ବାରବାଟୀ ଶତକକୁ ଭୁଲିନାହାନ୍ତି ଶାସ୍ତ୍ରୀ

ଭାରତୀୟ କ୍ରିକେଟ୍‌ର ପ୍ରଥମ ଛକା ମାଷ୍ଟର୍, ବେନସନ୍ ଆଣ୍ଡ୍ ହେଜେସ୍ ବିଶ୍ବ ଚାମ୍ପିଅନସିପ୍ ବିଜୟର ମହାନାୟକ, ଅଶି ଦଶକରେ କ୍ରିକେଟର ଗ୍ଲାମର୍ ବୟ, ପୂର୍ବତନ ଭାରତୀୟ ଅଧିନାୟକ ଓ ପ୍ରଶିକ୍ଷକ ତଥା ପ୍ରତିଷ୍ଠିତ ଭାଷ୍ୟକାର ରବି ଶାସ୍ତ୍ରୀ ନିଜ ଲମ୍ବା ତଥା ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍‌ରେ ବହୁ ଦାୟିତ୍ବରେ ରହି ଅସୁମାରି ସଫଳତା ସାଉଣ୍ଟିଛନ୍ତି। ‘ବିୟଣ୍ଡ କୋଚିଂ’ ନାମକ ଏକାଡେମି ଖୋଲି କ୍ରିକେଟ୍‌ର ବିକାଶ ପାଇଁ କାର୍ଯ୍ୟ କରୁଥିବା ଶାସ୍ତ୍ରୀ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ରାଜ୍ୟରେ ତୃଣମୂଳସ୍ତରରୁ କ୍ରିକେଟ୍‌ର ମାନ ବୃଦ୍ଧି, ଅନ୍ତର୍ଜାତୀୟ ଖେଳାଳି ଗଢ଼ିବା ଓ ଦକ୍ଷ ପ୍ରଶିକ୍ଷକ ସୃଷ୍ଟି କରିବା ଲକ୍ଷ୍ୟ ନେଇ କଟକରେ ସ୍ଥାପିତ ଏମଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍‌ ଏହି ମହାନ ତାରକାଙ୍କ ଏକାଡେମି ‘ବିୟଣ୍ଡ କୋଚିଂ’ ସହ ମଙ୍ଗଳବାର ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏଥିନେଇ ଭୁବନେଶ୍ବର ଆସିଥିବା ବେଳେ ଓଡ଼ିଶାକୁ ନେଇ ଥିବା ତାଙ୍କ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ସେ।

-ଆପଣଙ୍କ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ସ୍ମରଣୀୟ କ୍ଷଣ ବିଷୟରେ କିଛି କହନ୍ତୁ?
ରବି ଶାସ୍ତ୍ରୀ: ମୁଁ ସମ୍ଭବତଃ ବାରବାଟୀର ପ୍ରଥମ ଏକଦିବସୀୟ ଶତକ ହାସଲକାରୀ। ୧୯୮୪ ମସିହାରେ ଇଂଲଣ୍ଡ ବିପକ୍ଷରେ ମୁଁ ଏହି ଷ୍ଟାଡିୟମ୍‌ରେ ୧୦୨ ରନ୍‌ର ପାଳି ଖେଳି ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲି। କେବେବି ଭାବି ନଥିଲି ଯେ ୪୦ବର୍ଷ ପରେ ଓଡ଼ିଶା ସହ ଏମିତି ଭାବେ ଯୋଡ଼ିହେବି। ଓଡ଼ିଶା କ୍ରିକେଟ୍‌ର ବିକାଶ ପାଇଁ କାର୍ଯ୍ୟ କରିବା ଲାଗି ଏଭଳି ଏକ ସୁଯୋଗ ମୋତେ ମିଳିବ। ଏମ୍‌ଜିଏମ୍ ଏହି ସୁଯୋଗ ଦେଇଥିବାରୁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଓଡ଼ିଶା ସରକାର କ୍ରୀଡ଼ା ବିକାଶ ପାଇଁ ଅନେକ କିଛି କରୁଛନ୍ତି। ସେଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି, ତାଙ୍କୁ ଆମ ପ୍ରକଳ୍ପ ଓ ଭବିଷ୍ୟତ ଯୋଜନା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛୁ।

-ଅତୀତରେ ମାଇକେଲ୍ ବେଭାନ, ୱାସିମ ଜାଫର୍, ଭେଙ୍କଟପତି ରାଜୁ ଏବଂ ଏବେ ଦୀନେଶ ମୋଙ୍ଗିଆଙ୍କ ଭଳି ଖେଳାଳି ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରହିସାରିଛନ୍ତି। ହେଲେ ଗତ ଦେଢ଼ ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଶାରୁ ଜଣେ ହେଲେ ବି ଅନ୍ତର୍ଜାତୀୟ କ୍ରିକେଟର୍ ସୃଷ୍ଟି ହୋଇପାରିନାହାନ୍ତି ?
ରବି ଶାସ୍ତ୍ରୀ: ଏହା ଏକ ଭଲ ପ୍ରଶ୍ନ। ଅନ୍ୟମାନେ ଯାହା କରିନାହାନ୍ତି, ଆମେ ତାହା ହିଁ କରିବୁ। କେବଳ ଉନ୍ନତ ବୈଷୟିକ ବ୍ୟବସ୍ଥା କିମ୍ବା ବିଶ୍ବସ୍ତରୀୟ ଭିତ୍ତିଭୂମି ନୁହେଁ, ଆମେ ଓଡ଼ିଶ‌ାରେ ଉତ୍ତମ ପ୍ରଶିକ୍ଷକ ସୃଷ୍ଟି କରିବା ଉପରେ ଜୋର୍ ଦେବୁ। ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତାକୁ ବାଣ୍ଟି ଖେଳିବା ସ୍ତର ବଢ଼ାଇବା ଉପରେ ଧ୍ୟାନ ଦେବୁ।

-ଭାରତୀୟ ‌ଟ୍ବେଣ୍ଟି-୨୦ ଦଳରେ ବିରାଟ କୋହଲିଙ୍କ ସ୍ଥାନକୁ ନେଇ ତର୍କ ବିତର୍କ ଚାଲିଛି, ଆପଣ କ’ଣ କହିବେ?
ରବି ଶାସ୍ତ୍ରୀ: ବିଶ୍ବକପ୍ ଏବେ ବହୁ ଦୂର। ଏବେଠୁ ଏଥିନେଇ କିଛି କହିହେବନି। ତେବେ ବିଶ୍ବକପ୍ ଦଳ ବାଛିବା ପରେ ଚୟନକର୍ତ୍ତାମାନେ ଆଇପିଏଲ୍ ପ୍ରଦର୍ଶନକୁ ବିଚାରକୁ ନେବେ ବୋଲି ଆଶା କରୁଛି। ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ମୋ ପାଇଁ ଏଥିନେଇ ଅଧିକ କିଛି କହିବା ସମ୍ଭବ ନୁହେଁ। ଭାବନ୍ତୁ ମୁଁ ଯେମିତି କିଛି ଶୁଣିନି କି ଜାଣିନି।

-ଭାରତରେ ୧୫୦ କିଲୋମିଟରରୁ ଅଧିକ ଗତିର ପେସର୍‌ଙ୍କ ସଂଖ୍ୟା ସୀମିତ କାହିଁକି?
ରବି ଶାସ୍ତ୍ରୀ: ଆପଣ ଯଶପ୍ରୀତ ବୁମ୍‌ରାଙ୍କୁ ଦେଖିଛନ୍ତି ନା ନାହିଁ। ସେ ଜଣେ ବିଶ୍ବସ୍ତରୀୟ ବୋଲର୍‌। ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଅନ୍ୟମାନେ କ’ଣ ଭଲ ବୋଲର ନୁହନ୍ତି? ଗତିର କିଛି ମାନେ ନାହିଁ। ୱିକେଟ୍ ନେବା ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଆମ ପାଖରେ ଏବେ ଯେଉଁଭଳି ବୋଲର ଅଛନ୍ତି, ସେମାନେ ସମସ୍ତେ ଜଣେ ଜଣେ ମ୍ୟାଚ୍ ବିଜେତା।

ସମ୍ବନ୍ଧିତ ଖବର