୩.୨୫କୋଟିର ମାଙ୍କିଡ଼ିଆ କଲୋନି ଭୂତକୋଠି: ଲୋକାୟୁକ୍ତ ନିର୍ଦ୍ଦେଶକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଫୁ

ଖୋଲା ଆକାଶ ତଳେ ୮୭ ମାଙ୍କିଡ଼ିଆ ପରିବାର, ନିର୍ବାଚନ ପରେ ପୁନର୍ବାର ଟେଣ୍ଡର ହେବ: ଅଧୀକ୍ଷଣ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲାର କ୍ରୋମ୍‌ ଉପତ୍ୟକା କାଳିଆପାଣି ଖଣି ଅଞ୍ଚଳବାସୀଙ୍କ ଜୀବନଯାତ୍ରା ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ। ବର୍ଷ ବର୍ଷ ଧରି ଖୋଲା ଆକାଶ ତଳେ ପଡ଼ିଥିବା ଭୂମିହୀନ ଶତାଧିକ ମାଙ୍କିଡ଼ିଆ ପରିବାର ପିଲାଛୁଆଙ୍କୁ ନେଇ ଡହଡହ ଖରାରେ ସିଝୁଛନ୍ତି। ସରକାର ସେମାନଙ୍କ ପାଇଁ ୫ବର୍ଷ ପୂର୍ବେ ୨୦୧୯ରେ ଡିଏମଏଫ ଅନୁଦାନରୁ ଯୋଗାଇ ଥିବା ୩.୨୫ କୋଟି ଟଙ୍କାରେ ନିର୍ମାଣାଧୀନ ନିମ୍ନମାନର କୁସୁମୁଣ୍ଡିଆ ମାଙ୍କିଡ଼ିଆ କଲୋନି ଏବେ ଭୂତକୋଠି ପାଲିଟିଛି। ସୁକିନ୍ଦା ବ୍ଲକ୍ ରାଁସୋଳ ପଞ୍ଚାୟତର ମଲ୍ଲାରସାହିରେ ମାଙ୍କିଡ଼ିଆ ଜନଜାତିର ୮୭ ପରିବାର ପାଇଁ ୨୦୧୯ ମସିହାରେ ଡିଏମ୍‌ଏଫ୍‌ରୁ ୩ କୋଟି ୨୫ଲକ୍ଷ ୧୮ହଜାର ୩୯୨ଟଙ୍କା ମଞ୍ଜୁର ହୋଇଥିଲା। କୁସୁମୁଣ୍ଡିଆଠାରେ ନୂତନ କଲୋନି ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୦ ସୁଦ୍ଧା ହିତାଧିକାରୀ ମାଙ୍କିଡ଼ିଆ ପରିବାରକୁ ଘର ହସ୍ତାନ୍ତର କରିବାକୁ ସଂପୃକ୍ତ ଠିକାଦାର ଭାଗବତ ଖଟୁଆଙ୍କ ସହ ଚୁକ୍ତିନାମା ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି କଲୋନି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ।

ମାତ୍ର, ଏଥିରେ ଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତରେ ମାମଲା ରୁଜୁ ହୋଇଥିଲା। ପରେ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଭିଜିଲାନ୍ସ ତଦନ୍ତରେ ଦୁର୍ନୀତି ଅଭିଯୋଗରୁ ଠିକାଦାର ଓ ଯନ୍ତ୍ରୀ ଖସିଗଲେ। ମାତ୍ର, ଗତ ଫେବ୍ରୁଆରି ୯ରେ ଲୋକାୟୁକ୍ତ ତାଙ୍କ ରାୟରେ ତୁରନ୍ତ କଲୋନି କାମ ଶେଷକରି ମାଙ୍କିଡ଼ିଆ ପରିବାରକୁ ହସ୍ତାନ୍ତର କରିବାକୁ ଯାଜପୁର ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଓ ଡିଏମଏଫ ମୁଖ୍ୟ ଜିଲ୍ଲାପାଳଙ୍କୁ କହିଥିଲେ। ତୁରନ୍ତ ନିର୍ମାଣ କାମ ଶେଷ କରିବାକୁ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଆଜିପର୍ଯ୍ୟନ୍ତ ନିର୍ମାଣ କାମ ଶେଷହେବା ଦୂର କଥା, ରିଟେଣ୍ଡର ହୋଇନାହିଁ। ଆର୍‌ଡି ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବାରୁ ଟେଣ୍ଡର ହୋଇପାରିନାହିଁ। ନିର୍ବାଚନ ପରେ ଟେଣ୍ଡର ହେବ।

ସମ୍ବନ୍ଧିତ ଖବର