬ ଟଷ୍ଟ୍ ବିଜୟକୁ ମଧ୍ୟ ଭାରତ ରୋକିଥିଲା। ଏବେ ଅଷ୍ଟ୍ରେଲିଆ ମହିଳା ଦିନିକିଆ ଦଳର ୨୬ ଦିନିକିଆକୁ ରୋକିଛନ୍ତି ଭାରତୀୟ ମହିଳା। ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ପୁରୁଷ ଦଳ ନାମରେ ଥିବା ରେକର୍ଡ ୨୧ ଦିନିକିଆ ବିଜୟକୁ ମହିଳା ଦଳ ପଛରେ ପକାଇ ଦେଇଥିଲା। ଶେଷ ଥର ପାଇଁ ଅଷ୍ଟ୍ରେଲିଆ ମହିଳା ଦଳ ୨୦୧୭ ଅକ୍ଟୋବର ମାସରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ହାରିଥିଲା।
ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ୨୫୦ ରନ୍ରୁ ଅଧିକକୁ ପଶ୍ଚାତଧାବନ କରି ଜିତିଲା। ପୂର୍ବରୁ ୨୦୧୯ରେ ଭଦୋଦରାରେ ଦକ୍ଷିଣ ଆଫ୍ରିକାର ୨୪୮ ରନ୍କୁ ପଶ୍ଚାତଧାବନ କରି ଜିତିଥିଲା। ରବିବାର ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଦଳ ୨୫୦ରୁ ଅଧିକ ରନ୍ କରି ଜିତିନଥିଲେ। ଅଷ୍ଟ୍ରେଲିଆ ମଧ୍ୟ ନିଜ ସ୍କୋର୍କୁ ରୋକି ଜିତିବାରେ ଏହା ପୂର୍ବରୁ ୧୭ ଲଗାତାର ବିଜୟ ପାଇଥିଲା। ରବିବାରର ମ୍ୟାଚ୍ ସହିତ ଝୁଲନ ଗୋସ୍ବାମୀ ବିଶ୍ବ କ୍ରିକେଟର ଦ୍ବିତୀୟ ସର୍ବାଧିକ ଦିନିକିଆା ମ୍ୟାଚ୍ ଖେଳାଳି ହୋଇଛନ୍ତି। ମିତାଲି ରାଜ (୨୨୦) ଶୀର୍ଷରେ ଥିବାବେଳେ ଝୁଲନ ରବିବାର ଚାର୍ଲୋଟ୍ ଏଡୱାର୍ଡସ (୧୯୧)ଙ୍କୁ ପଛରେ ପକାଇଥିଲେ। ସଂଯୋଗବଶତଃ ଝୁଲନଙ୍କ ସମସ୍ତ ୧୯୨ ମ୍ୟାଚ୍ରେ ମିତାଲି ଖେଳିଥିଲେ। ଝୁଲନ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହ ଏହି ସ୍ମରଣୀୟ ସଫଳତାକୁ ସାଉଁଟିଛନ୍ତି। ୨୦୨୧ ମସିହାରେ ଭାରତର ବିଜୟ ପରାଜୟ ସଂଖ୍ୟା ୩-୮ ହୋଇଛି। ମିତାଲି ରାଜଙ୍କ ଦଳର ସମସ୍ତ ୩ ବିଜୟ ପଶ୍ଚାତଧାବନରୁ ମିଳିଛି।