ଆଇସିସି ରାଙ୍କିଙ୍ଗ୍: ବିଶ୍ବର ୧ନଂ ଦିନିକିଆ ବ୍ୟାଟର ହେଲେ ଗିଲ୍

ନୂଆଦିଲ୍ଲୀ: ବିଶ୍ବର ୧ନଂ ଦିନିକିଆ ବ୍ୟାଟର ହେଲେ ଶୁଭମନ ଗିଲ୍। ଭାରତୀୟ କ୍ରିକେଟର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ୍ ଘୋଷିତ କରାଯାଇଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଦିନିକିଆ ରାଙ୍କିଙ୍ଗ୍ ଅନୁଯାୟୀ, ଶୁଭମନ୍ ଗିଲ୍ ବର୍ତ୍ତମାନ ଦିନିକିଆ ଫର୍ମାଟରେ ବିଶ୍ୱ ନମ୍ବର- ୧ ବ୍ୟାଟ୍ସମ୍ୟାନ୍।

ଏହାପୂର୍ବରୁ ଦିନିକିଆ ଫର୍ମାଟରେ ନମ୍ବର -୧ ବ୍ୟାଟ୍ସମ୍ୟାନ୍ ଥିଲେ ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ। ତେବେ ଶୁଭମନ ଗିଲ୍ ଏବେ ବାବର ଆଜମଙ୍କୁ ଅତିକ୍ରମ କରି ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର -୧ ସ୍ଥାନ ଅଧିକାର କରିଛନ୍ତି। ଶୁଭମନ ଗିଲଙ୍କର ବର୍ତ୍ତମାନ ୮୩୦ରେଟିଂ ପଏଣ୍ଟ ଥିବାବେଳେ ବାବର ଆଜମ ୮୨୪ପଏଣ୍ଟ ସହ ନମ୍ବର ୨କୁ ଖସି ଆସିଛନ୍ତି।

ଗିଲ୍ ନଂ୧ ବ୍ୟାଟର ହୋଇଥିବା ବେଳେ ମହମ୍ମଦ ସିରାଜ୍ ଆଇସିସି ରାଙ୍କିଙ୍ଗରେ ନଂ୧ ବୋଲର ହୋଇଛନ୍ତି। ତେବେ ଗତ ଏକ ବର୍ଷ ଧରି ଶୁଭମାନ ଗିଲ ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ସେ ତିନୋଟି ଫର୍ମାଟ୍; ଦିନିକିଆ, ଟେଷ୍ଟ ଏବଂ ଟି -୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ମଧ୍ୟ ଗିଲଙ୍କର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି।

ଏହି ତାଲିକାର ପ୍ରଥମ ଓ ଦ୍ବିତୀୟ ସ୍ଥାନ ଗିଲ୍ ଓ ବାବର ଆଜମ ଗ୍ରହଣ କରିଥିବା ବେଳେ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ଅଛନ୍ତି। ତାଙ୍କର ୭୭୧ପଏଣ୍ଟ ରହିଛି। ଏହି ତିନିଜଣକ ବ୍ୟତୀତ ବିରାଟ କୋହଲି ମଧ୍ୟ ଏହି ବିଶ୍ୱକପରେ ୫୦୦ରୁ ଅଧିକ ରନ୍ ସ୍କୋର କରି ଆଇସିସି ଓଡିଆଇ ର଼୍ୟାଙ୍କିଙ୍ଗରେ ଚତୁର୍ଥ ସ୍ଥାନକୁ ଆସିଛନ୍ତି।

ସମ୍ବନ୍ଧିତ ଖବର