ରଖେ ହରି, ମାରେ କିଏ: ଶିଶୁକନ୍ୟାକୁ ନଳକୂଅରେ ଫିଙ୍ଗିଦେଲେ, ସାଢ଼େ ୬ ଘଣ୍ଟା ପରେ ଉଦ୍ଧାର

ବୋତଲ ବଞ୍ଚାଇଲା ଜୀବନ

ରେଂଗାଲି: ନିର୍ଦୟତା ଓ ବର୍ବରତାର ସବୁ ସୀମା ଟପିଯାଇଥିଲା। ନିଜ ଜନ୍ମକଲା ନବଜାତ ଶିଶୁକନ୍ୟାକୁ କେହି ଜଣେ ମହିଳା ବା ଅନ୍ୟ କେହି ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇ ଚାଲିଯାଇଥିଲା। ଶେଷରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଦଳ ଦୀର୍ଘ ସାଢ଼େ ୬ ଘଣ୍ଟାର ପରିଶ୍ରମ କରି ଜୀବିତ ଅବସ୍ଥାରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂର ରେଙ୍ଗାଲି ବ୍ଲକ୍ ଲାରିପାଲି ଗାଁସ୍ଥିତ ଶ୍ରୀରାମବୁଢା ଜଙ୍ଗଲରେ ଘଟିଥିବା ଏହି ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଉଦ୍ଧାର ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମେଡିକାଲ୍‌ ଟିମ୍ ଆମ୍ବୁଲାନସ୍‌ ଯୋଗେ ତାକୁ ଉପଯୁକ୍ତ ଚିକିତ୍ସା ପାଇଁ ତୁରନ୍ତ ବୁର୍ଲା ଭିମ୍‌ସାରକୁ ନେଇଛନ୍ତି।
ସବୁଠାରୁ ବଡ଼ କଥା ହେଉଛି, ଏକ ପ୍ଲାଷ୍ଟିକ୍‌ ବୋତଲ ହିଁ ଶିଶୁର ଜୀବନ ରକ୍ଷା କରିଛି। ଏଇଥିପାଇଁ ଯେ ନଳକୂପ ଭିତରେ ପୂର୍ବରୁ ପଡ଼ିଥିବା ଏହି ବୋତଲରେ ଶିଶୁଟି ଅଟକି ରହିଥିଲା। ଫଳରେ ତଳେ ପଡ଼ିଥିବା ଭଙ୍ଗାକାଚ ଆଦି ସଂସ୍ପର୍ଶରେ ଆସିନଥିଲା। ପ୍ରାୟ ୧୫ ଫୁଟ ତଳେ ଶିଶୁ ଥିବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ବିମାନ ଯୋଗେ ଭିକ୍ଟିମ୍‌ ଲୋକେସନ୍‌ କ୍ୟାମେରା ଅଣାଯାଇ ବ୍ୟବହାର କରାଯାଇଥିଲା। ରାତି ସାଢ଼େ ୮ଟାରେ ଆରିପାତି ଯୋଗେ ଲୁହାପାଇପ୍‌ କାଟିବା ଆରମ୍ଭ ହୋଇଥିଲା। ହେଲେ ଏହା ଭାଙ୍ଗିଯିବା ପରେ ଇଲେକ୍ଟ୍ରୋନିକ୍ସ ମେସିନ୍‌ର ସହାୟତା ନିଆଯାଇ ଶିଶୁକୁ ଉଦ୍ଧାର କରାଯାଇଥିଲା। ଏହି ଅପରେସନ୍‌ରେ ଏନ୍‌ଡିଆର୍‌ଏଫ୍ ଟିମ୍ ମଧ୍ୟ ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିଲେ।

