ବିକଶିତ ଭାରତ ସମସ୍ତ ନାଗରିକଙ୍କ ଦାୟିତ୍ବ: ଧର୍ମେନ୍ଦ୍ର

କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍‌ଘାଟିତ, ୨୫୦ କୋଟି ବ୍ୟୟରେ ୬ଟି ପ୍ରକଳ୍ପର ଶିଳାନ୍ୟାସ

ରାଉରକେଲା: ଦେଶ ଆଗକୁ ବଢ଼ୁଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଏକ ସମୃଦ୍ଧ ଓ ବିକଶିତ ଦେଶ ହେବାକୁ ଯାଉଛି। ଭାରତକୁ ବିକଶିତ କରିବା ସମସ୍ତ ନାଗରିକଙ୍କ ଦାୟିତ୍ବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ରାଉରକେଲାର ଜାତୀୟ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି) ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ ଓ ୨୫୦ କୋଟି ବ୍ୟୟରେ ୬ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ। ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ। ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନ୍‌ଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ନୂତନ ଉଦ୍‌ଘାଟିତ ସୁବିଧା ଦ୍ୱାରା ଅଢ଼େଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ନିକଟରେ ସଫଳ ହୋଇଥିବା ଚନ୍ଦ୍ରାୟାନ-୩ ମିସନରେ ସାମିଲ ଥିବା ଅଧିକାଂଶ ବୈଜ୍ଞାନିକ କେନ୍ଦ୍ରୀୟ ବିଦ୍ୟାଳୟରୁ ପାଠ ପଢ଼ିଛନ୍ତି।

ଶୁଭାରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ଭବିଷ୍ୟତର ନୂଆନୂଆ ନେତୃତ୍ୱ ନେଉଥିବା ପିଲା ବାହାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସେହିଭଳି ସେଣ୍ଟ୍ରାଲ୍‌ ଟୁଲ୍‌ରୁମର ଗୋଟିଏ ଶାଖା ଏଠାରେ ଖୋଲାଯିବାର ଯୋଜନା ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ଏନ୍ଆଇଟି ରାଉରକେଲାର ସ୍ବତନ୍ତ୍ର ପରିଚୟ ଅଛି। ଏହି ଶିକ୍ଷାନୁଷ୍ଠାନରେ ଓଡ଼ିଶାର ପାଖାପାଖି ୩ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏନ୍ଆଇଟିର ଛାତ୍ରଛାତ୍ରୀମାନେ ଦେଶବିଦେଶରେ ସଫଳ ନାଗରିକ ଭାବେ ଦାୟିତ୍ବ ନେଇଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ନୁହେଁ, ନିଯୁକ୍ତି ଦେବାକୁ ଉଦ୍ୟମୀ ହୁଅନ୍ତୁ। ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାର ଦାୟିତ୍ବ ରାଉରକେଲା ଏନ୍ଆଇଟି ନେଉ ବୋଲି ମନ୍ତ୍ରୀ କହିଥିଲେ।
ପୂର୍ବତନ ‌କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ର ଛାତ୍ରଛାତ୍ରୀଙ୍କୁ ରୋଜଗାର କରିବାକୁ ଏନ୍ଆଇଟି ଛାତ୍ରମାନେ ତାଲିମ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ।

ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ, କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ବରର ଆଞ୍ଚଳିକ ଅଧିକାରୀ ଡକ୍ଟର ଶ୍ରୀହରନ୍‌ ବୋଷ୍‌, ଏମ୍‌ସିଏଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କେଶବ ରାଓ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୫୦ କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ କରିଛନ୍ତି କରିଥିବା ପ୍ରକଳ୍ପଗୁଡିକ ମଧ୍ୟରେ ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭ କୋଟି ବ୍ୟୟରେ ୫୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୧୩.୨୧ କୋଟି ବ୍ୟୟରେ ୧.୫ ଏମ୍‌ଏଲ୍‌ଡି ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୩୬.୨୦ କୋଟି ବ୍ୟୟରେ ଶିକ୍ଷକମାନଙ୍କ ନିବାସ ରହିଛି। ଏଥିସହ ଏମ୍‌ସିଏଲ୍‌ ଦ୍ୱାରା ୪୨.୬୯ କୋଟି ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ୫୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ୍‌ ବିଜନେସ୍ ଏଫ୍‌ଟିବିଆଇ ବୁଲି ଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର