ରାଇରଙ୍ଗପୁରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

୯୭୪ ଯକ୍ଷ୍ମା ରୋଗୀଙ୍କୁ ବଣ୍ଟନ ହେବ ପୋଷଣ ଯୁକ୍ତ ଖାଦ୍ୟ ପ୍ୟାକେଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଏସଡିଏମଓ ଡାକ୍ତର ପି. କେ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଏଡିଏମ୍ ହେମନ୍ତ ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ ଦାସ ପ୍ରମୁଖ ଯୋଗଦେଇଥିଲେ। ଗୋରୁମହିଷାଣୀ ଲୌହ ଖଣିର ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ଏବଂ ବାଦାମପାହାଡ ଲୌହ ଖଣିର ଘନଶ୍ୟାମ ମିଶ୍ର ଆଇରନ ଏଣ୍ଡ ଷ୍ଟିଲ କମ୍ପାନି ଲିମିଟେଡର ମୁଖ୍ୟ ସ୍ବର୍ଗତ ଘନଶ୍ୟାମ ମିଶ୍ରଙ୍କ ବଡ଼ପୁଅ ଜଗଦୀଶ ମିଶ୍ର, ଗୋରୁମହିଷାଣୀ ଲୌହ ଖଣି ମ୍ୟାନେଜର ବିକାଶ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଯକ୍ଷ୍ମା ରୋଗର ସମ୍ପୁର୍ଣ୍ଣ ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ି ଥିବାବେଳେ ୨୦୨୫ ମସିହା ସୁଦ୍ଧା ସମଗ୍ର ଦେଶରୁ ଯକ୍ଷ୍ମା ରୋଗକୁ ବିଲୋପ କରିବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ରାଇରଙ୍ଗପୁର ଚିକିତ୍ସାଳୟରେ ଆୟୋଜିତ ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ ଅତିଥି ଗଣ। ଯକ୍ଷ୍ମା ରୋଗର ଦୂରୀକରଣ ପାଇଁ ଡାକ୍ତରଙ୍କ ପରାମର୍ଶ, ଔଷଧ ସେବନ ଓ ଉତ୍ତମ ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ ଅତିଶୀଘ୍ର‌ ଯକ୍ଷ୍ମା ରୋଗ ମୁକ୍ତ ହୋଇ ପାରିବେ ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଭଳି ଯକ୍ଷ୍ମା ରୋଗୀ ଆରୋଗ୍ୟ ଲାଭ କରି ପାରିବେ ସେ ନେଇ ଜନସାଧାରଣଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଅବଗତ କରାଇଲେ। ତେବେ ଯକ୍ଷ୍ମା ଏକ ମାରାତ୍ମକ ରୋଗ କିନ୍ତୁ ଏହାର ଠିକ୍ ସମୟରେ ଉପଚାର କରାଗଲେ ଏଥିରୁ ରକ୍ଷା ମିଳି ପାରିବ। ଯକ୍ଷ୍ମା ରୋଗୀ ମାନେ ବିନା ମୂଲ୍ୟରେ ବିଭିନ୍ନ ଟେଷ୍ଟ କରି ପାରିବା ସହିତ ଔଷଧ ବିଭିନ୍ନ ବ୍ଲକ୍ ରେ ଥିବା ହସ୍ପିଟାଲରୁ ସମ୍ପୁର୍ଣ୍ଣ ମାଗଣାରେ ପାଇ ପାରିବେ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ। ତା ସହିତ ଯକ୍ଷ୍ମା ରୋଗୀ ମାନଙ୍କୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ସହ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ। ତେବେ ଗୋରୁମହିଷାଣୀ ଓ ବାଦାମପାହାଡ ଲୌହଖଣି ତରଫରୁ ବାମନଘାଟୀ ଉପଖଣ୍ଡ ଓ ପଞ୍ଚପିଢ ଉପଖଣ୍ଡର ପଞ୍ଜୀକୃତ ୯୭୪ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ‌ ପକେଟ ଦିଆଯିବାର ସ୍ଥିର ହୋଇଥିବା ବେଳେ ଆଜି ରାଇରଙ୍ଗପୁର ବ୍ଲକ, କୁସୁମୀ ବ୍ଲକ ଓ ବିଜିତଳା ବ୍ଲକର ୨୦ ଜଣ ଯକ୍ଷ୍ମା ରୋଗୀଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିବୃନ୍ଦ ପୋଷଣ ଯୁକ୍ତ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ। ତେବେ ଗୋରୁମହିଷାଣୀ ଓ ବାଦାମପାହାଡ଼ ଲୌହ ଖଣି ମାଲିକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର