ଋଷବ ଏବେ ସମ୍ପୂର୍ଣ୍ଣ ଫିଟ୍, ଆଇପିଏଲ-୨୦୨୪ରେ କରିବେ କମବ୍ୟାକ୍ !

ନୂଆଦିଲ୍ଲୀ: ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ଏବେ ପ୍ରାୟ ୧୪ମାସ ପରେ ଋଷବ ପଡ଼ିଆକୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। କିଛି ଦିନ ମଧ୍ୟରେ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ଋଷବଙ୍କୁ ନେଇ ବଡ଼ ଅପଡେଟ୍ ଦେଇଛି ବିସିସିଆଇ।

ଏକ୍ସରେ ପୋଷ୍ଟ କରି ବିସିସିଆଇ ଲେଖିଛି ଯେ, “ଡିସେମ୍ବର ୩୦, ୨୦୨୨ରେ ଋଷଭ ପନ୍ତ ଏକ କାର ଦୁର୍ଘଟଣାରେ ଆହତ ହୋଇଥିଲେ। ଏବେ ୧୪ମାସ ରିହାବରେ ରହି ପୁନରୁଦ୍ଧାର ପ୍ରକ୍ରିୟା ଦେଇ ଗତି କରିବା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଇପିଏଲ୍ ୨୦୨୪ ପାଇଁ ଫିଟ୍ ବୋଲି ମେଡିକାଲ ଟିମ୍ ଦ୍ବାରା ଘୋଷଣା କରାଯାଇଛି।” ବିସିସିଆଇର ଏଭଳି ପୋଷ୍ଟ ପରେ ପନ୍ତ ଆଇପିଏଲ୍ ୨୦୨୪ରେ ଖେଳିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

ଦୁର୍ଘଟଣା ପରେ ପନ୍ତ ଆଇପିଏଲ୍-୨୦୨୩ରୁ ବାଦ୍ ପଡିଥିଲେ। କିନ୍ତୁ ଏବେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଦେଢ଼ ବର୍ଷ ପରେ ପୁଣି ଥରେ ପଡ଼ିଆରେ ଖେଳୁଥିବାର ଦେଖିବେ।

ସମ୍ବନ୍ଧିତ ଖବର