ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଂଗ: କୋର୍ଟ ଭିତରୁ ବିଚାରପତିକୁ ବାହାର କଲେ, ବ୍ୟାପକ ଭଂଗାରୁଜା

୩ଟି ମାମଲା ରୁଜୁ କଲା ପୁଲିସ, ଘଟଣାକୁ ଓକିଲ ସଂଘର ନିନ୍ଦା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି। ଜିଲ୍ଲା ଓକିଲ ସଂଘର ଆହ୍ବାନରେ ଆଜି ସମ୍ବଲପୁରର ଶତାଧିକ ସଂଗଠନର ସମର୍ଥନ ଯୋଗୁଁ ଏହା ଜନ ଆନ୍ଦୋଳନର ରୂପ ନେଇଥିବା ବେଳେ ନେଲ୍‌ସନ୍ ମଣ୍ଡେଲା ଛକରେ ଶୀତଳଷଷ୍ଠୀ ପରି ଭିଡ଼ ପରିଲକ୍ଷିତ ହୋଇଥିଲା। ଆନ୍ଦୋଳନକୁ ଦୃଷ୍ଟି‌ରେ ରଖି ଏସ୍‌ଡିଜେଏମ୍‌ଙ୍କ ପକ୍ଷରୁ ନେଲ୍‌ସନ ମଣ୍ଡେଲା ଛକ ଅଂଚଳ‌ରେ ସିଆର୍‌ପିସି ୧୪୪ ଧାରା ଜାରି କରାଯାଇଥିଲେ ହେଁ ଲୋକେ ତାହାକୁ ଖାତିର କରିନଥିଲେ। ପୁଲିସ ସହିତ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଜନତା ଗେଟ୍ ଭାଂଗି କୋର୍ଟ ଭିତରକୁ ପଶିଯିବା ସହିତ କାର୍ଯ୍ୟରତ ଜିଲ୍ଲା ଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାରକରି ଦେଇଥିଲେ। କୋର୍ଟ ଭିତରେ ଭଂଗାରୁଜା ଭଳି ଅଭାବନୀୟ ଘଟଣା ଘଟିଥିଲା। ଏହି ଘଟଣାରେ ସମ୍ବଲପୁର ଟାଉନ ଥାନା ପୁଲିସ ବିଭିନ୍ନ ସଂଗଠନ ଏବଂ ଓକିଲଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗତ ୭ ତାରିଖରୁ  ଜିଲ୍ଲା ଦୌରା ଜଜଙ୍କ ଅଦାଲତ କୋଠା ସମ୍ମୁଖ ରାସ୍ତାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଥିଲା ବେଳେ ଆଜି ରାଜ୍ୟ ଓକିଲ ସଂଘର ସମୂହ ଡାକରାରେ ସତ୍ୟାଗ୍ରହ କରାଯାଇଥିଲା। ସତ୍ୟାଗ୍ରହରେ ସାମିଲ ହେବା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ସଂଗଠନକୁ ଅନୁରୋଧ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସକାଳ ୯ଟାରୁ ନେଲ୍‌ସନ୍‌ ମଣ୍ଡେଲା ଛକ(କଚେରି ଛକ) ଅଂଚଳରେ ଭିଡ଼ ଆରମ୍ଭ ହୋଇଯାଇଥିଲା। କଂଗ୍ରେସ, ବିଜେପି, ବିଜେଡି ଆଦି ରାଜନୈତିକ ଦଳର ନେତା, କର୍ମୀ ଓ ସଭ୍ୟମାନଙ୍କ ସହିତ ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନର ଲୋକେ ନିଜ ନିଜ ବ୍ୟାନର ଧରି ନେଲ୍‌ସନ୍‌ ମଣ୍ଡେଲା ଛକରେ ପହଂଚିଥିଲେ।

ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭକରି କଳାକାର, ଚାଷୀ, ଶ୍ରମିକମାନଙ୍କ ପର୍ଯ୍ୟନ୍ତ ସବୁ ସଂଗଠନର ସଭ୍ୟସଭ୍ୟାମାନେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବହୁସଂଖ୍ୟାରେ କିନ୍ନରମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜଣେ ଅତରିକ୍ତ ଏସ୍‌ପି, ୨ ଡିଏସ୍‌ପିଙ୍କ ତତ୍ତ୍ବାବଧାନରେ ୧୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସକାଳ ସା‌ଢ଼େ ୧୦ଟା ବେଳକୁ ନେଲ୍‌ସନ୍ ମଣ୍ଡେଲା ଛକ ଅଂଚଳ ଶୀତଳଷଷ୍ଠୀ ଭଳି ଲୋକଙ୍କ ପ୍ରବଳ ଜନସମାଗମ ହୋଇ ସାରିଥିଲା। ଦୁଲ୍‌ଦୁଲି, ସଂପ୍ରଦା, ମାଦଳ ଆଦି ବାଜାରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ଏଭଳି ସ୍ଥିତି ଦେଖି ପୁଲିସ ନେଲ୍‌ସନ୍‌ ମଣ୍ଡେଲା ଛକ ପଟୁ ବିଚାରପତିମାନଙ୍କୁ ନଆଣି ନିଜ ପୂର୍ବ ଯୋଜନାରେ ପରିବର୍ତ୍ତନ କରିଥିଲା। ବିନାଖଣ୍ଡି ରାସ୍ତାରୁ ଡିଏସ୍‌ଆର୍‌ ଅଫିସ ଏବଂ ଏସ୍‌ପି ଅଫିସ୍ ସମ୍ମୁଖ ଦେଇ କ‌ୋର୍ଟ ଭିତରକୁ ୩/୪ଟି ପୁଲିସ ଗାଡ଼ିରେ ବିଚାରପତିମାନଙ୍କୁ ପ୍ରବେଶ କରାଯାଇଥିଲା।

ବିଚାରପତିମାନ‌େ ଗାଡ଼ିରୁ ଓହ୍ଲାଇ ନିଜ ନିଜ କୋର୍ଟ ଭିତରକୁ ଯାଉଥିବା ଦେଖି ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର, ଗେଟ୍‌ ଭିତରକୁ ପଶିବା ବେଳେ ପୁଲିସ ସହିତ ସେମାନଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ପୁଲିସଠାରୁ ଆନ୍ଦୋଳନକାରୀଙ୍କ ସଂଖ୍ୟା ଢେର ଅଧିକ ଥିବାରୁ ପୁଲିସ ଆନ୍ଦୋଳନକାରୀମାନଙ୍କୁ ରୋକିବାରେ ବିଫଳ ହୋଇଥିଲା। ଶହ ଶହ ଆନ୍ଦୋଳନକାରୀ କୋର୍ଟ ପରିସରକୁ ପଶିଯାଇଥିବା ବେଳେ ବିଚାରପତିମାନଙ୍କୁ ବାହାରିଯିବାକୁ ବାଧ୍ୟ କରିଥିଲେ। ବିଭିନ୍ନ ବାଦ୍ୟ ଧ୍ବନି‌ରେ କୋର୍ଟ ପରିସର ଗର୍ଜି ଉଠିଥିଲା। ଜିଲ୍ଲା ଜଜ୍‌ଙ୍କ ନାମଫଳକ ଭାଂଗି ଦିଆଯାଇଥିଲା। ଚୌକି, ଝରକା କାଚ ମଧ୍ୟ ଭଂଗାରୁଜା କରାଯାଇଥିଲା। କୋର୍ଟ ପରିସରରେ ଥିବା ଏକ ଘରୋଇ କାର୍‌ର କାଚ ବି ଭଂଗା ଯାଇଥିଲା। ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କ ଏଭଳି କାଣ୍ଡ ଦେଖି କ‌େତେକ ଆଇନଜୀବୀ ନିଜ ସୁରକ୍ଷା ବଳୟ ମଧ୍ୟରେ ବିଚାରପତିମାନଙ୍କୁ ସୁରକ୍ଷିତ ଭାବେ କୋର୍ଟ ପରିସରରୁ ବାହାର କରିଥିଲେ। ସେଠାରୁ ପୁଲିସ ପୁଣି ନିଜ ଗାଡ଼ିରେ ବିଚାରପତିମାନଙ୍କୁ ନେଇ ଆସିବା ବେଳେ ମଧ୍ୟ ପ୍ରତିବାଦର ସମ୍ମୁଖୀନ ହୋଇଥିଲା। ବିଚାରପତିଙ୍କୁ ଆଣୁଥିବା ଏକ ଗାଡ଼ି ଉପରେ ଚଢ଼ି ଯାଇ ଜଣେ ଆନ୍ଦୋଳନକାରୀ ନାଚୁଥିବା ଦ‌େଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଆ‌ଡ୍‌ଭୋକେଟ୍‌ ଜେନେରାଲଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ।

