ଦାଦନ ଖଟିବାକୁ ଯାଇ କର୍ଣ୍ଣାଟକରୁ ଘରକୁ ଫେରିଥିଲେ ଶ୍ରମିକ, ୨୪ ଘଣ୍ଟା ନପୂରୁଣୁ ବନ୍ଦ ଘରୁ ମିଳିଲା ମୃତଦେହ

ଜଗନ୍ନାଥପ୍ରସାଦ: କର୍ଣ୍ଣାଟକକୁ ଦାଦନ ଯାଇ ରବିବାର ଘରକୁ ଫେରିଥିବା ଶ୍ରମିକଙ୍କ ମୃତଦେହ ସୋମବାର ଦିନ ଘର ଭିତରୁ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଛାମୁଣ୍ଡା ଗାଁର ବାରିସାହି ନିବାସୀ କପିଳା ବେହେରା (୫୨)।

ସୂଚନା ଅନୁସାରେ, କପିଳା ବେହେରାଙ୍କ ପରିବାର କହିଲେ ତାଙ୍କର ସ୍ତ୍ରୀ ଅହଲ୍ୟା ଓ ୨ ପୁଅ (୧୪ ବର୍ଷ ଓ ୪ବର୍ଷ)। ଦେଢ଼ ମାସ ଆଗରୁ କପିଳା ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ କର୍ଣ୍ଣାଟକ ଯାଇଥିଲେ। ସେଠାରେ ସେମାନେ କଫି ବଗିଚାରେ କାମ କରୁଥିଲେ। କିନ୍ତୁ କପିଳା ଅଧିକ ସମୟ ଘରେ ରହୁଥିବା ବେଳେ ଅହଲ୍ୟା ସବୁଦିନେ କଫି ବାଗିଚାକୁ କାମ କରିବା ପାଇଁ ଯାଉଥିଲେ। ତାଙ୍କର ୧୪ ବର୍ଷୀୟ ନାବାଳକ ମଧ୍ୟ ସେଠାରେ କାମ କରୁଥିଲା। କିନ୍ତୁ କାମକୁ ନଯାଇ କପିଳା ମଦପିଇ ସବୁ ବେଳେ ସ୍ତ୍ରୀଙ୍କ ସହିତ ଗଣ୍ଡଗୋଳ କରୁଥିଲେ। ଗତକାଲି କପିଳା ସପରିବାର ନେଇ ନିଜ ଗାଁକୁ ଫେରିଥିଲେ।

ଅହଲ୍ୟାଙ୍କ ଅଭିଯୋଗ ପ୍ରକାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରାୟତଃ ସବୁବେଳେ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଉଥିଲେ। ଏପରିକି ବସ୍ତ୍ର ଖୋଲି ଦାଣ୍ଡରେ ମଧ୍ୟ ମାଡ଼ମାରୁଥିଲେ। ଅନ୍ୟ ଦିନ ପରି ଆଜି ପୂର୍ବାହ୍‌ଣ ୧୧ଟାରେ ଅହଲ୍ୟାଙ୍କୁ କପିଳା ନିସ୍ତୁକ ପିଟିଥିଲେ। ଫଳଳେ ଅହଲ୍ୟା ଉତ୍‌କ୍ଷୀପ୍ତ ହୋଇ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ମାତ୍ର ପ୍ରାୟ ୨ ଘଣ୍ଟା ପରେ ଘର ଭିତରୁ କିଛି ଶବ୍ଦ ନଶୁଭିବାରୁ ସେ ଗ୍ରାମ୍ୟରକ୍ଷୀଙ୍କୁ ସୂଚନା ଦେଇଥିଲେ।

ଗ୍ରାମ୍ୟରକ୍ଷୀଙ୍କ ସୂଚନା ଆଧାରରେ ପୁଲିସ ଘର କବାଟ ଖୋଲିବାରୁ କପଳିାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ସ୍ତ୍ରୀର ଅଭିଯୋଗ ପ୍ରକାରେ ଅପମୃତୁ ମାମଲା ୠଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ଘଟଣା ଉପରୁ ପରଦା ଉଠିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର