ସମ୍ବଲପୁରରେ ବଡ଼ ଧରଣର ସାଇବର୍‌ ଠକେଇ: ଆକାଉଣ୍ଟରୁ କଟିଗଲା ୫ ଲକ୍ଷ ଟଙ୍କା

ଗୁଗୁଲ୍‌ରେ କଷ୍ଟମର୍‌ କେୟାର ନମ୍ବର ସର୍ଚ୍ଚ କରି ଫସିଲେ

ସମ୍ବଲପୁର: ସମ୍ବଲପୁର ସହରରେ ସୋମବାର ଏକ ବଡ଼ ଧରଣର ସାଇବର୍‌ ଠକେଇ ହୋଇଛି। ଗୁଗୁଲ୍‌ରେ କଷ୍ଟମର୍‌ କେୟାର୍‌ ନମ୍ବର ସର୍ଚ୍ଚ କରି ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କାର ସାଇବର୍‌ ଠକେଇର ଶିକାର ହୋଇଥିବା ଘଟଣା ପଦାକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସମ୍ବଲପୁରର ସଞ୍ଜୀବ କୁମାର ପାଢ଼ୀ ଦିଲ୍ଲୀରେ ଆଇଟି ପ୍ରଫେସନାଲ୍‌ ଭାବେ କାମ କରନ୍ତି। କରୋନା ପାଇଁ ସେ ଵାର୍କ ଫ୍ରମ୍‌ ହୋମ୍‌ ଅନୁଯାୟୀ ସମ୍ବଲପୁର ସ୍ଥିତ ଘରେ ରହି କାମ କରୁଛନ୍ତି। ତାଙ୍କର ଆଇସିଆଇସିଆଇ ବ୍ୟାଙ୍କରେ ଜମା ଖାତା ରହିଛି। ସେ ତାଙ୍କ ମୋବାଇଲ୍‌ରେ ନେଣଦେଣ ପାଇଁ ଆଇସିଆଇସିଆଇ ବ୍ୟାଙ୍କର ଆପ୍ଲିକେସନ୍‌ ଇନ୍‌ଷ୍ଟଲ୍‌ କରିଥିଲେ। କୌଣସି କାରଣରୁ ତାଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ ହୋଇଥିବା ବ୍ୟାଙ୍କର ଆପ୍ଲିକେସନ୍‌ଟି କାମ କରି ନଥିଲା। ବହୁତ ଚେଷ୍ଟା କରିବା ପରେ ଆପ୍‌ଟି କାମ ନ କରିବାରୁ ସେ କଷ୍ଟମର୍‌ କେୟାର ସହ ଯୋଗାଯୋଗ କରିବାକୁ ନମ୍ବର ଖୋଜିଲେ।

ନମ୍ବର ନ ପାଇବାରୁ ଗୁଗୁଲ୍‌ରେ ନମ୍ବର ସର୍ଚ୍ଚ କଲେ। ଦୁର୍ଭାଗ୍ୟବଶତଃ ଗୁଗୁଲ୍‌ରେ ଆଇସିଆଇସିଆଇ ବ୍ୟାଙ୍କ କଷ୍ଟମର୍‌କେୟାର୍‌ ନମ୍ବର ସର୍ଚ୍ଚ କରି ବ୍ୟାଙ୍କ ବଦଳରେ ସାଇବର୍‌ ଠକର ନମ୍ବର ପାଇଲେ। ଏହାପରେ ନିଜ ଆଡ଼ୁ ଶ୍ରୀ ପାଢ଼ୀ ସାଇବର୍‌ ଠକକୁ ସୋମବାର ଦିନ କଲ୍‌କରି ନିଜର ଅସୁବିଧା ବିଷୟରେ ଜଣାଇଲେ। ସାଇବର୍‌ ଠକ ଜଣକ ଶ୍ରୀ ପାଢ଼ୀଙ୍କ ଅସୁବିଧାର ଫାଇଦା ଉଠାଇବା ସହ ତାଙ୍କର ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ହାସଲ କରି ନେଇଥିଲା। ସାଇବର୍‌ ଠକ ଜଣକ ପ୍ରଥମେ ବିଭିନ୍ନ ବିଷୟରେ ପଚରାଉଚରା କରି ଶ୍ରୀ ପାଢ଼ୀଙ୍କୁ କଷ୍ଟମର୍‌ କେୟାର୍‌ ପ୍ରତିନିଧି ବୋଲି ଭରସା ଦେଇଥିଲା। କିଛି ସମୟ କଥା ହେବା ପରେ ଆପ୍ଲିକେସନ୍‌ରେ ଥିବା ଅସୁବିଧାର ସମାଧାନ କରିବି କହି ଶ୍ରୀ ପାଢ଼ୀଙ୍କୁ ତାଙ୍କ ମୋବାଇଲ୍‌ରେ ଏନିଡେସ୍କ ଆପ୍ଲିକେସନ୍‌ ଇନ୍‌ଷ୍ଟଲ୍‌ କରିବାକୁ କହିଥିଲା। ବ୍ୟାଙ୍କର କଷ୍ଟମର୍‌ କେୟାର୍‌ ଭାବି ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀ ପାଢ଼ୀ ସାଇବର ଠକର କହିବା ଅନୁଯାୟୀ ଏନିଡେସ୍କ ଇନ୍‌ଷ୍ଟଲ୍‌ କରିଦେଲେ। ଏହାପରେ ଠକ ଜଣକ ଏନିଡେସ୍କ ସାହାଯ୍ୟରେ ଶ୍ରୀ ପାଢ଼ୀଙ୍କ ମୋବାଇଲ୍‌କୁ ଚଲାଇଲା। ଆପ୍ଲିକେସ୍‌ନ୍‌ ଠିକ୍‌ କରିବା ବଦଳରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଟିବାରେ ଲାଗିଲା। ଠକ ଜଣକ ଶ୍ରୀ ପାଢ଼ୀଙ୍କ ମୋବାଇଲ୍‌ ଅପରେଟ୍‌ କରୁଥିବାରୁ ନିଜେ ଓଟିପି ଦେଖି ଏକାଧିକ ଥର ଟଙ୍କା ଠକି ନେଇଥିଲା। ସାଇବର୍‌ ଠକ ଜଣକ ଶ୍ରୀ ପାଢ଼ୀଙ୍କ ବିଭିନ୍ନ ଆକାଉଣ୍ଟରୁ ମୋଟ ୫ ଲକ୍ଷ ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ଶ୍ରୀ ପାଢ଼ୀ ସମ୍ବଲପୁର ସାଇବର୍‌ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି।

ସମ୍ବନ୍ଧିତ ଖବର