ରେଳଧାରଣାରେ ପଶିଗଲା କାର ବୋଝେଇ କଣ୍ଟେନର୍‌

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ବର ବାମପଦା ଛକ ନିକଟରେ ଆଜି ଏକ କାର୍‌ ବୋଝେଇ କଣ୍ଟେନର୍‌ ଗୋଟିଏ ସୁଜୁକି ଜିମି ଗାଡ଼ିକୁ ଧକ୍କା ଦେଇ ନିକଟସ୍ଥ ରେଳଧାରଣାକୁ ପଶିଯାଇଥିଲା। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ହେବା ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରେଳଧାରଣାରୁ ଦୁର୍ଘଟଣାଗ୍ରସ୍ତ କଣ୍ଟେନରକୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ସୂଚନା​ ମୁତାବକ, ଏକ କାର୍‌ ବୋଝେଇ କଣ୍ଟେନର୍‌ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବାମପଦା ରେଲୱେ କ୍ରସିଂ ନିକଟରେ ଆଗରେ ଯାଉଥିବା ଏକ କଳାରଙ୍ଗର ସୁଜୁକି ଜିମି ଗାଡ଼ିକୁ ଜୋର୍‌ରେ ଧକ୍କା ଦେଇଥିଲା।

ଉଭୟ ଗାଡ଼ି ଭାରସାମ୍ୟ ହରାଇ ରେଳଧାରଣା ଭିତରକୁ ପଶିଯାଇଥିଲେ। ଦୁର୍ଘଟଣାରେ ରେଳଧାରଣାର କିଛି ଅଂଶ, ଯନ୍ତ୍ରାଂଶ ଓ ସିଗ୍‌ନାଲ ଉପକରଣ ନଷ୍ଟ ହୋଇଯାଇଛି। ସୁଜୁକି ଜିମି ଗାଡ଼ି ପଛପଟେ କେହି ବସି ନଥିଲେ। ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି। ବାମପଦା ଛକ​ସ୍ଥିତ ରେଲୱେ କ୍ରସିଂଠାରେ ରାସ୍ତା ଉପରେ ଏକାଧିକ ବଡ଼ ଗାତ ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ମରାମତି ନକରି ଟ୍ରାକ୍‌ କଡ଼ରେ ରବର ବିଛାଯାଇଥିବାରୁ ତା ଉପରେ ଗାଡ଼ି ଚଳାଚଳ ହୋଇପାରୁନି। ଖବର ପାଇ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣା କ୍ଷୟକ୍ଷତି ଯାଞ୍ଚ କରିଥିଲେ। ସ୍ଥାନୀୟ ଲୋକେ ଓ ଶିଳ୍ପାଞ୍ଚଳ ଥାନା ପୁଲିସ ଉକ୍ତ ରାସ୍ତା ସମସ୍ୟା ବାବଦରେ ରେଳ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଅପରାହ୍‌ଣ ୪ଟାରେ କଣ୍ଟେନରକୁ ରେଳ ଧାରଣାରୁ ଉଠାଇ ନିଆଯିବା ପରେ ରେଳ ବିଭାଗ ଜରୁରୀକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର