ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୯୦ ଛୁଇଁଲା

କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ମୃତକ ହେଲେ, ବିହାରର ବାସିନ୍ଦା ପ୍ରକାଶ ରାମ(୧୭)। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଛି।

ଦୁର୍ଘଟଣାରେ ପ୍ରକାଶଙ୍କର ଗୋଟିଏ ଗୋଡ କଟିଯାଇଥିବାବେଳେ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ, ସେପ୍ଟିସେମିଆରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ମୃତ ପ୍ରକାଶଙ୍କ ମୃତଦେହକୁ ତାଙ୍କ ମା’ ଓ ଭାଇଙ୍କୁ ହସ୍ତାନ୍ତର କରାଯିବା ସହ ସ୍ବତନ୍ତ୍ର ଗାଡ଼ିରେ ତାଙ୍କ ଗାଁକୁ ପଠାଯାଇଥିବା ଏସ୍‌ସିବି କୁଳସଚିବ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଗତ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏସ୍‌ସିବିରେ ସମୁଦାୟ ୪୭ଜଣ ଆହତ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୪ଜଣ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର