ସଡ଼କ ଦୁର୍ଘଟଣାରେ ଚାଲିଗଲେ ୩ ସାଙ୍ଗ: ସୁରତରେ ବନ୍ଧୁତ୍ବ ଦିବସ ପାଳି ଫେରୁଥିଲେ

ଏକ ସୂତା କଳରେ ଶ୍ରମିକ ଭାବେ କାମ କରୁଥିଲେ, ଆଇସିୟୁରେ ଜୀବନ ଯୁଦ୍ଧଲେ ଦିନେଶ

ଆସିକା/ବ୍ରହ୍ମପୁର: ବନ୍ଧୁତ୍ବ ଦିବସ ପାଳିବା ପରେ ଖୁସି ମନରେ ୪ ସାଙ୍ଗ ଘରକୁ ‌ଫେରୁଥିଲେ। ‌ହେଲେ ରାସ୍ତାରେ ଛକିଥିଲା ମୃତ୍ୟୁ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ବନ୍ଧୁ ପ୍ରାଣ ହରାଇଥିବା ବେଳେ ଜଣେ ଡାକ୍ତରଖାନାରେ ଜୀବନଯୁଦ୍ଧଲେ ଲଢ଼ୁଛନ୍ତି। ସୁରତର ଆମ୍ରୋଲି ଥାନା ଇଲାକାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ଏଭଳି ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସେମାନେ ‌ହେଲେ, ଗଞ୍ଜାମ ଜିଲ୍ଲା ଆସିକା ଥାନା ମଙ୍ଗଳପୁର ଗ୍ରାମର ମିଥୁନ ଡାକୁଆ, ମାମୁଡିହ ଗ୍ରାମର ଶରତ ନାୟକ ଓ ଭୁବନେଶ୍ବରର ଅକ୍ଷୟ ସ୍ବାଇଁ। ସେହିପରି ଆସିକା ନିକଟ ବାଲିସିରାର ଦିନେଶ ବେହେରାଙ୍କୁ ଗୁରୁତର ଅବସ୍ଥାରେ ସୁରତର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ତାଙ୍କୁ ରଖାଯାଇଥିବା ସୂଚନା ମିଳିଛି।

ସୂଚନାନୁସ‌ାରେ, ମିଥୁନ୍, ଶରତ, ଅକ୍ଷୟ ଓ ଦୀନେଶ୍ ସୁରତ‌ରେ କୋସାଡ଼ର ଆବାସ କଲୋନିରେ ରହୁଥିଲେ। ସମସ୍ତେ ସୂତାକଳରେ କାମ କରୁଥିଲେ। ଗତ ରବିବାର ବନ୍ଧୁତ୍ବ ଦିବସ ପାଳନ କରିବାକୁ ସମସ୍ତେ ଏକ ଅଟୋରେ ଅଞ୍ଜନି ଶିଳ୍ପାଞ୍ଚଳକୁ ଯାଇଥିଲେ। ଅକ୍ଷୟ ଅଟୋ ଚଳାଉଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ଆମ୍ରୋଲି ଥାନା ଅଧୀନ ଅଞ୍ଜନି ଶିଳ୍ପାଞ୍ଚଳ ରାସ୍ତା ଜିଆ ଫାର୍ମ ନିକଟରେ ଏକ ଅଜଣା ଗାଡ଼ି ସହ ଧକ୍କା ହେବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ହିଁ ମିଥୁନ୍ ପ୍ରାଣ ହରାଇଥିଲେ। ଅନ୍ୟ ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରି ସ୍ମିମେର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶରତ ଓ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା। ଦୀନେଶ୍‌ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣା ପରେ ମିଥୁନ୍‌ଙ୍କ ନିଜ ଗାଁ ମଙ୍ଗଳପୁର ଏବଂ ଶରତଙ୍କ ନିଜ ଗାଁ ମାମୁଡିହରେ ଶୋକର ଛାୟା ଖେଳିଯାଇଛି। ଶରତଙ୍କ ପୂରା ପରିବାର ତଥା ପତ୍ନୀ, ବାପାମାଆ ଓ ଭାଇ ସୁରତରେ ରହୁଛନ୍ତି। ସେହିପରି ମିଥୁନଙ୍କ ପତ୍ନୀ ଓ ଅନ୍ୟ ପରିବାରବର୍ଗ ସୁରତରେ ରହୁଛନ୍ତି। ଶୁଦ୍ଧିକ୍ରିୟା ପାଇଁ ଶରତଙ୍କ ପରିବାରବର୍ଗ ଗ୍ରାମକୁ ଫେରିବେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆମ୍ରୋଲି ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି। ସୂଚନା ଥାଉକି, ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଗତ ୬ ମାସ ମଧ୍ୟରେ ରାଜ୍ୟ ବାହାରେ ଓ ବିଦେଶରେ କାମ କରୁଥିବା ପ୍ରାୟ ୩୦ ଜଣ ଶ୍ରମିକ ଦୁର୍ଘଟଣା କିମ୍ବା ବିଭିନ୍ନ କାରଣରୁ ପ୍ରାଣ ହରାଇ ସାରିଲେଣି।

ସମ୍ବନ୍ଧିତ ଖବର