ସାଖିର ଗ୍ରାଁ ପ୍ରି ଜିତିଲେ ପେରେଜ

ସାକିର: ରେସିଂ ପ‌ଏଣ୍ଟ୍‌ର ସର୍ଗିଓ ପେରେଜ ରବିବାର ମଧ୍ୟରାତ୍ରିରେ ବାହାରିନ ଇଣ୍ଟରନ୍ୟାସନାଲ ‌ସର୍କିଟରେ ଆୟୋଜିତ ସାଖିର ଗ୍ରାଁ ପ୍ରି ଟ୍ରଫି କରାୟତ୍ତ କରିଛନ୍ତି। ଏହି ମେକ୍ସିକୋ ଚାଳକ ୧ ଘଣ୍ଟା ୩୧ ମିନିଟ୍‌ ୧୫.୧୧୫ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରି ଜୀବନର ପ୍ରଥମ ଫର୍ମୁଲା ୱାନ୍‌ ମୁକୁଟ ଜିତିଥିଲେ। ୨୦୦୩ ପରେ ତାଙ୍କ ଦଳର ଏହା ପ୍ରଥମ ବିଜୟ। ପ୍ରଥମ ଲ୍ୟାପ୍‌ର ଶେଷରେ ଥିବା ପେରେଜ ବିଜେତା ହୋଇ ବିରଳ ସଫଳତା ପାଇଥିଲେ। ଏଥିସହ ଚଳିତ ବର୍ଷ ଫର୍ମୁଲା ୱାନ୍‌ରେ ଦ୍ବିତୀୟ ଥର ଲାଗି ନୂଆ ବିଜେତା ଦେଖିବାକୁ ମିଳିଥିଲା। ଗତ ସେପ୍ଟେମ୍ବରରେ ଇଟାଲିଆନ୍‌ ଗ୍ରାଁପ୍ରି ଜିତି ପିଏର ଗାସ୍‌ଲେ ଚଳିତ ବର୍ଷର ପ୍ରଥମ ନୂଆ ବିଜେତା ହୋଇଥିଲେ। ରବିବାର ରେନୋଁ ଚାଳକ ‌ଫ୍ରାନ୍ସର ଇଷ୍ଟେବାନ ଓକୋନ ଦ୍ବିତୀୟ ସ୍ଥାନରେ ରହି ଜୀବନରେ ପ୍ରଥମ ଥର ଲାଗି ପୋଡିୟମ ଫିନିସ୍‌ ପାଇଥିଲେ। ପେରେଜଙ୍କ ରେସିଂ ପଏଣ୍ଟ୍‌ ସାଥୀ କାନାଡ଼ାର ଲାନ୍ସ ଷ୍ଟ୍ରଲ ତୃତୀୟ ସ୍ଥାନରେ ରହିଥିଲେ। କରୋନା ଯୋଗୁଁ ୭ ଥର ବିଶ୍ବବିଜେତା ମର୍ସିଡିଜ୍‌ର ଲୁଇସ ହାମିଲଟନ୍‌ ଏହି ରେସ୍‌ରେ ଭାଗ ନେଇ ନଥିଲେ। ମର୍ସିଡିଜ୍‌ କିନ୍ତୁ ଜର୍ଜ ରସେଲଙ୍କ ଆଗ ଟାୟାରକୁ ଭୁଲ ସଂଯୋଗ କରିଥିବାରୁ ୨୦,୦୦୦ ୟୁରୋ ଦଣ୍ଡିତ ହୋଇଥିଲା।

ସମ୍ବନ୍ଧିତ ଖବର