ପୁଣି ଧରା ପଡ଼ିଲା ନକଲି ଔଷଧ: ଏଥର ‘ୟୁରିମେକ୍ସ ଡି’

କଟକ : ଓଡ଼ିଶା ବଜାରରେ ପୁଣି ଧରା ପଡ଼ିଛି ନକଲି ଔଷଧ। ‘ୟୁରିମେକ୍ସ ଡିର ନକଲି ପ୍ରସ୍ତୁତ କରି ଏହାକୁ ବଜାରକୁ ଛଡ଼ା ଯାଇଥିବା ବେଳେ କୋଲକାତାସ୍ଥିତ ସେଣ୍ଟ୍ରାଲ ଡ୍ରଗସ୍‌ ଲାବ୍ରୋଟୋରିରେ ହୋଇଥିବା ପରୀକ୍ଷାରୁ ତାହା ଧରା ପଡ଼ିଛି। ଏହି ନକଲି ଔଷଧ ଆଦୌ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଲାବ୍ରୋଟୋରି ରିପୋର୍ଟ ଦେଇଛି। ପରିସ୍ରା ରାସ୍ତା ବନ୍ଦ ଥିଲେ ବା ସେହି ସଂକ୍ରାନ୍ତ ରୋଗ ପାଇଁ ‘ୟୁରିମେକ୍ସ ଡି ଔଷଧ ରୋଗୀଙ୍କୁ ଦିଆଯାଇଥାଏ। ତେବେ ଏହାର ନମୁନା ଉପରେ ସନ୍ଦେହ ହେବାରୁ ଏହାର ପରୀକ୍ଷା ପାଇଁ ସେଣ୍ଟ୍ରାଲ ଲା‌ବ୍ରୋଟୋରିକୁ ପଠାଯାଇଥିଲା।

ସିପ୍ଲା କମ୍ପାନି ଦ୍ବାରା ଏହି ଔଷଧ ପ୍ରସ୍ତୁତ ହେଉଥିବା ବେଳେ ଏହାର ନକଲ କରାଯାଇ ବଜାରକୁ ଛଡାଯାଇଥିବା ସନ୍ଦେହ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାରୁ ଏହାକୁ ଜବତ୍‌ କରାଯାଇ ନମୁନା ପଠାଯାଇଥିଲା। ରିପୋର୍ଟ ଆସିଥିଲେ ମଧ୍ୟ ଔଷଧ ବଜାରରୁ ଫେରସ୍ତ ଅଣାଯିବା, ବିକ୍ରି କରୁଥିବା ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କି ଔଷଧ କେଉଁଠୁ ଆସିଥିଲା ସେ ସଂପର୍କରେ କୌଣସି ଖୋଳତାଡ ଆଜି ପର୍ଯ୍ୟନ୍ତ କରିନି ଡ୍ରଗ୍ସ କଂଟ୍ରୋଲ ବିଭାଗ। ଓ-ଟୁ, ଫାବିଫିରାଭର, ଟେଲମା -୪୦, ସକ୍ରାଲ ଭଳି ବହୁଳ ବ୍ୟବହୃତ ଔଷଧର ନକଲି ଧରା ପଡିବା ପରେ ସ୍ବତନ୍ତ୍ର ଭାବେ ଗଠିତ ଏସ୍‌ଟିଏଫ୍‌ ଓ ପୁଲିସ ଏହାର ତଦନ୍ତ କରୁଛି। ଏହି କାରବାରର ଚେର ରାଜ୍ୟବାହାରକୁ ଲମ୍ବି ଥିବାର ପ୍ରମାଣ ମିଳି ସାରିଛି। ଏବେ ଏଥିରେ ପୁଣି ଏକ ନୂଆ ଔଷଧ ଯୋଡ଼ି ହେଇଯିବା ଘଟଣା ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର