ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ: ୩ ଜିଲ୍ଲାରେ ୩୦୮୧ କୋଟିର ଉନ୍ନୟନ ପ୍ରକଳ୍ପ ଆରମ୍ଭ

ଆମପାଣିରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ, ‘ବିଜୁ ଏକ୍ସପ୍ରେସ୍‌ ୱେ’ ବିକାଶର ନୂଆ ଇତିହାସ ଲେଖିବ: ମୁଖ୍ୟମନ୍ତ୍ରୀ

ବରଗଡ଼/ଭାବନୀପାଟଣା/ନୂଆପଡ଼ା : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଆମପାଣିଠାରେ ‘ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ବରଗଡ଼ ଜିଲ୍ଲା ସୋହେଲା ଠାରୁ କଳାହାଣ୍ଡି ଜିଲ୍ଲା ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର୍‌ ଲୋକାର୍ପଣ କରିଛନ୍ତି। ଏହା ସହିତ ସେ ଏହି ତିନିଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମହିଳା ସଶକ୍ତୀକରଣର କର୍ଣ୍ଣଧାର ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ମିସନ ଶକ୍ତି ମାମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି।

ଏହି ଅବସରରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ର ହଳଦୀପାଲି, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଦର୍ଲିମୁଣ୍ଡା ପଞ୍ଚାୟତର ସିଲେଟପାଣି ଏବଂ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଠାରେ ଯଥାକ୍ରମେ ଆୟୋଜିତ ସମାବେଶଗୁଡ଼ିକରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ବିଜୁ ଏକ୍ସପ୍ରେସ୍‌ ୱେ କେବଳ ଏକ ରାସ୍ତା ନୁହେଁ, ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା। ଏହି ଏକ୍ସପ୍ରେସ୍‌ ୱେ କେବଳ ଏ ଅଞ୍ଚଳ ନୁହେଁ, ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବ। ‘ବିଜୁ ଏକ୍ସପ୍ରେସ୍‌ ୱେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ପାଇଁ ବଜାର ସୁବିଧା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀମାନଙ୍କୁ ସୁବିଧା ସାଙ୍ଗକୁ ସ୍ୱାସ୍ଥ୍ୟସେବାରେ ଆହୁରି ଉନ୍ନତି ଆସିବ। ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟାତ ରୂପାନ୍ତର କାମକୁ ମଜଭୁତ କରିବ। ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ‘ବିଜୁ ଏକ୍ସପ୍ରେସ୍‌ ୱେର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବା ଦ୍ବାରା ପୁଞ୍ଜି ବିନିଯୋଗ ବଢ଼ିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ କିହଥିଲେ।

‘ସେ କଥା ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି ତାଙ୍କ ଉକ୍ତିକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବେଶକମାନଙ୍କୁ ମିଳିବ।

ଶିଳ୍ପ ବିକାଶ କାର୍ଯ୍ୟ ତ୍ବରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ବିଜୁ ଅର୍ଥନୈତିକ କରିଡର ଦ୍ବାରା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୁଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ। ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ।

ଘଟିପଡ଼ାରୁ ଆମପାଣି ପର୍ଯ୍ୟନ୍ତ ‘ବିଜୁ ଏକ୍ସପ୍ରେସ୍‌ ୱେର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ସ୍ବର୍ଗତ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି। ସମ୍ବଲପୁର- ରାଉରକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା। ଏଲ୍‌ଆଣ୍ଡଟି ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ବର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ। ଓଡ଼ିଶା ମାଟି ଓ ଏ ମାଟିର ମଣିଷର ସ୍ବପ୍ନ ସହ ବିଜୁବାବୁ ସବୁବେଳେ ଯୋଡ଼ିହୋଇ ରହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍ ହଳଦୀପାଲିରୁ ର୍ଘେସ ଏବଂ କଳାହାଣ୍ଡି ଜିଲ୍ଲା ବୃନ୍ଦାବହାଲରୁ ଧର୍ମଗଡ଼ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କରିଥିଲେ।

ସମ୍ବନ୍ଧିତ ଖବର