୮୬ ବର୍ଷରେ ପ୍ରଣବ: ରେ ଆତ୍ମନ୍‌ ନିଦ୍ରା ପରିହରି…

ଭୁବନେଶ୍ବର: ତାଙ୍କ ସ୍ବରର ସମ୍ମୋହନୀ ଶକ୍ତିରେ ବନ୍ଦୀ ସାରା ଓଡ଼ିଶାବାସୀ। କଣ୍ଠରେ ତାଙ୍କର ମା’ ସରସ୍ବତୀଙ୍କ ସ୍ପର୍ଶ। କଣ୍ଠ ସ୍ବର ଯେତିକି ନିଆରା, ତାଙ୍କ ଗୀତରେ ରହିଛି ସେତିକି ଜୀବନଧର୍ମୀ ବା‌ର୍ତ୍ତା। କେବେ ସେ ପ୍ରେମିକ ସାଜି ପ୍ରେମରସରେ ବୁଡ଼ାନ୍ତି ତ’ କେବେ ଭକ୍ତିଭାବରେ ଭକ୍ତ ମନକୁ ବ୍ୟାକୁଳ କରାନ୍ତି। ସଙ୍ଗୀତକୁ ନେଇ ତାଙ୍କ ଜୀବନ ସମର୍ପିତ ହୋଇଥିବା ବେଳେ ୫୦ ବର୍ଷର ସଙ୍ଗୀତ ଯାତ୍ରାରେ ପ୍ରାୟ ୪୦୦୦ ଗମ୍ଭୀର ଓ ଜୀବନଧର୍ମୀ ସଙ୍ଗୀତ ଗାଇ ଶ୍ରୋତାଙ୍କୁ ଆନମନା କରିଛନ୍ତି ପ୍ରଣବ ପଟ୍ଟନାୟକ। ସେ ଏମିତି ଜଣେ କଳାକାର ଯାହାଙ୍କ ସହ କାହାର ପ୍ରତିସ୍ପର୍ଦ୍ଧା ନଥିଲା। ସମସ୍ତ ବଡ଼, ସାନ ଓ ସମସ୍କନ୍ଧଙ୍କ ସହ ସୁସମ୍ପର୍କ ରଖି ସେ ପାଲଟି ଯାଇଛନ୍ତି ଜଣେ ନିର୍ବିବାଦୀୟ କଳାକାର। ଓଡ଼ିଆ ସଙ୍ଗୀତ ଜଗତର ଏହି ବର୍ଷିଆନ କଣ୍ଠଶିଳ୍ପୀ ଜୀବନର ୮୫ ବସନ୍ତ ଦେଖିସାରି ଆଜି ୮୬ ବର୍ଷରେ ପାଦ ଥାପିଛନ୍ତି।

ପ୍ରଣବ ଦିନେ ଏହି ସଙ୍ଗୀତ ପାଇଁ ହିଁ ନିଜର ଅନ୍ୟ ଏକ ରୁଚି ‘ଖେଳ’କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପ୍ରଣବ ଥରେ କହିଥିଲେ, କଟକର ‘ନାରୀ ସେବାସଂଘ ସଦନ’ରେ ଏଚ୍‌ଏମ୍‌ଭି କମ୍ପାନି ଆସି ବାଳକୃଷ୍ଣ ଦାଶ, ନିମାଇଁ ହରିଚନ୍ଦନଙ୍କ ଗୀତ ରେକର୍ଡିଂ କରୁଥିଲା। ଏହା ଦେଖି ମୁଁ ଭାବୁଥିଲି ମତେ ଥରେ ଏମିତି ସୁଯୋଗ ମିଳନ୍ତାନି? ସେ ସମୟରେ ମୋର ସଙ୍ଗୀତ ସହ ଖେଳରେ ବି ଭାରି ରୁଚି ଥିଲା। ମୁଁ ଫୁଟ୍‌ବଲ୍‌ ଓ ଟେନିସ୍‌ ଖେଳୁଥିଲି। ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ପଣ୍ଡିତ ବିନୋଦ ବିହାରୀ ଶ୍ରୀଚନ୍ଦନ ମୋତେ କହିଥିଲେ, ଖେଳ ଓ ଗୀତ; ଏ ଦୁଇଟି ଭିତରୁ ଗୋଟେ ବାଛେ। ଯଦି ଗୀତ ଗାଇବାକୁ ଚାହୁଁଛୁ ତା’ହେଲେ ଖେଳ ଛାଡ଼େ, ନହେଲେ ଭୋକାଲ କଡ୍‌ ଉପରେ ପ୍ରଭାବ ପଡ଼ିବ। ଗୀତ ଗାଇବାରେ ଅସୁବିଧା ହେବ, ସ୍ବର ଧରିବନି। ତେଣୁ ବାଧ୍ୟ ହୋଇ ସେ ଖେଳ ଛାଡ଼ିଥିଲେ। ୭୦ରୁ ୮୦ ମସିହା ପର୍ଯ୍ୟନ୍ତ ପ୍ରଣବ ନିଜ କଣ୍ଠର ଯାଦୁରେ ସଙ୍ଗୀତ ଦୁନିଆରେ ନୂଆ ଇତିହାସ ଲେଖିବା ଆରମ୍ଭ କରି ଦେଇଥିଲେ। ସେତେବେଳେ ସଙ୍ଗୀତ ଜଗତର ଦୁଇଟି ତ୍ରିଭୂଜ ଭାବେ ‘ପ୍ରଣବ ପଟ୍ଟନାୟକ-ଅକ୍ଷୟ ମହାନ୍ତି- ସିକନ୍ଦର ଆଲମ’ ଓ ‘ଶାନ୍ତନୁ ମହାପାତ୍ର- ଗୁରୁକୃଷ୍ଣ ଗୋସ୍ବାମୀ-ପ୍ରଣବ ପଟ୍ଟନାୟକ’ ବେଶ୍ ଚର୍ଚ୍ଚିତ ଥିଲେ। ମା’ ଚଳଚ୍ଚିତ୍ରରୁ ଉଭୟ ଅକ୍ଷୟ ମହାନ୍ତି ଓ ପ୍ରଣବ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ଏହାର ଦୁଇ ବର୍ଷ ପରେ ସିକନ୍ଦର ଆଲମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ସଂଯୋଜନାରେ ପ୍ରଣବ ତିନିଟି ଗୀତ ମଧ୍ୟ ଗାଇଛନ୍ତି। ‘ମଲାଜହ୍ନ’ ଚଳଚ୍ଚିତ୍ରର ‘ମୁଁ ତ କୂଳରୁ ହେଲି ବାହାର…, ‘ଯାଯାବର’ ଚଳଚ୍ଚିତ୍ରର ‘ହାଏ ତୋ ହରିଣୀ ଆଖି… ଓ ‘ଅଶାନ୍ତ ଗ୍ରହ’ ଚଳଚ୍ଚିତ୍ରର ‘ମୁଁ ଯେ ଅମୃତ ସାଗର ବିନ୍ଦୁ…’ ଆଦି ସଙ୍ଗୀତର ସଂଯୋଜନା ଅକ୍ଷୟ ମହାନ୍ତି କରିଥିବା ବେଳେ ପ୍ରଣବ ପଟ୍ଟନାୟକ ଏ ସବୁରେ କଣ୍ଠଦାନ କରିଥିଲେ। ସେହିଭଳି ଗୁରୁକୃଷ୍ଣ ଗୋସ୍ବାମୀଙ୍କ ଲିଖିତ, ଶାନ୍ତନୁ ମହାପାତ୍ରଙ୍କ ସଂଯୋଜନା ଓ ପ୍ରଣବ ପଟ୍ଟନାୟକଙ୍କ ସ୍ବରରେ ପ୍ରସ୍ତୁତ ସଙ୍ଗୀତ ଆଜି ଯାଏ ଚିରସବୁଜ ହୋଇ ରହିଯାଇଛି। ଏହି ତିନିଙ୍କ ମିଳିତ ପ୍ରସ୍ତୁତି ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ସଙ୍ଗୀତ ‘ଅନ୍ତରେ କାନ୍ଦେ ବାହାରେ ହସେ ମୁଁ, ଏଇ ମୋର ପରିଚୟ…’ ସେ ସମୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ସେହିଭଳି ଗୁରୁକୃଷ୍ଣ ଗୋସ୍ବାମୀ ଓ ଶାନ୍ତନୁ ମହାପାତ୍ରଙ୍କ ପ୍ରସ୍ତୁତ ‘ଅରୁନ୍ଧତୀ’ ଚଳଚ୍ଚିତ୍ରର ସଙ୍ଗୀତ ‘ଏଇ ଛୋଟ କଥାଟିଏ ଭୁଲନା..’. ପ୍ରଣବଙ୍କ ସହ ଉଷା ମଙ୍ଗେସକର ମିଶି ଗାଇଥିଲେ। ଏହା ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏମିତି କୌଣସି ସଙ୍ଗୀତ ନିର୍ଦ୍ଦେଶକ ନାହାନ୍ତି, ଯାହାଙ୍କ ସହ ପ୍ରଣବ ଗୀତ ଗାଇ ନାହାନ୍ତି।

ସଙ୍ଗୀତର ସବୁ ଧାରାକୁ ପ୍ରଣବଙ୍କ ଗାୟନ ସଫଳତାର ସହ ସ୍ପର୍ଶ କରିଛି: ସୂର୍ଯ୍ୟ ଦେଓ
ଓଡ଼ିଆ ସଙ୍ଗୀତ ଧାରାର ଏମିତି କୌଣସି ଦିଗ ନାହିଁ, ଯାହାକୁ ପ୍ରଣବ ପଟ୍ଟନାୟକ ସ୍ପର୍ଶ କରିନାହାନ୍ତି। ସେ ବିରହ ଗୀତ ହେଉ ଅବା ପ୍ରଣୟ ଗୀତ, ଲୋକଗୀତ ହେଉ କି ଛାନ୍ଦ, ଓଡ଼ିଶୀ, ଚଉତିଶା ବା ପାରମ୍ପରିକ ସଙ୍ଗୀତ; ସଙ୍ଗୀତର ସବୁ ଧାରାକୁ ପ୍ରଣବଙ୍କ ଗାୟନ ସଫଳତାର ସହ ସ୍ପର୍ଶ କରିଛି। ଅକ୍ଷୟ ମହାନ୍ତି ଥରେ କହିଥିଲେ, ‘ଯଦି ପ୍ରଣବଙ୍କ ଭଳି କଣ୍ଠ ମୋର ଥାଆନ୍ତା, ତେବେ ମୁଁ ନିଜକୁ ସବୁଠାରୁ ସୌଭାଗ୍ୟଶାଳୀ ମନେ କରିଥାଆନ୍ତି। କିନ୍ତୁ ଅବଶୋଷ ଯେ ଭଗବାନ ମୋତେ ସେମିତି କଣ୍ଠ ଦେଇନାହାନ୍ତି’ ପ୍ରଣବ ପଟ୍ଟନାୟକଙ୍କ ବ୍ୟତିରେକ ଆଧୁନିକ ଓଡ଼ିଆ ସଙ୍ଗୀତର ସ୍ବରୂପ ବି କଳ୍ପନା କରାଯାଇନପାରେ ବୋଲି ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି। ତାଙ୍କ ଭାଷାରେ ପ୍ରଣବ ହେଉଛନ୍ତି, ଆଧୁନିକ ଓଡ଼ିଆ ସଙ୍ଗୀତର ଧ୍ରୁବ ତାରା ଓ ଦିଗନ୍ତ ଆକାଶ।

ସମ୍ବନ୍ଧିତ ଖବର