ଡ୍ରେନେଜ୍‌ ଡିଭିଜନ୍‌ କେଳେଙ୍କାରୀ: ବେକାର ଇଂଜିନିୟରଙ୍କ ନାମରେ ଗୁପ୍ତଟେଣ୍ଡର

ବିଂଝାରପୁର ସବ୍‌ଡିଭିଜନରେ ଦଳସଫା ନାମରେ ୧.୪୭ କୋଟି ଟଙ୍କାର ବିଲ୍

ଯାଜପୁର: ଯାଜପୁର ଡ୍ରେନେଜ୍ ଡିଭିଜନରେ ଦଳ ସଫେଇ କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି। ସରକାରୀ ଅନୁଦାନ ହରିଲୁଟ୍‌‌ର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଚଣ୍ଡିଖୋଲ ସବ୍‌ଡିଭିଜନରେ ୨ଟି ଆର୍ଥିକ ବର୍ଷରେ ୩୦ଟି ଗୁପ୍ତଟେଣ୍ଡର ଜରିଆରେ ଦଳସଫାରେ ୯୩ ଲକ୍ଷ ୪୭ ହଜାର ୯୯ ଟଙ୍କା ଖର୍ଚ୍ଚରେ ଦୁର୍ନୀତିର ଗନ୍ଧ ବାହାରୁଥିବା ବେଳେ ବିଂଝାରପୁର ସବ୍‌ଡିଭିଜନରେ ମଧ୍ୟ ଅନିୟମିତତା ଅଭିଯୋଗ ଆସିଛି। ବେକାର ଇଞ୍ଜିନିୟରଙ୍କ ଲାଇସେନ୍ସକୁ ଢାଲ କରାଯାଇ ୫୧ଟି ଗୁପ୍ତଟେଣ୍ଡରରେ ୧ କୋଟି ୪୭ ଲକ୍ଷ ୨୮ ହଜାର ୨୭୯ ଟଙ୍କା କେବଳ ଦଳସଫାରେ ଖର୍ଚ୍ଚ କରାଯାଇଛି। ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଦ୍ବାରା ଯୋଜନାବଦ୍ଧ ଭାବେ ପ୍ରତିବର୍ଷ ସରକାରୀ ଅନୁଦାନ ହରିଲୁଟ୍ ଚାଲିଥିବା ବେଳେ ଖାଲୁଆ ଜମିରୁ ଜଳ ନିଷ୍କାସନ ନ ହୋଇପାରି ଚାଷୀଙ୍କ ଫସଲ ଧୋଇଯାଉଛି।

ବିଂଝାରପୁର ସବ୍‌ଡିଭିଜନରେ ଦଳସଫା ନାମରେ ୧.୪୭ କୋଟି ଟଙ୍କାର ବିଲ୍
୨ ବର୍ଷରେ ୬୯ ଗୁପ୍ତଟେଣ୍ଡରରେ ୧.୯୦ କୋଟି ଟଙ୍କା ଖର୍ଚ୍ଚ

ସରକାରୀ ତଥ୍ୟ ଅନୁଯାୟୀ ଡ୍ରେନେଜ୍‌ ବିଭାଗର ବିଂଝାରପୁର ସବ୍‌ଡିଭିଜନରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୯ଟି ଗୁପ୍ତଟେଣ୍ଡର କରାଯାଇ ୩୭ ଲକ୍ଷ ୩୨ ହଜାର ୬୮୩ ଟଙ୍କା ବ୍ୟୟ କରାଯାଇଛି। ସେ ମଧ୍ୟରୁ ୧୪ଟି ଗୁପ୍ତଟେଣ୍ଡର ଜରିଆରେ ୨୬ ଲକ୍ଷ ୯୭ ହଜାର ୧୮୦ ଟଙ୍କା କେବଳ ଦଳସଫା ନାମରେ ବିଲ୍ ହୋଇଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୫୦ଟି ଗୁପ୍ତଟେଣ୍ଡର ଏହି ସବ୍‌ଡିଭିଜନରେ କରାଯାଇ ୧ କୋଟି ୫୨ ଲକ୍ଷ ୯୬ ହଜାର ୧୫୯ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ସେ ମଧ୍ୟରୁ ୩୭ଟି ଗୁପ୍ତଟେଣ୍ଡର ଦ୍ୱାରା ୧ କୋଟି ୨୦ ଲକ୍ଷ ୩୧ ହଜାର ୯୯ ଟଙ୍କା କେବଳ ଦଳସଫା ନାମରେ ଖର୍ଚ୍ଚ କରାଯାଇଛି। ଅର୍ଥାତ୍‌ ଦୁଇଟି ଅର୍ଥିକ ବର୍ଷରେ ଡ୍ରେନେଜ୍‌ ବିଭାଗର ବିଂଝାରପୁର ସବ୍‌ଡିଭିଜନରେ ୬୯ଟି ଗୁପ୍ତଟେଣ୍ଡରରେ ୧ କୋଟି ୯୦ ଲକ୍ଷ ୨୮ ହଜାର ୮୪୨ ଟଙ୍କା ବିଲ୍ ହୋଇଥିବା ବେଳେ ସେଥିରୁ କେବଳ ଦଳସଫା ଆଳରେ ୫୧ଟି ଗୁପ୍ତଟେଣ୍ଡର କରାଯାଇ ୧ କୋଟି ୪୭ ଲକ୍ଷ ୨୮ ହଜାର ୨୭୯ ଟଙ୍କା ବ୍ୟୟ କରାଯାଇଛି। ଏହି ଦଳସଫା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଗୁପ୍ତଟେଣ୍ଡର କାହା ସ୍ୱାର୍ଥରେ କରାଯାଇଛି? କେତେକ ନିର୍ଦ୍ଦିଷ୍ଟ ବେକାର ଇଞ୍ଜିନିୟରଙ୍କ ଲାଇସେନ୍ସକୁ ଢାଲ କରି ଦଳସଫା ନାମରେ ସରକାରୀ ଅନୁଦାନ ହରିଲୁଟ କରାଯାଇଛି। ୨୦୨୧-୨୨ ରେ ଯେଉଁ ବେକାର ଇଞ୍ଜିନିୟର କାର୍ଯ୍ୟ କରିଥିଲେ ସେ ପୁଣି ୨୦୨୨-୨୩ ରେ ମଧ୍ୟ ଦଳସଫା କାର୍ଯ୍ୟ କରିଛନ୍ତି। ଆହୁରି ମଧ୍ୟ କିଛି ଇଞ୍ଜିନିୟରଙ୍କ ଲାଇସେନ୍ସରେ ପ୍ରତିବର୍ଷ ଦୁଇରୁ ତିନିଥର ଦଳସଫା କାର୍ଯ୍ୟ କରାଯାଇଛି। କାହା ସୁପାରିସରେ ଏମାନଙ୍କୁ ପ୍ରତିବର୍ଷ ଏହି କାର୍ଯ୍ୟ ଦିଆଯାଉଛି? ବିଭିନ୍ନ ନାଳୀ ଓ ପାଟନାଳୀରୁ ଜଳନିଷ୍କାସନ କାର୍ଯ୍ୟରେ ହେଉଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ସାମ୍ନାକୁ ଆସିବ ବୋଲି ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର