ଜୀବିତ ଭାବି ମହିଳାଙ୍କୁ କୋକେଇରୁ ଉଠାଇ ଡାକ୍ତରଖାନା ନେଲେ ପରିବାର ଲୋକେ

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଭତାପଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ବି ଜୀବିତ ଥିବା ସନ୍ଦେହ କରି ପରିବାର ଲୋକେ ପୁଣି ତାଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ସକାଳେ ଗାଁର ଉକ୍ତ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବେଲପଡ଼ା ଡାକ୍ତରଖାନା ନେଇଥିଲେ। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତଦେହକୁ ଧରି ଗାଁକୁ ଆସିଥିଲେ। ଶ୍ମଶାନକୁ ଦାହ ପାଇଁ ନେବା ବେଳେ ମୃତଦେହରେ ନିଶ୍ୱାସ ପ୍ରଶ୍ବାସ ଚାଲିବା ସହ ଆଖି ହଲିଥିବା ଦେଖିଥିଲେ। କାଳେ ଜୀବିତ ଥିବା ଭାବି ପୁଣି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ବେଲପଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଆଉଥରେ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି। ଏନେଇ ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଅନ୍ୟପଡ଼ରେ ସକାଳୁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ରବୀନ୍ଦ୍ର ମେହେର କହିଛନ୍ତି। ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ ଗାଁରେ ଶବଦାହ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର