କୋରାପୁଟ କଫିର ଗୁଣବତ୍ତା ଉପରେ ଗୁରୁତ୍ବ

ଭୁବନେଶ୍ବର: ବିଶ୍ବ ବଜାରରେ ପହଞ୍ଚିବ କୋରାପୁଟ କଫି। ଓଡ଼ିଶା କଫି ମିସନ ଜରିଆରେ କଫି ବୃକ୍ଷର ଏକତ୍ରୀକରଣ ସହ ନିବେଶକୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ୫୬୭ କୋଟିର ବ୍ୟୟ ବରାଦ କରିଛନ୍ତି। ଏହାସହ କଫି ଭ୍ୟାଲୁ ଚେନ୍‌ରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ ଓ ୫ହଜାର ଆଦିବାସୀ ଓ ନାମମାତ୍ର କଫି ଚାଷୀଙ୍କୁ ସୃଷ୍ଟି କରାଯିବ। ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଓ ତାଲିମ୍‌ ଜରିଆରେ କଫିର ଗୁଣବତ୍ତାକୁ ବଢ଼ାଇବା ଲାଗି ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ। କୋରାପୁଟର ଆଦିବାସୀ କଫି ଉତ୍ପାଦକମାନଙ୍କୁ ସଶକ୍ତ କରିବା ସହ ଗୁଣବତ୍ତା ପରିଚାଳନା ଓ ବଜାର ସହ ଯୋଡ଼ିବା ଲାଗି ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକଳ୍ପଟି ବ୍ରିଟିସ କାଉନ୍‌ସିଲ ଦ୍ବାରା ଅନୁଦାନପ୍ରାପ୍ତ। ଏଥିରେ ୟୁକେର ଆଙ୍ଗଲିଆ ରସ୍କିନ୍ ବିଶ୍ବବିଦ୍ୟାଳୟ, ନିଶ୍ବାସ, ଟାଟା କଫି ରହିଥିବା ବେଳେ ଟିଡିସିସି ଏଥିରେ ସହାୟତା ପ୍ରଦାନ କରୁଛି।

କୋରାପୁଟରେ ଅନେକ ଆଦିବାସୀ କଫି ଚାଷରେ ସଂଶ୍ଲିଷ୍ଟ। ସେମାନଙ୍କ ଅର୍ଥନୈତିକ ଓ ଜୀବନଜୀବିକାର ଉନ୍ନତି କରିବା ହେଉଛି ଏହି ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ। ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ,‌ ଗ୍ରେଡିଂ, ସର୍ଟିଂ ଓ ପ୍ୟାକେଜିଂ କୌଶଳ ବିଷୟରେ ଶିକ୍ଷା ଦିଆଯିବା ଫଳରେ ‌ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଉଚ୍ଚମାନର କଫି ବିନ୍‌ ଉତ୍ପାଦନ ହୋଇପାରିବ। ଫଳରେ କଫି ଚାଷରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଉତ୍ପାଦର ବଜାର ମୂଲ୍ୟ ବଢ଼ିବା ସହ ବ୍ୟବସାୟରେ ମୂଲଚାଲ କ୍ଷମତା ବଢ଼ାଇବାରେ ସହାୟକ ହେବ। କୋରାପୁଟରେ କଫି ଚାଷକୁ ନେଇ ଯଥେଷ୍ଟ ସମ୍ଭାବନା ରହିଥିଲେ ହେଁ ଆଦିବାସୀ ଚାଷୀମାନେ ଅନେକ ସମୟରେ ବଜାର ସହ ଯୋଡ଼ି ହେବାକୁ ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ସହାୟତା ପ୍ରଦାନ କରିବା ଦିଗରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି। ଆଙ୍ଗଲିଆ ରସ୍କିନ୍ ବିଶ୍ବବିଦ୍ୟାଳୟର ପ୍ରିନ୍ସିପାଲ ଇ‌ନଭେଷ୍ଟିଗେଟର ପ୍ରଫେସର ମନୋଜ ଡୋରା କୋରାପୁଟ କଫିକୁ ବିଶ୍ବ ବଜାରରେ ଉପଲବ୍ଧ କରାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଙ୍ଗଲିଆ ରସ୍କିନ୍ ବିଶ୍ବବିଦ୍ୟାଳୟ ପ୍ରଫେସର କ୍ରିସ ଲାଣ୍ଡ, ନିଶ୍ବାସ ର ପ୍ରଫେସର ସସ୍‌ମୀ ନାୟକ, ମୃତ୍ତିକା ସଂରକ୍ଷକ(କଫି)ର ଯୁଗ୍ମ ନି‌ର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାଏକ, ଭାରତୀୟ କଫି ବୋର୍ଡର ଏସ୍‌ଏଲଓ ଉପେନ୍ଦ୍ର କୁମାର ସାହା, କଫି ଲାବ୍‌ ବେଙ୍ଗାଲୁରୁର ସୁନାଲିନ ମେନନ, ଅରୁଣ କୁମାର ଦାସ, ରାଘବ ମଲ୍ଲିକ, ପ୍ରଦୀପ ମହାନ୍ତି, ରାକେଶ ଦାସ, ଆଶୁତୋଷ ନନ୍ଦ, ବିକ୍ରମ ସିଂହ, ଟାଟା କଫିର ରାଜୀବ କେ.ଜି, ମୃତ୍ତିକା ସଂରଣକ୍ଷର ଉପ-ନିର୍ଦ୍ଦେଶକ(ମୁଖ୍ୟାଳୟ) ପ୍ରମୋଦ ସାମଲ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର