ନୂଆଦିଲ୍ଲୀ: ନ୍ୟାୟିକ ପ୍ରତିଷ୍ଠାନ ପାଇଁ ଗତ କିଛି ବର୍ଷ ମଧ୍ୟରେ ଯେଉଁ ପ୍ରାଦ୍ୟୋଗିକ ଉନ୍ନତି ହୋଇଛି, ତାକୁ ପୂର୍ଣ୍ଣମାତ୍ରାରେ ଉପଯୋଗ କର। ଗତକାଲି ଓଡ଼ିଶା ଆଇନଜୀବୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ଅବସରରେ ଏଭଳି ଆଶାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ବିଚାରପତି ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କଲା ବେଳେ ସୂଚନା ଦିଆଯାଇଥିଲା ଯେ ଓଡ଼ିଶାର ୧୦ଟି ଜିଲ୍ଲାରେ ଆଇନଜୀବୀଙ୍କ ପାଇଁ ‘ଭର୍ଚୁଆଲ୍ ମୋଡ୍’ରେ ଉପସ୍ଥାପନ ବ୍ୟବସ୍ଥା ହୋଇଥିବାରୁ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି। ଏବେ ଏହି ସବୁ ଜିଲ୍ଲାର ଆଇନଜୀବୀମାନେ ଓଡ଼ିଶା ହାଇକୋର୍ଟଙ୍କୁ ସିଧାସଳଖ ସମ୍ବୋଧନ କରିପାରିବେ। ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ମଧ୍ୟ ଭର୍ଚୁଆଲ୍ ଶୁଣାଣିର ବ୍ୟବସ୍ଥା ହେବ।
ଏହା ଉପରେ ଖଣ୍ଡପୀଠ ଟିପ୍ପଣୀ ଦେଇ କହିଲେ ଯେ ଏହା ଏକ ଉତ୍ତମ ପ୍ରୟାସ। ଓଡ଼ିଶା ହେଉ କିମ୍ବା ଅନ୍ୟ ରାଜ୍ୟ, କୋଭିଡ୍ ସମୟରେ ଭର୍ଚୁଆଲ ଶୁଣାଣି ପାଇଁ ବୈଷୟିକ ଭିତ୍ତିଭୂମି ପ୍ରତିଷ୍ଠାରେ ଅଧିକ ଅର୍ଥ ଉପଯୋଗ ହୋଇଛି। ଚଳିତ ବର୍ଷର ବଜେଟ୍ରେ ମଧ୍ୟ ନ୍ୟାୟିକ ସଂସ୍ଥାନମାନଙ୍କ ବୈଷୟିକ ଉନ୍ନତି ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ହୋଇଛି। ବିଭିନ୍ନ ସମୟରେ ସୂଚନା ଦିଆଯାଉଛି ଯେ ହାଇକୋର୍ଟ ଓ ଟ୍ରିବ୍ୟୁନାଲଗୁଡିକରେ କିଛି ସମସ୍ୟା ରହୁଛି। ବୈଷୟିକ ଭିତ୍ତିଭୂମି ଢାଞ୍ଚାର ଉପଯୋଗ କରାଯାଉନଥିବାରୁ ଏହି ସମସ୍ୟା ହେଉଛି ବୋଲି ଖଣ୍ଡପୀଠ କହିଥିଲେ।
ଏହି ଅବସରରେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ପ୍ରଯୁକ୍ତି ବିକାଶ ପାଇଁ ପ୍ରଦତ୍ତ ରାଶିକୁ ଉପଯୋଗ କରାଯାଉ। ଆମେ ଆଶା କରୁଛୁ, ସମସ୍ତ ବିଚାର ବ୍ୟବସ୍ଥା ପ୍ରତିଷ୍ଠାନ, ଟ୍ରିବ୍ୟୁନାଲ, ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ବୈଷୟିକ ବ୍ୟବସ୍ଥାର ସର୍ବୋତ୍ତମ ଭିତ୍ତିଭୂମି ପ୍ରତିଷ୍ଠା ହେଉ। ଯାହାକି ଆଇନଜୀବୀମାନଙ୍କୁ ସେମାନଙ୍କ ସୁବିଧା ଆଧାରରେ ଶାରୀରିକ କିମ୍ବା ‘ଭର୍ଚୁଆଲ ମୋଡ’ରେ ଶୁଣାଣିରେ ଭାଗ ନେବା ପାଇଁ ସୁବିଧା ପ୍ରଦାନ କରିବ। ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ବିକାଶ ସିଂହ କହିଲେ ଯେ ଭର୍ଚୁଆଲ ବ୍ୟବସ୍ଥା ଯେତେବେଳେ ପ୍ରଭାବୀ ହେବ ସେତେବେଳେ ସମସ୍ତ ଅଦାଲତ ବସ୍ତୁତଃ କାର୍ଯ୍ୟ କରିବାରେ ସକ୍ଷମ ହେବେ। ଅନ୍ୟଥା କିଛି ଅଦାଲତର ଲାଭ ହେବ, ବୈଷୟିକ ଭିତ୍ତିଭୂମି ସ୍ବଳ୍ପତା କାରଣରୁ ଅନ୍ୟମାନଙ୍କର କ୍ଷତି ହେବ। ସେ କହିଲେ ଭର୍ଚୁଆଲ୍ରେ ଶୁଣାଣି ହେବ କି ନାହିଁ ତାହା ଉପରେ ବ୍ୟାପକ ବିତର୍କର ଆବଶ୍ୟକତା ଅଛି। ଆଜି ଯଦି ଭର୍ଚୁଆଲ୍ ବିକଳ୍ପ ଦିଆଯିବ ତାହାହେଲେ କୋର୍ଟ ଖାଲି ହୋଇଯିବ। ଏହା ଶୁଣିବା ପରେ ଜଷ୍ଟିସ କୌଲ କହିଲେ, ଆପଣ ଭୁଲ କହୁଛନ୍ତି। ଉଭୟ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ ଜଷ୍ଟିସ୍ କୌଲ କହିଲେ, ସମସ୍ତେ ଜାଣନ୍ତି ଶାରୀରିକ (ଫିଜିକାଲ୍) ଶୁଣାଣି ଉତ୍ତମ।