ସାଫ୍ ଚାମ୍ପିଅନସିପ୍‌ରେ ଓଡ଼ିଆ ଚମକ: ରୂପଶ୍ରୀ ଯୋଡ଼ିଲେ ରୁପେଲି ଅଧ୍ୟାୟ

ଭୁବନେଶ୍ବର: ଓଡ଼ିଶାର ସମୃଦ୍ଧଶାଳୀ ମହିଳା ଫୁଟବଲ୍ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ତହସିଲ ଭୂୟାଁ ରୋଇଡ଼ା କ୍ୟାମ୍ପ ହଟିଂ ଗାଁର କୁନି କ୍ରୀଡ଼ା ତାରକା ରୂପଶ୍ରୀ ମୁଣ୍ଡା। ଏହି ୧୪ ବର୍ଷୀୟା ‘ଫୁଟବଲ୍ ଫୁଲ’ଙ୍କ ମହକ ଦେଶର ସୀମା ସରହଦ ପାର ହୋଇ ସାଫ୍ ଚାମ୍ପିଅନସିପ୍‌ରେ ସମସ୍ତଙ୍କୁ ମୋହିତ କରିଛି। କାଦୁଅରୁ ପଦ୍ମ ଫୁଟିଲା ଭଳି ଏକ ନିହାତି ଗରିବ ପରିବାରରୁ ଆସି ବହୁ ରାଷ୍ଟ୍ରୀୟ ସାଫ୍ ଚାମ୍ପିଅନସିପ୍‌ରେ ନିଜ ଅନନ୍ୟ ଚମକ ଦେଖାଇ ରୂପଶ୍ରୀ ଓଡ଼ିଶା ମହିଳା ଫୁଟବଲ୍‌ର ଉଜ୍ଜ୍ବଳ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ମହତ୍ବପୂର୍ଣ୍ଣ କଥା ହେଲା ଏହି ପ୍ରତିଯୋଗିତା ପାଇଁ ନେପାଳ ଯାଇଥିବା ୨୩ ଜଣିଆ ଭାରତୀୟ ଦଳ ଭିତରୁ ସବୁ ମ୍ୟାଚ୍ ଖେଳିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରୁ ରୂପଶ୍ରୀ ହେଉଛନ୍ତି ଅନ୍ୟତମ। ପୂରା ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ବିବି ଥୋମାସ ମଧ୍ୟ ତାଙ୍କ ଭବିଷ୍ୟତ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଫାଇନାଲ୍‌ରେ ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବାଂଲାଦେଶଠାରୁ ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ହାରି ଉପବିଜେତା ହୋଇଛି। ରୂପଶ୍ରୀ କିନ୍ତୁ ଖୁବ୍ କମ୍ ବୟସରେ ସାଫ୍ ଚାମ୍ପିଅନସିପ୍ ଭଳି ସମ୍ମାନଜନକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରନର୍ସଅପ୍ ଟ୍ରଫି ନିଜ ସଫଳତା ଧାରାରେ ଯୋଡ଼ିଛନ୍ତି। ଫାଇନାଲ୍‌ ସହ ଲିଗ୍‌ ପର୍ଯ୍ୟାୟରେ କରିଥିବା ଜବରଦସ୍ତ ପ୍ରଦର୍ଶନ ଲାଗି ରୂପଶ୍ରୀଙ୍କୁ ବିବି ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କୁ ୟଙ୍ଗ୍ ଟାଇଗ୍ରୀସ୍‌ ବା ଯୁବା ବାଘୁଣୀର ଆଖ୍ୟା ଦେଇଛନ୍ତି।

ରୂପଶ୍ରୀଙ୍କ ଫୁଟ୍‌ବଲ୍ ଯାତ୍ରା କୌଣସି ପରୀ କାହାଣୀଠାରୁ କମ୍ ରୋଚକ ନୁହେଁ। ଗାଁ ଦାଣ୍ଡରେ ସାଙ୍ଗସାଥୀଙ୍କ ସହ କାଗଜ ପେଣ୍ଡୁରେ ଖେଳି ଫୁଟବଲ୍ ପ୍ରତି ଆକର୍ଷିତ ହୋଇଥିଲେ ସେ। ସୀମିତ ପାଠପଢ଼ା ସହ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିଲେ ବି ପିତା ଦୀପକ ମୁଣ୍ଡା ଓ ମା’ ପ୍ରମିଳା ମୁଣ୍ଡା ଝିଅକୁ ଖେଳାଖେଳି କରି ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଓ ସାହସ ଦେଇଥିଲେ। ସେଥିପାଇଁ ତୃଣମୂଳସ୍ତରରେ ଫୁଟ୍‌ବଲ୍ ବିକାଶ ତଥା ପ୍ରଚାର ପ୍ରସାର ଲାଗି ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ନିଜ ଶାରୀରିକ ଓ ମାନସିକ ଦକ୍ଷତାର ପରିଚୟ ଦେଇଥିଲେ। ସ୍ଥାନୀୟ ପ୍ରଶିକ୍ଷକ ଦୀପକ ମୁଣ୍ଡାଙ୍କଠାରୁ ଉଚ୍ଚତର ପ୍ରଶିକ୍ଷଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ଅନୁଷ୍ଠିତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଥିରେ ସଫଳ ହୋଇ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ୨୦୨୨ ମସିହା ଏପ୍ରିଲ ମାସରେ ଯୋଗ ଦେଇଥିଲେ।