ଆଜିର ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। ଟାଉନ ଆଇଆଇସି ପ୍ରକାଶ କୁମାର କର୍ଣ୍ଣଙ୍କ ସୂଚନା ଅନୁସାରେ, ନେଲ୍‌ସନ୍‌ ମଣ୍ଡେଲା ଛକରେ  ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଭିମ୍‌ ଆର୍ମି, ବଜରଂଗ ଦଳ, ମାରୱାଡ଼ି ଯୁବା ମଂଚ, ଘୁନ୍‌ଘୁଟିପଡ଼ା ବିସ୍ଥାପିତ ସଂଗଠନ, ଏବିଭିପି ସହିତ ଅନ୍ୟାନ୍ୟ ସଂଗଠନ ବିରୋଧରେ କେସ୍‌ ନମ୍ବର ୪୭୯/୧୨/୧୨/୨୨ ମାମଲା ରୁଜୁ କରାଯାଇଛି। ସେହିପରି ଜିଲ୍ଲା ଜଜ୍‌ଙ୍କ କ‌ୋର୍ଟ ସମ୍ମୁଖରେ ପୁଲିସ୍‌ ସହିତ ମୁହାଁମୁହିଁ ହେବା ତଥା ପୁଲିସ ବ୍ୟାରିକେଡ୍ ଭାଂଗି କୋର୍ଟ ପରିସରକୁ ପଶିବା ଘଟଣାରେ ପୁଲିସ ଏତଲା ଅଧାରରେ ୪୮୦/୧୨.୧୨.୨୨ ରୁଜୁ କରାଯଇଥିବା ସେ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ଅନୱର ଅଲ୍ଲୀ, ବିଜୟ ଜେନା, ବିଷ୍ଣୁ ପାଢ଼ୀ, ସୁରଂଜିନୀ ବାରିକ, ଦୀପକ କୁଅଁର, ଟିଟୁନ ଶର୍ମା, ଜିତେନ୍ଦ୍ର ପ୍ରଧାନ, ବାବୁଲି ପଣ୍ଡା, ଶଶାଙ୍କ ଶେଖଣ ପାଢ଼ୀ, ଅଫ୍‌ସାନା ବାନୋ ଓରଫ ଅଂଜୁମ, ସିଲୁ ମହାପାତ୍ର, ପ୍ରବୀଣ ସିଂହଦେଓ ପ୍ରମୁଖଙ୍କ ନେତୃତ୍ବରେ ୧୦୦ରୁ ୧୫୦ ଓକିଲ କୋର୍ଟ ପରିସରକୁ ପଶି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି। ସେହିପରି କୋର୍ଟ ଭିତରେ ଭଂଗାରୁଜାକୁ ନେଇ ଓକିଲମାନଙ୍କ ବିରୋଧରେ ଅନ୍ୟ ଏକ ମାମଲା ୪୮୧/୧୨/୧୨/୨୨ ରୁଜୁ ହୋଇଥିବା ଆଇଆଇସି ଶ୍ରୀ କର୍ଣ୍ଣ କହିଛନ୍ତି।

ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜିର ଏହି ଘଟଣା ପାଇଁ ପୁଲିସ ପ୍ରଶାସନକୁ ଦାୟୀ କରାଯାଇଛି। ସଂଘ ସଂପାଦକ ପରେଶ କୁମାର ସାହୁ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଜଣାଇ ସମ୍ବଲପୁର ଓକିଲ ସଂଘ ଗତ ୭ ତାରିଖରୁ ସତ୍ୟାଗ୍ରହ ଆନ୍ଦୋଳନ ଜାରି ରଖିଥିଲା। ମାନ୍ୟବର ବିଚାରପତିମାନଙ୍କୁ କୋର୍ଟ କାର୍ଯ୍ୟରେ ଯୋଗଦେବାକୁ ସଂପୂର୍ଣ୍ଣ ସହଯୋଗ କରି ଆସିଛି। ତେବେ, ପୁଲିସର ଦୂରଦୃଷ୍ଟିର ଅଭାବ ଓ ଅପାରଗତା ଯୋଗୁଁ କୋର୍ଟ ପରିସରରେ ଆଜି ଯେଉଁ ଅଭାବନୀୟ ଘଟଣା ଘଟିଛି ତାହାକୁ ସଂଘ ନିନ୍ଦା କରୁଛି। ପୁଲିସ ନିଜର ବିଫଳତାକୁ ଲୁଚାଇବା ପାଇଁ କୋର୍ଟ ପରିସରରେ ଉପସ୍ଥିତ ଥିବା ନିରୀହ ଜନତାଙ୍କୁ ଆକ୍ରମଣ କରିବାରୁ ଉତ୍ତ୍ୟକ୍ତ ଜନତା ଉତକ୍ଷିପ୍ତ ହୋଇଥିଲେ। ଆତ୍ମରକ୍ଷା ପାଇଁ ଏଣେତେଣେ ଦୌଡ଼ିବା ସମୟରେ ଏଭଳି ପରିସ୍ଥିତି ଘଟିଥାଇପାରେ। ଏହାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟତା ଉନ୍ମୋଚନ କରିବା ପାଇଁ ଜିଲ୍ଲା ଓକିଲ ସଂଘ ଦାବି କରୁଛି ବ‌ୋଲି ସଂପାଦକ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର