ବଣ୍ଡା ଜନଜାତିଙ୍କ ଆତିଥ୍ୟ ଭିନ୍ନ ଓ ଅନନ୍ୟ: ଅତିଥି ସେବାରେ ନିଜକୁ ଉତ୍ସର୍ଗ କରିଦିଅନ୍ତି

ମାଲକାନଗିରି: ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାଇ, ଦୁରୁଆ, କୋୟା ଭଳି ସଂପ୍ରଦାୟ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ବଣ୍ଡା ଜନଜାତି ସର୍ବ ପୁରାତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଜନଜାତିର ପରଂପରା, ସଂସ୍କୃତି, କଳା ଏବଂ ଚାଲିଚଳଣ ଅନ୍ୟମାନଙ୍କ ଠାରୁ ଅଲଗା ହେଲେ ମଧ୍ୟ ଏମାନେ ବାର ମାସରେ ତେର ପର୍ବ ପାଳନ୍ତି। ଏହି ଜନଜାତି ଜିଲ୍ଲାର ଖଇରପୁଟ ବ୍ଲକର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚ ପାହାଡ ଉପରେ ବସବାସ କରନ୍ତି। ପାହାଡ ଉପରେ ଦୁଇଟି ପଞ୍ଚାୟତ ରହିଛି। ମୁଦୁଲିପଡା ଏବଂ ଅଣ୍ଡ୍ରାହାଲ ପଞ୍ଚାୟତର ୩୨ଟି ଗ୍ରାମରେ ପ୍ରାୟ ୭ ହଜାର ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି।

ଏବେ ବଣ୍ଡାଘାଟିରେ ଚୈତ୍ର ପରବ ଧୁମଧାମରେ ପାଳିତ ହେଉଛି। ଅନ୍ୟ ଜନଜାତିଙ୍କ ଭଳି ଏମାନଙ୍କର ମଧ୍ୟ ପରବ ପାଳନ କରିବାରେ ଭିନ୍ନ ପରଂପରା ରହିଛି। ଏମାନେ ମଧ୍ୟ ଚୈତ୍ର ପରବରେ ବେଣ୍ଟ ଶିକାର କରିବାକୁ ଯାନ୍ତି। ଏହି ପରବରେ ଆମ୍ବ ସହ ମକା ଏବଂ ଅନ୍ୟ ପନିପରିବା ଖାଇଥାନ୍ତି।

ତେବେ ପରବ ସମୟରେ ହେଉ ବା ଅନ୍ୟ ସମୟରେ ଯଦି ଏମାନଙ୍କ ଗାଁକୁ କେହି ଅତିଥି ଯାନ୍ତି ତେବେ ସେମାନଙ୍କ ଆତିଥ୍ୟ ସେବାରେ ନିଜକୁ ଉତ୍ସର୍ଗ କରିଦିଅନ୍ତି। ଏମାନେ ପୂର୍ବରୁ ଏକ ପ୍ରକାର ହିଂସ୍ର ଥିଲେ। ସବୁବେଳେ ଧନୁତୀର ଧରି ଜଂଗଲରେ ବୁଲନ୍ତି। ନୂଆ ଲୋକଙ୍କୁ ଦେଖିଲେ ଗୋଡାଇ ଆଣନ୍ତି। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ଲୋକଙ୍କ ସହ ମିଳାମିଶା କରିବା ପରେ ଆଧୁନିକତାର ସ୍ପର୍ଶ ଏମାନଙ୍କୁ ଛୁଇଁସାରିଲାଣି।ଏମାନଙ୍କ ଘରକୁ ଅତିଥି ହୋଇ ଯିବା ପରେ ସେମାନେ ନିଜର ପରଂପରା ଅନୁଯାୟୀ ଭଗବାନ ସଦୃଶ୍ୟ ଅତିଥିଙ୍କୁ ସମସ୍ତ ସେବା ଯୋଗାନ୍ତି। ନିଜର ପାରଂପାରିକ ବେଶଭୂଷା ମଧ୍ୟ ପିନ୍ଧିବାକୁ ଦିଅନ୍ତି। ସେମାନେ ଯାହା ଖାନ୍ତି ତାକୁ ମଧ୍ୟ ଅତିଥି ନିକଟରେ ପରଶି ଦିଅନ୍ତି। କାହିଁ କେଉଁ କାଳରୁ ଚାଲିଆସୁଥିବା ଚାଲିଚଳଣ ମଧ୍ୟରୁ ଅତିଥିଙ୍କୁ ନିଜେ ରାନ୍ଧିଥିବା ମଦ ଓ ପାଳିଥିବା କୁକୁଡା ମାଂସର ସ୍ବାଦ ମଧ୍ୟ ଚଖାନ୍ତି। ଏହି ଆତିଥ୍ୟ ସେବାରେ ଏହି ଜନଜାତିଙ୍କ ନିକଟରେ ନିଶ୍ଚିତ ଭାବେ ଋଣ ରହିବ। ଅତିଥି ଯିବା ସମୟରେ ବାଡିରେ ଫଳିଥିବା ଖାଦ୍ୟଶସ୍ୟ,ପନିପରିବା ହେଉ ବା ପାଳିଥିବା କୁକୁଡା, ଛେଳିକୁ ମଧ୍ୟ ଅତିଥିଙ୍କୁ ପ୍ରଦାନ କରାଯାଇଥାଏ। ପୁଣି ଦୀର୍ଘ ଦିନ ମନେ ରଖିବା ପାଇଁ ସେମାନଙ୍କ ଦ୍ବାରା ତିଆରି କରାଯାଇଥିବା ମାଳି ଏବଂ ଅଳଙ୍କାର ମଧ୍ୟ ପ୍ରଦାନ କରିଥାନ୍ତି। ଯାହା ସ୍ମୃତି ହୋଇ ଅନେକ ଦିନ ରହିବ ଏବଂ ମନେ ପକାଉଥିବ।ଏଭଳି ଏକ ଜନଜାତିଙ୍କ ଏହି ଭିନ୍ନ ଓ ଅନନ୍ୟ ଅତିଥି ସେବା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ।

ସମ୍ବନ୍ଧିତ ଖବର