ସ୍ବାସ୍ଥ୍ୟସେବାରେ ୩୭୩୨ ନୂଆ ନର୍ସିଂ ଅଫିସର

ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଆଜି ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି। ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ନର୍ସିଂ ଅଫିସରଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ୍‌ ଓ ମଦର ଟେରେସାଙ୍କ ପରି ସେବା ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ନିଷ୍ଠାର ସହ ଏହି ମୂର୍ତ୍ତିମନ୍ତ ପ୍ରତୀକଙ୍କ ଆଦର୍ଶରେ କାମ କଲେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ରୋଗୀ ସେବା ଏକ ମହାନ ସେବା। ରାଜ୍ୟସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏ ଦିଗରେ ନର୍ସିଂ ଅଫିସରମାନଙ୍କ ଗୁରୁ ଦାୟିତ୍ବ ରହିଛି। ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ ଓ ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରିପାରିବେ ଏହାର ଦାୟିତ୍ବ ହେଉଛି ନର୍ସିଂ ଅଫିସରଙ୍କର। ନିଷ୍ଠା ଓ ସେବା ହିଁ ରୋଗୀଙ୍କ ବିଶ୍ବାସ ବୃଦ୍ଧି କରିପାରିବ। କରୋନା ସମୟରେ ଡାକ୍ତରଙ୍କ ସହିତ ନର୍ସିଂ ଅଫିସରମାନେ ବହୁତ ଭଲ କାମ କରିଥିଲେ। କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସରଙ୍କ ବହୁତ ବଡ଼ ଭୂମିକା ଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ଫିଡ୍‌ବ୍ୟାକ୍‌ ଆସୁଛି। ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁବେଳେ ଉଦ୍ୟମ ଜାରି ରହିଛି। ନୂଆ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଓ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁନିଶ୍ଚିତ କରାଯାଇଛି ବୋଲି ସେ କହିଥିଲେ। ମୁଖ୍ୟ ଶାସନ ସଚିବ ପି.କେ ଜେନା କହିଥିଲେ, ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନିଯୁକ୍ତି ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବ। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସରଙ୍କ ସହ ମତ ବିନିମୟ କରିଥିଲେ। ପ୍ରାରମ୍ଭରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଡା.ରାମଚନ୍ଦ୍ର ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର