ଆଉ ୫ବର୍ଷ ପାଇଁ ବଢ଼ିଲା ‘ଦମନ’

ଭୁବନେଶ୍ବର : ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ‘ଦମନ’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଆଉ ୫ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟର ୬ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାକୁ ମିଶାଇ ସମୁଦାୟ ୨୧ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ। ପୂର୍ବରୁ ରାଜ୍ୟର ୨୪ଟି ଜିଲ୍ଲାରେ ଏହା କାର୍ଯ୍ୟକ୍ରମ କରାଯାଉଥିଲା। ‘ଦମନ’ କାର୍ଯ୍ୟକ୍ରମର ଅବଧି ବୃଦ୍ଧି ପାଇବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ଦମନ’ କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ ମ୍ୟାଲେରିଆ ଆଶାତୀତଭାବେ ହ୍ରାସ ପାଇଛି। ଏପରିକି ବାର୍ଷିକ ପାରାସାଇଟ୍‌ ଇଣ୍ଡେକ୍ସ ବା ଏପିଆଇରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ୨୦୨୦ ମସିହାରେ ଗୋଟିଏ ଜିଲ୍ଲାରେ ଏପିଆଇ ୧୦ ଉପରେ ଥିବା ବେଳେ ଏବେ ତାହା ଶୂନକୁ ଖସି ଆସିଛି। ରାଜ୍ୟର ୧ରୁ କମ୍ ଏପିଆଇ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ସଂଖ୍ୟା ୨୭୩ରୁ ୨୮୫କୁ ବୃଦ୍ଧି ପାଇଛି। ‘ଦମନ’ କାର୍ଯ୍ୟକ୍ରମ ଅନୁଯାୟୀ ବର୍ଷକୁ ଦୁଇଥର ସ୍କ୍ରିନିଂ, ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତେଣୁ ରାଜ୍ୟର ୨୧ଟି ଜିଲ୍ଲାରେ ଏପିଆଇକୁ ୦.୦୫କୁ ହ୍ରାସ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ୨୦୨୧/୨୨ରୁ ୨୦୨୫/୨୬ ପର୍ଯ୍ୟନ୍ତ ୨୧ଟି ଜିଲ୍ଲା ପାଇଁ ୫୦ କୋଟି ଟଙ୍କା ଅଟକଳ କରାଯାଇଛି। ଯେଉଁ ୩ଟି ଜିଲ୍ଲାରେ ସ୍ବତନ୍ତ୍ରଭାବେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କରାଯାଉଛି ତାହା ୨୦୨୨ ସେପ୍ଟେମ୍ବର ୩୦ତାରିଖ ପରେ ଆଉ କାର୍ଯ୍ୟକାରୀ ହେବନାହିଁ।

ତେବେ ଆସନ୍ତା ୫ବର୍ଷ ଭିତରେ ‘ଦମନ’ କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ସମୀକ୍ଷା କରିବ ଆରଏମ୍‌ଆରସି। ୨୦୨୩/୨୪ରେ ଆରଏମ୍‌ଆରସି ପକ୍ଷରୁ ଏକ ମଧ୍ୟବର୍ତୀକାଳୀନ ସମୀକ୍ଷା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖ ଯେ ରାଜ୍ୟରେ କୋଭିଡ ସଂକ୍ରମଣ ସମୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିଲା। ଏପରିକି ମ୍ୟାଲେରିଆଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଫଳରେ ରାଜ୍ୟ ସରକାରଙ୍କ ନିରାକରଣ କାର୍ଯ୍ୟକ୍ରମକୁ ଏକପ୍ରକାର ଝଟ୍‌କା ଲାଗିଥିଲା।

ସମ୍ବନ୍ଧିତ ଖବର