ବୋତଲ ବଞ୍ଚାଇଲା ଜୀବନ
ସାଢ଼େ ୬ ଘଣ୍ଟା ପରେ ଉଦ୍ଧାର
ଓଡ୍ରାଫ୍‌, ଅଗ୍ନିଶମ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଆଗରୁ ଓଡ଼ିଶାର ସୋନପୁର ହେଉକି ଛତିଶଗଡ଼ କିମ୍ବା ଦେଶରେ ଅନ୍ୟ କୌଣସି ପ୍ରାନ୍ତରେ ଅସାବଧାନତାବଶତଃ ନଳକୂପ ଭିତରକୁ ପଡ଼ି ଖସିଥିବା ଘଟଣା ସାମ୍‌ନାକୁ ଆସିଥିଲା। ସମ୍ଭବତଃ ପ୍ରଥମ ଥର କେହି ନିଜର ଜନ୍ମକଲା ଶିଶୁକୁ ମାରିବା ଉଦ୍ଦେଶ୍ୟରେ ଗଭୀର ନଳକୂପକୁ ଫିଙ୍ଗିଥିବା ଅନୁମାନ କରାଯାଉଛି। ଶ୍ରୀରାମବୁଢ଼ା ଜଂଗଲ ଭାବେ ଜଣାଶୁଣା ଏହି କାଜୁ ଜଂଗଲ ଲାରିପାଲି ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଛି। ସ୍ବର୍ଗତ ଶ୍ରୀରାମ ଅଗ୍ରୱାଲ ନିଜ ଜମିରେ ଏହି ଜଙ୍ଗଲ ସୃ୍ଷ୍ଟି କରିଥିଲେ। ତାଙ୍କ ନାମରେ ଲୋକେ ଜଙ୍ଗଲର ନାଁ ରଖିଛନ୍ତି। ଉକ୍ତ ସ୍ଥାନକୁ ଛେଳି ଚରାଇବାକୁ ଯାଇଥିବା ଲାରିପାଲି ଗାଁର ଦଶରଥ ବେହେରା ଦିନ ୧୧ଟା ସମୟରେ ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କ୍ରନ୍ଦନ ଶବ୍ଦ ଶୁଣିବାକୁ ପାଇଥିଲେ। ନଳକୂପ ଭିତରେ ଶିଶୁ ପଡ଼ିଥିବା ଜାଣି ସେ ତାଙ୍କର ସଂପର୍କୀୟ ଭାଇ ତଥା ଗାଁର ୱାର୍ଡ ସଭ୍ୟ କରୁଣାକର ରାଉତଙ୍କୁ ଜଣାଇବା ପରେ ଏହି ଘଟଣା ସାମ୍‌ନାକୁ ଆସିଥିଲା।