ସେଠାରେ ପ୍ରଶିକ୍ଷକ ହୃଦୟ ରଞ୍ଜନ ସିଂହଙ୍କ ମାର୍ଗଦର୍ଶନ ଓ ତତ୍ତ୍ବାବଧାନରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରି ମାତ୍ର କିଛି ମାସ ଭିତରେ ରାଜ୍ୟ କନିଷ୍ଠ ଦଳରେ ସ୍ଥାନ ପାଇଥି‌ଲେ। ଜାତୀୟ କନିଷ୍ଠ ପ୍ରତିଯୋଗିତାର ଟାୟାର-୧ ପ୍ରତିଯୋଗିତା‌ରେ ଓଡ଼ିଶାକୁ ସେମିଫାଇନାଲ୍‌କୁ ନେବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏହି ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ସାଫ୍‌ ଚାମ୍ପିଅନସିପ୍ ଲାଗି ଭାରତୀୟ ସମ୍ଭାବ୍ୟ ୧୬ ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ଗୋଆରେ ଆୟୋଜିତ ପ୍ରଶିକ୍ଷଣ ଓ ଚୟନ ଶିବିରରେ ଯୋଗ ଦେଇଥିଲେ। ସେଠାରେ ଚମତ୍କାର ପ୍ରଦର୍ଶନ କରି ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପକ୍କା କରି ନେଇଥିଲେ। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ସହ ସମଗ୍ର ଓଡ଼ିଶାକୁ ଗର୍ବିତ କରିଛନ୍ତି। ଖେଳ ସହ ପାଠପଢ଼ା ଜାରି ରଖିଛନ୍ତି। ସୁନ୍ଦରଗଡ଼ ଟାଉନ୍ ହାଇସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି।

ସହଯୋଗ ମିଳିଲେ ସିନିଅର୍‌ ଦଳରୁ ଖେଳିବ: ପ୍ରଶିକ୍ଷକ
ଭିଜିଲାନ୍ସ ଚାକିରି ଛାଡ଼ି ଫୁଟବଲ୍ ପ୍ରଶିକ୍ଷଣକୁ ପେସା କରିଥିବା ସୁନ୍ଦରଗଡ଼ କ୍ରୀଡ଼ା‌ ଛାତ୍ରାବାସର ଫୁଟବଲ୍ ପ୍ରଶିକ୍ଷକ ହୃଦୟରଂଜନ ସିଂହ (ଟୁନା) କହିଛନ୍ତି, ରୂପଶ୍ରୀଙ୍କ ପାଖରେ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପକ୍କା କରିବାର ସମସ୍ତ ଦକ୍ଷତା ଓ ପ୍ରତିଭା ଅଛି। ମୁଁ ନିଜେ ଜଣେ ଜାତୀୟସ୍ତରୀୟ ଖେଳାଳି ହୋଇଥିବାରୁ ତାକୁ ଭାରତୀୟ ଦଳରେ ସ୍ଥାନ ପାଇବାର ଲକ୍ଷ୍ୟ ନେଇ ହିଁ ପ୍ରଶିକ୍ଷଣ ଦେଉଛି। ସେ ମଧ୍ୟ ଫୁଟବଲ୍ ପାଇଁ ପୂରା ପାଗଳ। ଦିନେ ଭାରତୀୟ ବରିଷ୍ଠ ଦଳରୁ ଖେଳିବାର ଲକ୍ଷ୍ୟ ନେଇ ହିଁ ନିରନ୍ତର ପ୍ରୟାସ କରୁଛି। ସାଫ୍ ଚାମ୍ପିଅନସିପ୍‌ରେ ଭାରତୀୟ କନିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ବିବି ଥମାସ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ସବୁ ମ୍ୟାଚ୍ ଖେଳାଇବା ତା’ର ଜ୍ବଳନ୍ତ ଉଦାହରଣ। ତେବେ ଏଥିଲାଗି ତାକୁ ଆର୍ଥିକ ଓ ମାନସିକ ସ୍ତରରେ ସହଯୋଗ ମିଳିବା ଦରକାର। ଏହା ହେଲେ ସେ ନିଶ୍ଚିତ ଭାବେ ଦେଶ ଓ ରାଜ୍ୟର ନାଁ ରଖିବ।

ସମ୍ବନ୍ଧିତ ଖବର