ବିନା ବର୍ଷାରେ ଏଭଳି ଅବସ୍ଥା: ରାଇରଙ୍ଗପୁରରେ ଡ୍ରେନେଜ୍ ସୁବିଧା ନଥିବାରୁ ରାସ୍ତାରେ ଆଣ୍ଠୁଏ ପାଣି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମା ସହର ହେଉଛି ରାଇରଙ୍ଗପୁର। ଏହି ସହରକୁ ନେଇ ପୌରପରିଷଦ ଗଠନ କରାଯାଇଛି। ତେବେ ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ସମୟରେ ସହର ବାସିନ୍ଦା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଟିକିଏ ବର୍ଷା ହେଲେ ୱାର୍ଡବାସିନ୍ଦାଙ୍କ ଘରେ ପାଣି ପଶି ଯାଉଛି। ଏପରିକି ସହରର ଅଳିଆ ପାଣି ସହିତ ବିଭିନ୍ନ ପ୍ରକାର ବିଷାକ୍ତ କୀଟପତଙ୍ଗ ମଧ୍ୟ ଘର ଭିତରକୁ ପଶିଯାଉଛନ୍ତି। ଲଗାଣ ବର୍ଷା ହେବା ଯୋଗୁଁ ରାଇରଙ୍ଗପୁର ୱାର୍ଡ ନଂ ୬ ରାଉତଖମାର, ଅରବିନ୍ଦ ସ୍କୁଲ, ବାଇଦାପୋଷି, ଠାକୁରାଣୀବେଡ଼ା, ଇଚିଣ୍ଡା ସମେତ ଅନ୍ୟ ୱାର୍ଡର ରାସ୍ତାଗୁଡିକରେ ଟିକିଏ ବର୍ଷା ହେଲେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥାଏ। ଫଳରେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ସହରର କିଛିସ୍ଥାନରେ ବାଇକ୍ ପାର୍କିଂ କରାଯାଇଥିବା ସମୟରେ ବାଇକ୍ ଗୁଡିକ ମଧ୍ୟ ଅଧା ବୁଡିଯାଉଥିବା ଦୃଶ୍ୟ ଦେଖିବାକୁ ମିଳଥାଏ। ତେବେ ଯଥାଶିଘ୍ର ଡ୍ରେନେଜ୍ ବ୍ୟବସ୍ଥା ଓ ରାସ୍ତା ନିର୍ମାଣ କରାଯାଉ ବୋଲି ସହର ବାସିନ୍ଦା ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର