ମୋଦୀ ସରକାରଙ୍କ ପଦକ୍ଷେପ ସଙ୍କଟକୁ ସୁଯୋଗରେ ପରିଣତ କରିବ: ଧର୍ମେନ୍ଦ୍ର

କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣାକୁ ସ୍ବାଗତ

ଭୁବନେଶ୍ବର : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା ଦେଶର ସବୁ ବର୍ଗର ଲୋକଙ୍କ ଜୀବନ ଉପରେ ସୁପ୍ରଭାବ ପକାଇବ। ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରାଇବ। ମୋଦୀ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ସଙ୍କଟକୁ ସୁଯୋଗରେ ପରିଣତ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଅର୍ଥ ମନ୍ତ୍ରୀ ଆଜି କୋଭିଡ୍‌-୧୯ ତଥା ସ୍ବାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିମନ୍ତେ ୧୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ବୀମା‌ ଘୋଷଣା କରାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ, ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ପୁଞ୍ଜିନିବେଶ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ ଏବଂ ଭବିଷ୍ୟତ ମହାମାରୀକୁ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବ। ଆଜି ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବ। ଏହି‌ ଯୋଜନାରେ ସେମାନେ ସ୍ଥାନୀୟ ଅଞ୍ଚଳରେ କାମ କରିପାରିବେ ଏବଂ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ। ଅପର ପକ୍ଷରେ ଆଜିର ଘୋଷଣା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ମଜବୁତ୍ କରିବ ଏବଂ ଇଜ୍ ଅଫ୍‌ ଡୁଇଂ ବିଜ୍‌ନେସ୍‌କୁ ସୁଗମ କରିବ। ଅପର ପକ୍ଷରେ ପ୍ରଥମରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପିଲାଙ୍କ ଶିକ୍ଷା ପାଇଁ ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମର ଘୋଷଣା ପ୍ରଶଂସନୀୟ। ଏହା ଦ୍ବାରା ସେମାନେ ଗୋଟିଏ ଟିଭି ଚ୍ୟାନେଲ୍‌ ଜରିଆରେ ପାଠ ପଢ଼ିପାରିବେ। କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ଘେ‌ାଷଣା ଦେଶରେ ବ୍ୟବସାୟରେ ଥିବା ପ୍ରତିବନ୍ଧକ ସମସ୍ୟାକୁ ସମାଧାନ କରିବ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ମଜବୁତ୍‌ କରିବ, ଉଦ୍ୟୋଗୀ, ଚାଷୀ ଓ ଶ୍ରମିକମାନଙ୍କୁ ସଶକ୍ତ କରିବ। ଫଳରେ ଦେଶରେ ଅର୍ଥନୀତି ଅଭିବୃଦ୍ଧି ହେବା ସହ ନିଯୁକ୍ତି ବଢ଼ିବ। କରୋନା ଆହ୍ବାନର ମୁକାବିଲା କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଥିବାରୁ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର