ଏସ୍‌ସିବିରେ ହୋଇଥିଲା ରାଜ୍ୟର ପ୍ରଥମ ଅସ୍ତ୍ରୋପଚାର: ହାପଲୋ ପଦ୍ଧତିରେ ଅସ୍ଥିମଜ୍ଜା ପ୍ରତିରୋପିତ ରୋଗୀ ମୃତ

କଟକ: ରକ୍ତ କର୍କଟ ରୋଗର ନୂତନ ଚିକିତ୍ସା ପଦ୍ଧତିରେ ରାଜ୍ୟର ପ୍ରଥମ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିବା ରୋଗୀ ଶୁଭ୍ରାଂଶୁ ସାହୁ(୧୯)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରତିରୋପଣର ୧୦ ଦିନରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। ବଡ ଡାକ୍ତରଖାନାରେ ଏଭଳି ବିରଳ ପଦ୍ଧତ୍ତିରେ ପ୍ରତିରୋପଣ ପ୍ରଥମଥର ହୋଇଥିଲା। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ କହିବା ଅନୁସାରେ, ଶୁଭ୍ରାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ସେ ବି ଧୀରେ ଧୀରେ ସୁସ୍ଥ ହେଉଥିଲେ। କିନ୍ତୁ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ମୃତ୍ୟୁ ହେଲା ତାର ଯାଞ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଅସ୍ତ୍ରୋପଚାର କରିଥିବା ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ କହିବା କଥା ହେଲା ରୋଗୀ ସୁସ୍ଥ ଥିଲେ। କିନ୍ତୁ ହଠାତ୍‌ ଗାଧୁଆଘରେ ପଡିଯିବା ଫଳରେ ତାଙ୍କର ହାର୍ଟ ଠିକ୍‌ଭାବରେ କାମ କରିନଥିଲା। ଆରିଦିମିଆ ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆଜିସୁଦ୍ଧା ଏସ୍‌ସିବିରେ ପାଖାପାଖି ଦେଢଶହ ବିଏମ୍‌ଟି ହୋଇସାରିଥିବାବେଳେ ଏହି ମୃତ୍ୟୁ ପ୍ରତିରୋପଣର ସମସ୍ୟାଜନିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲା କଣ୍ଟାମାଳିମ ଅଞ୍ଚଳର ଶୁଭ୍ରାଂଶୁ ସାହୁ(୧୯) ୨୦୧୬ରେ ରକ୍ତକର୍କଟରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ୨୦୧୯ରେ କର୍କଟରୁ ସେ ଆରୋଗ୍ୟ ହୋଇଥିଲେ। କିନ୍ତୁ ୨ବର୍ଷ ପରେ ପୁଣି ଥରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବା ପରେ ଶୁଭ୍ରାଂଶୁ ପୁଣି କର୍କଟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଦ୍ୱିତୀୟଥର ଆକ୍ରାନ୍ତ ହୋଇଥିବାରୁ କେମୋଥେରାପି ବଦଳରେ ହାପଲୋ ଆଲୋଜେନିକ ପଦ୍ଧତିରେ ଶୁଭ୍ରାଂଶୁଙ୍କର ଅସ୍ଥିମଜ୍ଜା
ପ୍ରତିରୋପଣ କରିବାକୁ ହେମାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବିନ୍ଦ୍ର କୁମାର ଜେନା ନିଷ୍ପତ୍ତି ନେଇଥିଲେ। ଜଣେ ଉପଯୁକ୍ତ ଷ୍ଟେମ ସେଲ ଦାତା ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶୁଭ୍ରାଂଶୁଙ୍କ ସାନଭାଇ ପ୍ରଭୁଦତ୍ତ ଷ୍ଟେମସେଲ ଦେବାକୁ ସମ୍ମତି ଜଣାଇଥିଲେ। ପ୍ରଭୁଦତ୍ତଙ୍କ ଏଚ୍‌ଏଲଏ (ହ୍ୟୁମାନ ଲିକୋସାଇଟିକ ଆଣ୍ଟିଜେନ)ଶୁଭ୍ରାଂଶୁଙ୍କ ଏଚ୍‌୍‌ଏଲଏ ସହିତ ୫୦ ପ୍ରତିଶତ ମେଳ ଖାଇବାରୁ ଗତ ୯ତାରିଖ ଦିନ ଏସ୍‌ସିବିରେ ହାପଲୋ ପଦ୍ଧତିରେ ଆଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା। ଏଭଳି ସଫଳ ପ୍ରତିରୋପଣ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର