ବିଶ୍ବବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି

ନୀଳକଂଠ ରଥ

ଏବେ ଓଡ଼ିଶା ସରକାର ଏକ ନୂଆ ସଂଶୋଧିତ ଆଇନ କରି ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟମାନଂକରେ ଶିକ୍ଷକ ବାଛିବାର ବ୍ୟବସ୍ଥାକୁ ବିଶ୍ବବିଦ୍ୟାଳୟଂକ ହାତରୁ ନେଇ ତାକୁ କେଂଦ୍ରୀଭୂତ କରି ସେ ଦାୟିତ୍ବ ରାଜ୍ୟର ଲୋକସେବା ଆୟୋଗକୁ ଦେଇଛଂତି। ଏ ପର୍ଯଂତ ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ପ୍ରତି ବିଷୟ ବିଭାଗ ପାଇଁ ନିଜ ନିଜର ଶିକ୍ଷକ ବାଛିବା ସମିତି ଗଠନ କରୁଥିଲେ। ବିଷୟ ଯାହା ହେଉନା କାହିଁକି, ସମିତିର ଅଧ୍ୟକ୍ଷ ହେଉଥିଲେ କୁଳପତି। ତାଂକ ଛଡ଼ା ସିଂଡିକେଟ୍‌ର ଜଣେ ସଭ୍ୟ ସେ ସମିତିର ସଦସ୍ୟ ହୁଅଂତି। ବିଷୟ ବିଭାଗର ମୁଖ୍ୟ ଅଧ୍ୟାପକ ଏବଂ ବାହାରର ଅନ୍ୟ ଦୁଇ ବିଶ୍ବବିଦ୍ୟାଳୟର ସେ ବିଷୟର ଦି’ ଜଣ ଅଧ୍ୟାପକ ସେ ସମିତିର ସଭ୍ୟ ରହଂତି। ପ୍ରାର୍ଥୀଂକ ବିଭିନ୍ନ ପରୀକ୍ଷାରେ କୃତକାର୍ଯତା ଓ ଅନ୍ୟ କୌଣସି ଠାରେ କରିଥିବା କାମ ବାବଦରେ ସମିତିକୁ ଜଣାଇବା ପରେ, ବିଷୟର ବିଶେଷଜ୍ଞ ତିନି ଜଣ ପ୍ରତ୍ୟେକ ପ୍ରାର୍ଥୀଂକୁ ତାଂକ ବିଷୟରେ ପ୍ରଶ୍ନ ପଚାରି ଶେଷରେ ସେମାନଂକ ଯୋଗ୍ୟତାର କ୍ରମ ସ୍ଥିର କରଂତି।

ଏ ବ୍ୟବସ୍ଥା କେତେ ସଂତୋଷଜନକ ସେ କଥା ଆଜି ମୋ ପକ୍ଷରେ କହିବା କାଠିକର ପାଠ। ତିରିଶ ବର୍ଷରୁ ଅଧିକ ହେଲାଣି ମୋର ଶିକ୍ଷକତା ସହିତ ସଂବଂଧ ନାହିଁ। ତା’ ପୂର୍ବରୁ ଥରେ ମାତ୍ର ମୁଁ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟର ଶିକ୍ଷକ ବଛା କାମରେ ଯୋଗ ଦେଇଥିଲି। ମୋର ସେତେବେଳର ଅଭିଜ୍ଞତା ଅତି ନୈରାଶ୍ୟଜନକ ଥିଲା। ମାତ୍ର, ସେତିକିରୁ ସେ ପ୍ରଥା ବିଷୟରେ ମତ ବ୍ୟକ୍ତ କରିବା ଅନୁଚିତ ହେବ। ସମିତିର ସଭାପତି କୁଳପତି, ସିଂଡିକେଟ୍‌ର ସଭ୍ୟ ଓ ତିନି ଜଣ ବିଷୟ ବିଶେଷଜ୍ଞଂକ ନୀତି ମୂଲ୍ୟ ସବୁ ଜାଗାରେ, ସବୁ ସମୟରେ ଓ ସମସ୍ତଂକ ବାବଦରେ ସମାନ ବୋଲି କହି ହେବନି। କେବଳ କେତେକ ଧରାବଂଧା ନିୟମ ବାବଦରେ ମତ ବ୍ୟକ୍ତ କରାଯାଇପାରେ। ମୁଁ ଜାଣିଲି, ପ୍ରତ୍ୟେକ ପ୍ରାର୍ଥୀଂକ ମାଟ୍ରିକ ଠାରୁ ପି.ଏଚ୍.ଡି. ପର୍ଯଂତ ବିଭିନ୍ନ ପରୀକ୍ଷାରେ ମୋଟ ନଂବରରୁ କେତେ, ତାହା ଜାଣିବା ପାଇଁ ମୋଟ ନଂବର ହେଲା ଶହେରୁ ନବେ। ବାକି ଦଶ ନଂବର ବିଷୟ ଜ୍ଞାନ ବାବଦରେ ପ୍ରଶ୍ନୋତ୍ତର ପାଇଁ। ତେଣୁ, ଯିଏ ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବ, ସେ ବଛା ହେବାର ସଂଭାବନା ସବୁଠାରୁ ବେଶି। ସେଥି ପାଇଁ ଅନେକ କହଂତି, କଲେଜ ଶିକ୍ଷକତା, ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ, ସାରା ଜୀବନ ପେନ୍‌ସନ୍‌ ବୋଲି।

ମାତ୍ର, ଆଜି ଏ ବ୍ୟବସ୍ଥାରୁ ଯାଇ ଲୋକସେବା ଆୟୋଗ ହାତରେ ଏ ଦାୟିତ୍ବ ସଁପିଦେଲେ ମହରଗରୁ ଯାଇ କାଂତାରରେ ପଡ଼ିବା ଭଳି ହୋଇପାରେ। ବଛାବଛିର ବ୍ୟବସ୍ଥା କିପରି ହେବ, ତାହା ତ ଆଇନରେ ଲେଖା ନାହିଁ। ତାହା ଆୟୋଗ ସ୍ଥିର କରିବେ। ତାଂକର ପ୍ରଧାନ କାମ ସରକାରୀ କର୍ମଚାରୀ ବାଛିବା। ବିଶ୍ବବିଦ୍ୟାଳୟରେ ପଢ଼ାଇବା ଓ ତୃତୀୟରୁ ପ୍ରଥମ ଶ୍ରେଣୀ ପର୍ଯଂତ ପଦ ପାଇଁ ସରକାରୀ କର୍ମଚାରୀ ବାଛିବା କିଛି ସମାନ କାମ ନୁହେଁ। ଆୟୋଗ ଅଧ୍ୟାପକ ବାଛିବା ପାଇଁ ଅନ୍ୟ ବିଶ୍ବବିଦ୍ୟାଳୟରୁ ବିଶେଷଜ୍ଞଂକୁ ଡକାଇ ପାରଂତି। ମାତ୍ର, ବିଭିନ୍ନ ବିଷୟ ପାଇଁ କେଉଁ ବିଶେଷଜ୍ଞଂକୁ ଡକାଯିବ ସେ କଥା କାହା ସାହାଯ୍ୟରେ ଆୟୋଗ ସ୍ଥିର କରିବେ ଜଣା ନାହିଁ। ବିଶ୍ବବିଦ୍ୟାଳୟରେ କୁଳପତିଂକୁ ଏ ସାହାଯ୍ୟ କରିବାକୁ ଉପଦେଷ୍ଟା ଉପଲବ୍‌ଧ। ଆୟୋଗ ଏମାନଂକ ମତକୁ କେତେ ମହତ୍ବ ଦେବେ, ତାହା ବି ଜଣାନାହିଁ। ଯଦି ଏ ସବୁ କଥା ସଂପୃକ୍ତ ବିଶ୍ବବିଦ୍ୟାଳୟର ସାହାଯ୍ୟ ନେଇ ଆୟୋଗ କରିବେ, ତେବେ ବିଶ୍ବବିଦ୍ୟାଳୟ ହାତରୁ ନେଇ ଏ ଦାୟିତ୍ବ ଆୟୋଗକୁ ଦେବାର କାରଣ କଣ?

ତେଣୁ ଏ ବାବଦରେ (ଓ ଆହୁରି ଅନ୍ୟ ଅନେକ ବାବଦରେ) ସରକାରଂକ (ସରକାରୀ ସେକ୍ରେଟେରିମାନଂକ?) ବିଶ୍ବବିଦ୍ୟାଳୟ ଉପରେ ଅବିଶ୍ବାସ ହିଁ ପ୍ରଧାନ କାରଣ ମନେ ହୁଏ। ଏ ଅବିଶ୍ବାସ କଅଣ ପାଇଁ ସେ କଥା ବୁଝା ପଡ଼ିବା ଦରକାର। ବୋଧହୁଏ, ବିଶ୍ବବିଦ୍ୟାଳୟମାନେ ଅଧ୍ୟାପକ ବାଛିବା କାମ ଅନେକ ସମୟରେ ବହୁତ ଡେରିରେ କରଂତି ଓ ଅନେକ ସମୟରେ ମଂତ୍ରୀ/ଅଧିକାରୀଂକ ମତରେ ଉପଯୁକ୍ତ ବ୍ୟକ୍ତି ବଛା ଯାଆଂତି ନାହିଁ। ଡେରି ହେବାର ଏକାଧିକ କାରଣ ଥିବ। ଏବର ଏକ ପ୍ରଧାନ କାରଣ, ସରକାର ସେ ପଦ ପାଇଁ ଅର୍ଥର ବ୍ୟବସ୍ଥା ବେଳରେ କରଂତି ନାହିଁ। ପ୍ରତି ବିଶ୍ବବିଦ୍ୟାଳୟରେ କେତେ ଶିକ୍ଷକ ପଦ କେତେ କାଳ ହେଲା ଅପୂର୍ଣ ରହିଚି, ତାହା ଏବେ ସବୁ ଖବରକାଗଜ ପାଠକଂକୁ ଜଣା। ତେଣୁ ଅସଂଖ୍ୟ ‘ଥୋଇଲା’ (ଆଡ୍ ହକ୍) ଶିକ୍ଷକଂକ ସାହାଯ୍ୟରେ କାମ ଚାଲିଚି।

ଦ୍ବିତୀୟ କାରଣ, ଉପଯୁକ୍ତ ଶିକ୍ଷକ ବଛା ନହେବା। ଏହା ଖାଲି ସରକାରୀ ସ୍ତରର ଧାରଣା ନୁହେଁ; ବିଶ୍ବବିଦ୍ୟାଳୟର ଶିକ୍ଷକ ତଥା ଛାତ୍ର ମହଲରେ ବି ଏ ଧାରଣା। ଏହାର କାରଣ, ବିଶ୍ବବିଦ୍ୟାଳୟର ବାଛିବା ପଦ୍ଧତି। ମୁଁ ଉପରେ ନଂବର କଥା କହିଚି। ବିଷୟର ଜ୍ଞାନ ବାବଦରେ ପ୍ରଶ୍ନୋତ୍ତର ବି ଅନେକ ସମୟରେ ସମାଧାନକାରକ ନୁହେଁ। ପ୍ରାର୍ଥୀଂକୁ ବିଷୟର ତାତ୍ତ୍ବିକ ନୀତିର ସୂକ୍ଷ୍ମ ଦିଗ ବାବଦରେ ପ୍ରଶ୍ନ କରାଯାଏନି। ତେଣୁ ଶିକ୍ଷକ ତାହା ପଢ଼ାଇଲା ବେଳେ ତାହାର ଗହନ ଭାଗ ଆଡକୁ ଦୃଷ୍ଟି ନ ଦେଉଥିବାରେ ଆଶ୍ଚର୍ଯ ହେବାର ନୁହେଁ। ସେଥି ପାଇଁ ସମିତିର ବିଶେଷଜ୍ଞ ଯୋଗ୍ୟ ଅଧ୍ୟାପକ ହେବା ଆବଶ୍ୟକ। ତା’ ବାଦ୍, ପ୍ରାର୍ଥୀ ଶ୍ରେଣୀରେ ଛାତ୍ରଂକୁ ଠିକଣାରେ ବୁଝାଇ ପଢ଼ାଇବାର ଯୋଗ୍ୟତାସଂପନ୍ନ କି ନାହିଁ ତାହାର ପରୀକ୍ଷା କେବେ କରାଯାଏ ନାହିଁ। ଅନେକ ସମୟରେ ଶିକ୍ଷକ ଶ୍ରେଣୀରେ ଛାତ୍ରଂକୁ ନୋଟ୍ ଡାକି ଦିଅଂତି, (ବେଳେବେଳେ ଛପା ବହିରୁ ଡାକିଦିଅଂତି); ବିଷୟକୁ ବୁଝାଇ ଭାଷଣ ଦେବାର ତାକତ୍ ତାଂକ ଠାରେ ନଥାଏ। ଏ କଥା ବଛାବଛି ବେଳେ ପରୀକ୍ଷା କରାଯାଏ ନାହିଁ। ବାସ୍ତବରେ, ସମତି ଡାକିଥିବା ପ୍ରାର୍ଥୀଂକ ସହିତ ଆଲୋଚନା ପରେ ପ୍ରତି ପ୍ରାର୍ଥୀଂକୁ ବିଷୟ ଶ୍ରେଣୀରେ ଯାଇ ଏକ ପିରିଅଡ୍‌ରେ ତାଂକ ନିର୍ବାଚିତ ବିଷୟରେ ପଢ଼ାଇବାର ପରୀକ୍ଷା କରାଇବା ଆବଶ୍ୟକ। ସମିତିର ବିଶେଷଜ୍ଞମାନେ ଶ୍ରେଣୀର ସଭା ପଛ ଧାଡ଼ିରେ ବସି ତାଂକ ପଢ଼ାଇବା ଢଂଗର ଅବଲୋକନ କରିବା ଆବଶ୍ୟକ। ପିଲାଂକ ଭିତରୁ କେହି ବୁଝି ନ ପାରି ପ୍ରଶ୍ନ ନ ପଚାରିଲେ, ବିଶେଷଜ୍ଞ ପ୍ରଶ୍ନ ପଚାରଂତେ। ଉପଯୁକ୍ତ ଶିକ୍ଷକ ବାଛିବା ପାଇଁ ଏହା ଏକ ପ୍ରକୃଷ୍ଟ ପଂଥା।

ଏ ସବୁ ସତ୍ତ୍ବେ ଅନୁପଯୁକ୍ତ ଶିକ୍ଷକ ବଛା ହୋଇପାରଂତି। ତେଣୁ ନିଯୁକ୍ତି ପରେ ତିନି-ଚାରି ବର୍ଷ ତାଂକ କାମ ଆଡ଼କୁ ବିଭାଗୀୟ ମୁଖ୍ୟ ନଜର ରଖିବା ଆବଶ୍ୟକ। ସେ ପଢ଼ାଉଥିବା ଛାତ୍ରଂକ ମତାମତ ନିୟମିତ ଭାବରେ ଯୋଗାଡ଼ କରିବା ଉଚିତ। ସେ ପରୀକ୍ଷାରେ ପଚାରୁଥିବା ପ୍ରଶ୍ନ ଓ ତପାସୁଥିବା ଉତ୍ତର-ପତ୍ରିକାର ବିଚାର ମଧ୍ୟ ଆବଶ୍ୟକ। ଚାରି ବର୍ଷ ଶେଷରେ ପୁରୁଣା ବିଶେଷଜ୍ଞଂକ ସହିତ ବସି, ଏସବୁ ତଥ୍ୟର ଆଲୋଚନା କରି ଶିକ୍ଷକଂକୁ ସ୍ଥାୟୀ କରାଯିବ କି ନାହିଁ ତାହା ସ୍ଥିର କରାଯିବା ବିଧେୟ। ଏଥିପାଇଁ ପ୍ରୋବେସନ୍ କାଳ ବଢ଼ାଇ ଦି’ ବର୍ଷରୁ ପାଂଚ ବର୍ଷ କରିବା ଉଚିତ ହେବ। ଏ ସବୁ କରି ବି ଅନୁପଯୁକ୍ତ ଶିକ୍ଷକ ନ ରହିଯିବେ, ଏହା କହିବା କଠିଣ। ମାତ୍ର ଏପରି କଲେ ଯାଇଁ ଉପଯୁକ୍ତ ଶିକ୍ଷକ ବାଛିବା ଅପେକ୍ଷାକୃତ ସଂତୋଷଜନକ ହୋଇପାରିବ। ଏଭଳି ପଂଥା ସ୍ବୀକାର କଲେ ଏହା ଆୟୋଗ ଅପେକ୍ଷା ବିଶ୍ବବିଦ୍ୟାଳୟ ପକ୍ଷରେ ଅଧିକ ସଂଭବ ଓ ସୁବିଧାଜନକ ହେବ। ଏ ସବୁର ବିଚାର ନ କରି କିରାଣି ବାଛିବା ଢଂଗରେ ଶିକ୍ଷକ ବାଛିବାର ବ୍ୟବସ୍ଥା ଖାଲି ହାସ୍ୟାସ୍ପଦ ନୁହେଁ, କ୍ଷତି କାରକ। ଓଡ଼ିଶାର ବିଶ୍ବବିଦ୍ୟାଳୟର କୁଳପତିମାନେ ଏ ବାବଦରେ ରାଜ୍ୟ ସରକାରଂକ ସହ ଆଲୋଚନା କରି ତାଂକୁ ସେଥିରୁ ନିବୃତ୍ତ କରାଂତୁ। ତହିଁରେ ବିଶ୍ବବିଦ୍ୟାଳୟର ହିତ।
ମୋ: ୯୪୨୨୬୫୬୦୩୨
[email protected]

ସମ୍ବନ୍ଧିତ ଖବର