ରେଂଗାଲି ଥାନାଧିକାରୀ ସୁଦର୍ଶନ ପଣ୍ଡା ପ୍ରଥମେ ଘଟଣାସ୍ଥଳ ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ଏହା ପରେ ଅପରାହ୍‌ଣ ୩ଟାରେ ରେଂଗାଲି ଅଗ୍ନିଶମ ଅଧିକାରୀ ସୁଶାନ୍ତ ଧଳଙ୍କ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଗୋଟିଏ ଜେସିବି ଜରିଆରେ ମାଟି ଖୋଳିବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଶିଶୁକୁ ଶୀଘ୍ର ଉଦ୍ଧାର କରିବା ପାଇଁ ଆହୁରି ୨ଟି ଜେସିବି ମେସିନର ସହାୟତାରେ ନଳକୂପର ଚାରିପଟୁ ମାଟି ଖନନ କରାଯାଇଥିଲା। ଶିଶୁଟି ଭୂମିଠାରୁ ପ୍ରାୟ ୧୫ ଫୁଟ୍‌ ତଳେ ୮ ଇଞ୍ଚ ଗୋଲେଇର ଏକ ଲୁହା ପାଇପ୍‌ ଭିତରେ ରହିଥିଲା। ଜେସିବି ଜରିଆରେ ମାଟି ଖନନ ସମୟରେ ବି ଶିଶୁ କାନ୍ଦୁଥିବା ଶୁଣିବାକୁ ମିଳିଥିଲା।। ଶିଶୁକୁ ବଞ୍ଚାଇବା ରଖିବା ପାଇଁ ନଳକୂପ ଭିତରକୁ ଅମ୍ଲଜାନ ଯୋଗାଣ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ବି.ବି ଥାପାଙ୍କ ନେତୃତ୍ବରେ ଝାରସୁଗୁଡ଼ାରୁ ଆସିଥିବା ୧୧ ଜଣିଆ ଓଡ୍ରାଫ୍‌ ଦଳ ଏବଂ ଜେଏସ୍‌ଡବ୍ଲ୍ୟ ବିପିଏସ୍‌ଏଲ୍ କଂପାନିର ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ରେଂଗାଲି ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ତହସିଲଦାର ‌ଲୋପାମୁଦ୍ରା ସାମଲ, ଏସ୍‌ଡିପିଓ ପ୍ରଦୀପ ସାହୁ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟା ସାଢ଼େ ୭ଟାରେ ଏସ୍‌ପି ମୁକେଶ ଭାମୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଉଲ୍ଲେଖଥାଉକି, ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ପାଖାପାଖି ଜଙ୍ଗଲ ପଟୁ ଜଣେ ଅପରିଚିତ ମହିଳା ଧଇଁସଇଁ ହୋଇ ଆସୁଥିବା ଗାଁର କେତେକ ମହିଳା ଦେଖିଥିବା କହିଛନ୍ତି। କୌଣସି କୁମାରୀ ମାଆ ଲୋକଲଜ୍ଜା ଯୋଗୁ ଏଭଳି କାଣ୍ଡ ଭିଆଇଥିବା କିମ୍ବା ପତିପତ୍ନୀ ଭିତରେ ଝଗଡ଼ା ହେବା କାରଣରୁ ଶିଶୁକନ୍ୟାକୁ ମାରିବା ପାଇଁ କୌଣସି ବ୍ୟକ୍ତି ଏଭଳି କରିଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଗାଁର ଆଶାକର୍ମୀ ସୌଦାମିନୀ ସାହୁଙ୍କୁ ପଚରାଉଚରା ସମୟରେ ‌ନିକଟରେ କୌଣସି ମହିଳା କିମ୍ବା ଯୁବତୀ ସନ୍ତାନ ପ୍ରସବ କରିନାହାନ୍ତି କିମ୍ବା ଏହି ସମୟ ଭିତରେ କାହାରି ସନ୍ତାନ ପ୍ରସବ ତାରିଖ ବି ନଥିଲା ବୋଲି ସେ କହିଛନ୍ତି। ତ‌େବେ, ଆଖପାଖ ଗ୍ରାମର ଅନ୍ୟ କୌଣସି ବ୍ୟକ୍ତି ଯିଏ ଉକ୍ତ ଜଙ୍ଗଲ ସଂପର୍କରେ ଭଲ ଭାବେ ଅବଗତ ଥିବେ, ସେହି ହିଁ ଏଭଳି କରିଥିବା ନିଶ୍ଚିତ।

ଖୁସି ବ୍ୟକ୍ତ କଲେ ନବୀନ

ଭୁବନେଶ୍ବର: ସମ୍ବଲପୁରର ରେଙ୍ଗାଲିରେ ଏକ ପରିତ୍ୟକ୍ତ ବୋରୱେଲ୍‌ରୁ ନବଜାତ ଶିଶୁ ଉଦ୍ଧାର ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଶିଶୁଟିର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଓଡ୍ରାଫ୍‌, ଅଗ୍ନିଶମ, ଜିଲ୍ଲା ପୁଲିସ୍‌, ମେଡିକାଲ୍‌ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସମନ୍ବିତ ଉଦ୍ୟମର ପ୍ରଶଂସା କରିଛନ୍ତି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିକୁ ଆଧାର କରି ପୂରା ସରକାରୀ ବ୍ୟବସ୍ଥା କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଏହି ଘଟଣା ଉପରେ ନଜର ରଖିଥିଲେ। ତାଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ବିମାନ ଯୋଗେ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତି ପଠାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଘଟଣାରେ ଆଶ୍ୱସ୍ତ ପ୍ରକାଶ କରିବା ସହ ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ସମ୍ବଲପୁରର ଲାରିପାଲି ସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲଠାରେ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆମ ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଉଦ୍ଧାରକାରୀ ଟିମ୍‌ର ସଦସ୍ୟଙ୍କୁ ଧନ୍ୟବାଦ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର